ଲକ୍‌ଡାଉନ୍‌ କଟକଣା, ୮୪% ଭାରତୀୟଙ୍କ ଆୟ ଖସିଛି

ନୂଆଦିଲ୍ଲୀ: ”ନିଜ ଘରେ ରହନ୍ତୁ, ସୁରକ୍ଷିତ ରହନ୍ତୁ” ଭଳି ବିଶ୍ୱର ସର୍ବାଧିକ କଠୋର କଟକଣା ଲାଗୁ ହେବାରୁ ଭାରତର ପ୍ରାୟ ୮୪% ଘରର ଆର୍ଥିକ ସ୍ଥିତି ଅସୁରକ୍ଷିତ ହୋଇପଡିଛି। ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଅନେକଙ୍କର ଆୟ ଏଭଳି ପ୍ରଭାବିତ ହୋଇଛି ଯେ ସେମାନେ କୌଣସି ସହାୟତା ନ ପାଇଲେ ପେଟକୁ ଦାନା ମୁଠେ ବି ଯୋଗାଡ଼ କରିପାରିବେ ନାହିଁ। ସାମାଜିକ କ୍ଷେତ୍ର ଉପରେ କାର୍ଯ୍ୟ କରୁଥିବା ଚିକାଗୋର ଏକ କେନ୍ଦ୍ର, ଏପ୍ରିଲ୍‌ ମାସରେ ଭାରତରେ ୨୭ଟି ରାଜ୍ୟର ୫,୮୦୦ଟି ଘରର ସର୍ବେକ୍ଷଣ କରି ଏଭଳି ତଥ୍ୟ ପାଇଛି। ଗବେଷକମାନେ ପାଇଛନ୍ତି ଯେ ଭାରତର ଗ୍ରାମାଞ୍ଚଳ ହିଁ ଏହି କଠୋର ଲକ୍‌ଡାଉନ୍‌ ଦ୍ୱାରା ବେଶି କ୍ଷତିଗ୍ରସ୍ତ ହୋଇଛି ଏବଂ କରୋନାଭୂତାଣୁ ବ୍ୟାପିବା ଦ୍ୱାରା ଆର୍ଥନୀତିକ ଦୁର୍ଗତି ଆସି ନାହିଁ। ଲକ୍‌ଡାଉନ୍‌ ପୂର୍ବରୁ ମୁଣ୍ଡପିଛା ଆୟ, ଲକ୍‌ଡାଉନ୍‌ ପରେ ଗୁରୁତର ହ୍ରାସ ପାଇଛି। ୧୦ କୋଟି ଭାରତୀୟ ସେମାନଙ୍କ କାମଧନ୍ଦା ବା ଚାକିରି ହରାଇଛନ୍ତି।

ଭୂତାଣୁ ବ୍ୟାପିବା ଆଶଙ୍କାରେ ସରକାର ଅନେକ ସାମଗ୍ରୀର ଉତ୍ପାଦନ ଓ ଯୋଗାଣକୁ ମଧ୍ୟ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ। ତେବେ ଗୁରୁବାର ସରକାର କୃଷକ ଓ ଶ୍ରମିକଙ୍କୁ ଶସ୍ତା ଋଣ ଓ ମାଗଣା ଖାଦ୍ୟ ଦେଇ ବିଶାଳ ଅନୌପଚାରିକ କ୍ଷେତ୍ରର କଷ୍ଟକୁ କମ୍‌ କରିବାକୁ ଚେଷ୍ଟା କରିଛନ୍ତି। କରୋନା ମହାମାରୀ ସଙ୍କଟ ଯୋଗୁଁ ୧୩୦ କୋଟି ଦେଶବାସୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ତ୍ରିପୁରା, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ଓ ହରିୟାଣା। ଏହି ଅଧ୍ୟୟନ କରିଛନ୍ତି ୟୁନିଭର୍ସିଟି ଅଫ୍‌ ଚିକାଗୋର ଅର୍ଥଶାସ୍ତ୍ର ପ୍ରାଧ୍ୟାପକ ମାରିଆନେ ବର୍ଟ୍ରାଣ୍ଡ, ସିଏମ୍‌ଆଇଇର ମୁଖ୍ୟ ଅର୍ଥନୀତିଜ୍ଞ କୌଶିକ୍‌ କ୍ରିଷ୍ଣନ୍‌ ଏବଂ ପେରେଲମ୍ୟାନ୍‌ ସ୍କୁଲ୍‌ ଅଫ୍‌ ମେଡିସିନ୍‌ର ଜଣେ ସହକାରୀ ପ୍ରାଧ୍ୟାପକ। ସେମାନେ ତଥ୍ୟ ବାହାର କରିଛନ୍ତି ଯେ ୩୪% ପରିବାର କୌଣସି ସହାୟତା ନପାଇଲେ, ସପ୍ତାହେରୁ ଅଧିକ ଦିନ ତିଷ୍ଠିପାରିବେ ନାହିଁ। ଅଧିକ ଆୟ କରୁଥିବା ପରିବାରମାନେ ଦରମା ମିଳୁଥିବା ଚାକିରି ଯୋଗୁ ଜୀବନ ଜୀଇଁବାରେ ଅଧିକ ଅସୁବିଧାର ସାମ୍ନା କରୁନାହାନ୍ତି। ସେହିଭଳି ପରିବା ଚାଷୀ ଓ ଫଳ ବିକାଳିମାନେ କିଛି ମାତ୍ରାରେ ନିଜ ପରିବାରର କଷ୍ଟ ଲାଘବ କରିପାରିଛନ୍ତି। ଆଉ ସମସ୍ତ ପରିବାର କାମଧନ୍ଦା ହରାଇ ଘୋର ହଇରାଣରେ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର