ମେ’ ୩ ଯାଏ ବଢ଼ିଲା ଲକ୍‌ଡାଉନ୍, ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଏପ୍ରିଲ ୨୦ ପରେ କୋହଳ ହେବ, ଆଜି ଆସିବ ପୂର୍ଣ୍ଣାଙ୍ଗ ଗାଇଡ୍‌ଲାଇନ୍‌

ନୂଆଦିଲ୍ଲୀ: କରୋନା ଭୂତାଣୁର ମୁକାବିଲା ଲାଗି ଦେଶରେ ୨୧ ଦିନ ଧରି ଚାଲିଥିବା ଲକ୍‌ଡାଉନ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମେ’ ୩ ତାରିଖ ପର୍ଯ୍ୟନ୍ତ ପୁଣି ବଢ଼ାଇ ଦେଇଛନ୍ତି। ଆଜି ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରି କହିଛନ୍ତି ଯେ ଆସନ୍ତାକାଲିଠାରୁ ୨୦ ତାରିଖ ପର୍ଯ୍ୟନ୍ତ ୬ ଦିନ ଦେଶ ପାଇଁ ଗୁରୁତ୍ବପୂର୍ଣ୍ଣ। ଏହି ସମୟରେ ଲକ୍‌ଡାଉନ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯିବ। ସମସ୍ତ ରାଜ୍ୟ ଓ ଜିଲ୍ଲା ଉପରେ ନଜର ରଖାଯିବ। ଯେଉଁ ଅଞ୍ଚଳରେ ରୋଗ ଆଉ ବ୍ୟାପିନଥିବ ଏବଂ ପରିସ୍ଥିତିରେ ଉନ୍ନତି ଘଟିଥିବ ସେହି ଅଞ୍ଚଳରେ କଟକଣାକୁ କୋହଳ କରାଯିବ ଏବଂ ଆତ୍ୟାବଶ୍ୟକ କାର୍ଯ୍ୟ ପାଇଁ ଅନୁମତି ଦିଆଯିବ। ତେବେ ଆସନ୍ତାକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏସଂପର୍କରେ ଏକ ପୂର୍ଣ୍ଣାଙ୍ଗ ଗାଇଡଲାଇନ୍‌ ଜାରି କରାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଘୋଷଣା କରିବା ପୂର୍ବରୁ ଓଡ଼ିଶା ସମେତ ଅନେକ ରାଜ୍ୟ ଲକ ଡାଉନକୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇ ସାରିଥିଲେ। ପ୍ରଧାନମନ୍ତ୍ରୀ ଆଜି ତାଙ୍କର ଉଦବୋଧନରେ କହିଥିଲେ ଯେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ ସହିତ ବ୍ୟାପକ ବିଚାରବିମର୍ଶ ପରେ ଲକ୍‌ଡାଉନ୍ ବଢ଼ାଇବାକୁ ନିଷ୍ପିତ୍ତି ନିଆଯାଇଛି। ତେବେ ସେ ତାଙ୍କ ଉଦବୋଧନରେ କୌଣସି ଅର୍ଥନୈତିକ ଯୋଜନା କିମ୍ବା ପ୍ୟାକେଜ ଘୋଷଣା କରି ନାହାନ୍ତି। ଲକ୍‌ଡାଉନ୍ ପରେ ଅର୍ଥନୀତି ଅବସ୍ଥା ବହୁତ ଖରାପ ‌ହୋଇଯାଇଛି ଏବଂ ଲକ୍ଷ ଲକ୍ଷ ଲୋକ ରୋଜଗାର ହରାଇଛନ୍ତି। ଅନେକ ଶିଳ୍ପ ସଂସ୍ଥା, କାରଖାନା ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ହୋଇଯାଇଥିବାରୁ ଅସଂଗଠିତ କ୍ଷେତ୍ରର ହଜାର ହଜାର ଲୋକ କାମ ହରାଇ ଭୋକ ଉପାସରେ ଦିନ କାଟୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଓ ଅନେକ ବ୍ୟବସାୟୀ ସଂଗଠନ ସ୍ବତନ୍ତ୍ର ପ୍ୟ‌ାକେଜ ପାଇଁ ଦାବି କରିଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ଏସଂର୍କରେ କୌଣସି ସୂଚନା ଦେଇନଥିଲେ। ସେ କେବଳ କହିଥିଲେ ଯେ ଆସନ୍ତା ୨୦ ତାରିଖ ପରେ ଯେଉଁ କଟକଣା ‌କୋହଳ କରାଯିବ ସେଥିରେ ମଜୁରିଆ, ଶ୍ରମିକ, ଫାର୍ମ ଏବଂ ଅତ୍ୟାବଶ୍ୟକ ସେବା ଉପରେ ଗୁରୁତ୍ବ ଦିଆଯିବ। ଏହି କ୍ଷେତ୍ର ଉପରେ ପଡ଼ୁଥିବା ‌ବୋଝକୁ ହାଲୁକା କରିବାକୁ ଉଦ୍ୟମ କରାଯିବ।

ତାଙ୍କର ୨୫ ମିନିଟ୍‌ର ଭାଷଣରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ପ୍ରଶଂସା କରି କହିଥିଲେ ଯେ କଷ୍ଟ ସତ୍ତ୍ବେ ସେମାନେ କଟକଣା ପାଳନ କରିଛନ୍ତି। ସେମାନେ ସେମାନଙ୍କର ଦୃଢ଼ ଇଚ୍ଛାଶକ୍ତିର ପ୍ରଦର୍ଶନ କରିଛନ୍ତି। ନୂଆ ଅଞ୍ଚଳକୁ ଯେପରି ଏହି ରୋଗ ନବ୍ୟାପେ ସେଥିଲାଗି ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍ ପାଳନ କରିବେ। ମୋଦୀ କହିଲେ ଯେ ଲକ୍‌ଡାଉନ୍ କରି ନଥିଲେ ଦେଶରେ ଆଜି ପରିସ୍ଥିତି ବିପଜ୍ଜନକ ହୋଇପଡ଼ିଥାନ୍ତା। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ପାଇଁ ୭ ଦଫା ପରାମର୍ଶ ମଧ୍ୟ ଦେଇଛନ୍ତି। ସାମାଜିକ ଦୂରତ୍ବ, ବୟସ୍କ ଓ ଗରିବଙ୍କ ଯତ୍ନ ନେବା, ଚାକିରୀ ସୁରକ୍ଷା ଏବଂ କରୋନାର ମୁକାବିଲାରେ ଲାଗିଥିବା ଡାକ୍ତର ତଥା ଅନ୍ୟାନ୍ୟ କର୍ମୀଙ୍କୁ ଆକ୍ରମଣ ନକରିବା ଲାଗି ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର