ନୂଆଦିଲ୍ଲୀ: କରୋନାଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଭାରତରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ସୋମବାର ଠାରୁ ଆରମ୍ଭ ହେଉଛି। କରୋନାଭୂତାଣୁରେ ସର୍ବାଧିକ ପ୍ରଭାବିତ ଦେଶର ୨୦ଟି ଜିଲ୍ଲାକୁ କେନ୍ଦ୍ର ସରକାର ସ୍ବତନ୍ତ୍ର ସ୍ବାସ୍ଥ୍ୟ ଟିମ୍‌ ପଠାଇଛନ୍ତି। ବ୍ୟାପକ ନିୟମ କୋହଳ କରି ଏହି ଲକ୍ଡାଉନ୍ ଲାଗୁ ହଉେଛି। କରୋନାଭୂତାଣୁ ସଂକ୍ରମଣର ପ୍ରଭାବ ଆଧାରରେ ଏଥିପାଇଁ ଦେଶକୁ ତିନିଟି ଜୋନ୍‌ରେ ଭାଗ କରାଯାଇଛି। ଏହି ପର୍ଯ୍ୟାୟର ଲକ୍‌ଡାଉନ୍‌ ମେ ୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁଯାୟୀ ତିନି ଜୋନ୍ ନିର୍ବିଶେଷରେ କିଛି ସେବା ଓ ବ୍ୟବସ୍ଥା ଦେଶବ୍ୟାପୀ ବନ୍ଦ ରହିବ। ସେଗୁଡ଼ିକ ହେଉଛି:- ବିମାନ ଯାତ୍ରୀ ପରିବହନ, ରେଳ ଯାତ୍ରୀ ପରିବହନ, ସଡ଼କପଥର‌େ ଅନ୍ତଃରାଜ୍ୟ ଯାତାୟାତ, ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅନ୍ୟ ଶିକ୍ଷାନୁଷ୍ଠାନ, ତାଲିମ ଓ କୋଚିଂ କେନ୍ଦ୍ର, ହୋଟେଲ ଆଦି ଆତିଥେୟତା ସେବା ଓ ରେସ୍ତୋରାଁ। ସେହିଭଳି ବେଶି ଲୋକ ସମବେତ ହେଉଥିବା ସ୍ଥଳ ଯଥା: ସିନେମାହଲ୍, ମଲ୍, ଜିମ୍, କ୍ରୀଡାପରିସର, ସାମାଜିକ ସମାବେଶ, ଧାର୍ମିକ ସମାବେଶ, ଓ ସାଂସ୍କୃତିକ ସମାବେଶ ବନ୍ଦ ରହିବ। କୌଣସି ପ୍ରକାର ସର୍ବସାଧାରଣ ଧାର୍ମିକ ଓ ଉପାସନାସ୍ଥଳ ବନ୍ଦ ରହିବ।