୩୧ ଯାଏ ବଢ଼ିଲା ଲକ୍‌ଡାଉନ୍-୪

ନୂଆଦିଲ୍ଲୀ : ଦେଶବ୍ୟାପୀ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାର ଲକ୍ ଡାଉନ୍ ଅବଧିକୁ ଚତୁର୍ଥ ଥର ଲାଗି ବୃଦ୍ଧି କରିଛନ୍ତି। ଏହା ଆସନ୍ତା ୩୧ ପର୍ଯ୍ୟନ୍ତ ଜାରି ରହିବ। ତେବେ ଏହି ପର୍ଯ୍ୟାୟରେ ଅନେକ କଟକଣାକୁ କୋହଳ କରାଯିବା ସହିତ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଅନେକ କ୍ଷମତା ମଧ୍ୟ ଦିଆଯାଇଛି। ପରିସ୍ଥିତିର ଆବଶ୍ୟକତା ଅନୁଯାୟୀ ରେଡ୍ ଜୋନ, ଅରେଞ୍ଜ ଜୋନ୍ ଏବଂ ଗ୍ରିନ ଜୋନ୍ ନିର୍ଣ୍ଣୟ କରିବା ଲାଗି ରାଜ୍ୟ ସରକାରମାନଙ୍କୁ କ୍ଷମତା ଦିଆଯାଇଛି। ତେବେ କେନ୍ଦ୍ର ସରକାର ସ୍ପଷ୍ଟ କରିଦେଇଛନ୍ତି ‌ଯେ କଣ୍ଟେନମେଣ୍ଟ୍ ଜୋନରେ ଅତ୍ୟାବଶ୍ୟକ ସେବା ଛଡ଼ା ଅନ୍ୟ କୌଣସି କାର୍ଯ୍ୟକୁ ଅନୁମତି ମିଳିବ ନାହିଁ। ବସ୍ ଓ ଅନ୍ୟ ଯାତ୍ରୀ ଗାଡ଼ି ଚଳାଚକୁ ଅନୁମତି ପ୍ରଦାନ କରିଛନ୍ତି। ବିମାନ ସେବା, ମେଟ୍ରୋ ରେଲ୍, ସପିଂ ମଲ, ଜିମ୍, ସିନେମା ହଲ୍, ସୁଇମିଂ ପୁଲ୍, ପାର୍କ, ବାର୍, ଅଡିଟରିୟମ, ହେ‌ାଟେଲ, ରେସ୍ତୁରାଁ, ସ୍କୁଲ କଲେଜ ଏବଂ ରାଜନୈତିକ, ସାମାଜିକ ତଥା ଧାର୍ମିକ ‌ସମାବେଶ ଉପରେ କଟକଣା ଜାରି ରହିବ। ଏପରିକି ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ମଧ୍ୟ ରହିବ। ତେବେ ସମସ୍ତ ଅଫିସ, ଦୋକାନ ଓ ଶିଳ୍ପ ସଂସ୍ଥା ଖୋଲିବ, କିନ୍ତୁ ସେମାନଙ୍କୁ ଗାଇଡଲାଇନ୍ସ ମାନିବାକୁ ପଡ଼ିବ। ସନ୍ଧ୍ୟା ୭ରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ କଟକଣା ପୂର୍ବଭଳି ଜାରି ରହିବ। ଦିନ ‌ସମୟରେ ଲୋକମାନଙ୍କ ଗତିବିଧିକୁ ଅନୁମତି ପ୍ରଦାନ କରାଯାଇଛି। ତେବେ ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଘରୁ ନବାହାରିବା ଲାଗି କୁହାଯାଇଛି।

ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ ଘୋଷଣା ପରେ ସ୍ବରାଷ୍ଟ୍ର ବିଭାଗ ପକ୍ଷରୁ ଆଜି ସନ୍ଧ୍ୟାରେ ଜାରି ଗାଇଡଲାଇନ୍ସରେ କୁହାଯାଇଛି ଯେ ରାଜ୍ୟ ଭିତରେ ଏବଂ ଦୁଇ ରାଜ୍ୟ ଭିତରେ ବସ୍ ଓ ଅନ୍ୟ ସାଧାରଣ ଯାତ୍ରୀ ଗାଡ଼ି ଚଳାଚଳକୁ ଅନୁମତି ପ୍ରଦାନ କରାଯାଇଛି। ତେ‌ବେ ଏଥିଲାଗି ରାଜ୍ୟ ସରକାରଙ୍କର ଅନୁମତି ଦରକାର। କଣ୍ଟେନମେଣ୍ଟ ଜୋନ୍ ଛାଡ଼ି ଅନ୍ୟ ସବୁ ଅଞ୍ଚଳରେ ବସ୍ ଚଳାଚଳ କରିପାରିବ। ସମସ୍ତ ଦୋକାନ ଏବଂ ବଜାର ଖୋଲିପାରିବ। କିନ୍ତୁ ଚୂଡାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେବେ। ସେଲୁନ ଏବଂ ଇ-କମର୍ସ କାର୍ଯ୍ୟକଳାପ ଉପରୁ ମଧ୍ୟ କଟକଣା ହଟାଇ ଦିଆଯାଇଛି।

ଲକ୍‌ଡାଉନ୍‌ର ପ୍ରଥମ ପର୍ଯ୍ୟାୟ ୨୫ ମାର୍ଚରୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ଥିଲା। ୧୫ ଏପ୍ରିଲରୁ ୩ ମେ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ୨ ଏବଂ ୪ ମେ’ରୁ ୧୭ ମେ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ୩ କାର୍ଯ୍ୟକାରୀ ହୋଇଥିଲା।

ଇତିମଧ୍ୟରେ ଦେଶରେ କରୋନା ସଂକ୍ରମଣ ମାମଲା ୯୧ ହଜାର ଅତିକ୍ରମ କରିଯାଇଥିବା ବେଳେ ୨୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।

ଖୋଲିବ
ସେଲୁନ, ସ୍ପା, ମଦ ଦୋକାନ, ଚା’ ଦୋକାନ, ପାନ/ସିଗାରେଟ୍‌ ଦୋକାନ, ହସ୍ପିଟାଲ ଓପିଡି, କ୍ଲିନିକ୍, ଅଟୋ, ଟାକ୍ସି ଗଡ଼ିବ, ସହରାଞ୍ଚଳରେ ଗୋଟିକିଆ ଦୋକାନ, ଯାତ୍ରୀବାହୀ ଯାନ ଓ ବସ୍‌ର ଅନ୍ତଃରାଜ୍ୟ ପରିବହନ
(ଅବରୋଧ ଅଞ୍ଚଳ ବ୍ୟତୀତ)

ବନ୍ଦ ରହିବ
ବିମାନସେବା, ମେଟ୍ରୋ ରେଳ ସେବା, ସ୍କୁଲ, କଲେଜ,କୋଚିଂ ସଂସ୍ଥା, ହୋଟେଲ, ରେସ୍ତୋରାଁ, ସିନେମା ହଲ୍‌, ମଲ୍‌, ଜିମ୍‌, ସ୍ବିମିଂ ପୁଲ୍‌, ପାର୍କ, ଥି‌ଏଟର, ବାର୍, ଅଡିଟୋରିୟମ, ସାମାଜିକ, ରାଜନୈତିକ, କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବ, ଧାର୍ମିକସ୍ଥଳୀ

ଅନ୍ୟାନ୍ୟ ମାର୍ଗଦର୍ଶିକା
ଯଥାସମ୍ଭବ ଘରୁ କାମ କରିବା ଅଭ୍ୟାସ ଜାରି ରହିବ।
କାର୍ଯ୍ୟସ୍ଥଳୀ, ଦୋକାନ, ମାର୍କେଟ, ଶିଳ୍ପ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ସିଫ୍ଟ ଅନୁସାରେ ଭାଗ କରାଯିବ।

ସମ୍ବନ୍ଧିତ ଖବର