ଲକ୍‌ଡାଉନ୍ ୪.୦ନେଇ ପୂରା ତଥ୍ୟ : ଜାଣନ୍ତୁ କେଉଁ ସବୁ କାର୍ଯ୍ୟକଳାପକୁ ଅନୁମତି ନାହିଁ; କଟକଣା ସହ ହୋଇପାରିବ କେଉଁ ସବୁ କାର୍ଯ୍ୟ

ରାଜ୍ୟର ସହମତିରେ ଅନ୍ତଃ-ରାଜ୍ୟ ଯାତ୍ରୀବାହୀ ଯାନ ଏବଂ ବସ୍ ଆଦି ଚଳାଚଳ କରାଯାଇ ପାରିବ

ନୂଆଦିଲ୍ଲୀ: ଦେଶରେ ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ର ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ଜାରି ହୋଇଥିବା ଲକ୍‌ଡାଉନକୁ କେନ୍ଦ୍ର ସରକାର ଆଜି ଚତୁର୍ଥ ପର୍ଯ୍ୟାୟରେ ଆଉ ୧୪ ଦିନ ପାଇଁ ବଢ଼ାଇ ଦେଇଛନ୍ତି। ଫଳରେ ଆସନ୍ତା ମେ ୩୧ ତାରିଖ ରବିବାର ପର୍ଯ୍ୟନ୍ତ ସମଗ୍ର ଦେଶରେ ଲକ୍‌ଡାଉନ ବଳବତ୍ତର ରହିବ ବୋଲି ଆଜି ସନ୍ଧ୍ୟାରେ କେନ୍ଦ୍ର ସରକାରଙ୍କର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ନିର୍ଦ୍ଦେଶନାମାରେ ଘୋଷଣା କରାଯାଇଛି। ଆଜି ମଧ୍ୟରାତ୍ରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ବରୁ ଜାରି କରାଯାଇଥିବା ତୃତୀୟ ପର୍ଯ୍ୟାୟ ବା ୩.୦ ଲକ୍‌ଡାଉନର ଅବଧି ଶେଷ ହେଉଥିଲା। କିନ୍ତୁ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ୩.୦ ଲକ୍‌ଡାଉନର ଅବଧି ଶେଷହେବା ପୂର୍ବରୁ ଆଜି ସରକାର ୪.୦ ଲକ୍‌ଡାଉନ୍‌ ପାଇଁ ଘୋଷଣା କରିଛନ୍ତି। ଅବଶ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୨ ତାରିଖରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ଏହି ୪.୦ ଲକ୍‌ଡାଉନ ସଂପର୍କରେ ସୂଚନା ଦେଇଥିଲେ। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ପ୍ରଧାନମନ୍ତ୍ରୀ ମୋଦୀ କରୋନା ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ ସମଗ୍ର ଦେଶରେ ଲକ୍‌ଡାଉନ ୧.୦କୁ ମାର୍ଚ୍ଚ ୨୪ ମଧ୍ୟରାତ୍ରରୁ ୧୩ ଅପ୍ରେଲ ମଧ୍ୟରାତ୍ର; ୧୪ ଅପ୍ରେଲରୁ ମେ ୩ ପର୍ଯ୍ୟନ୍ତ ଲକ୍‌ଡାଉନ ୨.୦; ମେ ୪ରୁ ମେ ୧୭ ପର୍ଯ୍ୟନ୍ତ ଲକ୍‌ଡାଉନ ୩.୦ ଘୋଷଣା କରିଥିଲେ। ଯାହାକୁ ଆଜି ଲକ୍‌ଡାଉନ ୪.୦ ମାଧ୍ୟମରେ ମେ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରି ଦେଇଛନ୍ତି।

ମେ ମାସ ଶେଷ ପର୍ଯ୍ୟନ୍ତ ନିମ୍ନଲିଖିତ କ୍ଷେତ୍ରମାନଙ୍କ ଉପରେ କଟକଣା ଲାଗୁ କରାଯିବ:

୧. ଘରୋଇ ଡାକ୍ତରୀ ସେବା, ଘରୋଇ ଏୟାର୍ ଆମ୍ବୁଲାନ୍‌ସ୍ ଏବଂ ସୁରକ୍ଷା ଉଦ୍ଦେଶ୍ୟରେ କିଂବା ଗୃହ ମନ୍ତ୍ରାଳୟ ଦ୍ବାରା ଅନୁମତିପ୍ରାପ୍ତ ‌ଉଦ୍ଦେଶ୍ୟ ବ୍ୟତିରେକେ ସମସ୍ତ ଘରୋଇ ଏବଂ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ସେବା ବନ୍ଦ ରହିବ।

୨. ମେଟ୍ରୋ ସେବା ବନ୍ଦ ରହିବ।

୩. ସ୍କୁଲ୍, କଲେଜ, ଶିକ୍ଷା/ତାଲିମ/କୋଚିଙ୍ଗ୍ ପ୍ରତିଷ୍ଠାନ ପ୍ରଭୃତି ବନ୍ଦ ରହିବ। କିନ୍ତୁ, ଅନ୍‌ଲାଇନ୍/ପତ୍ର ମଧ୍ୟମ ଶିକ୍ଷା ଚାଲି ଅନୁମତି ରହିଛି ଏବଂ ସେସବୁକୁ ଉତ୍ସାହିତ କରାଯିବ।

Image Source: India Today

୪. ସ୍ବାସ୍ଥ୍ୟ/ପୁଲିସ/ସରକାରୀ କର୍ମଚାରୀ/ସ୍ବାସ୍ଥ୍ୟସେବା କର୍ମୀ/ପର୍ଯ୍ୟଟକଙ୍କ ସମେତ ଅଟକି ଯାଇଥିବା ବ୍ୟକ୍ତି ଏବଂ କ୍ବାରେଣ୍ଟିନ୍ ପାଇଁ ଥିବା ପ୍ରତିଷ୍ଠାନ, ବସ୍ ଷ୍ଟାଣ୍ଡ୍‌, ରେଳଷ୍ଟେସନ୍ ଏବଂ ବିମାନ ବନ୍ଦରରେ ଚାଲୁଥିବା କ୍ୟାଣ୍ଟିନ୍‌ଗୁଡ଼ିକ ବ୍ୟତୀତ ବାକି ସମସ୍ତ ହୋଟେଲ୍, ରେସ୍ତୋଁରା ଏବଂ ଅନ୍ୟାନ୍ୟ ଆତିଥେୟ ସେବା ପ୍ରଦାନକାରୀ ପ୍ରତିଷ୍ଠାନ ବନ୍ଦ ରହିବ। କିନ୍ତୁ, ଘରେ ଖାଦ୍ୟ ଡେଲିଭରି ଦେବା ନିମନ୍ତେ ରେସ୍ତୋଁରାମାନଙ୍କୁ ରୋଷେଇ ଘର ଖୋଲି ରୋଷେଇ କରିବାକୁ ଅନୁମତି ମିଳିବ।

୫. ସମସ୍ତ ସିନେମା ହଲ୍, ସପିଙ୍ଗ୍ ମଲ୍, ଜିମ୍‌ନାସିୟମ୍, ସୁଇମିଙ୍ଗ୍ ପୁଲ୍, ପ୍ରମୋଦ ଉଦ୍ୟାନ, ଥିଏଟର୍, ବାର୍ ଏବଂ ଅଡିଟରିୟମ୍, ସମ୍ମେଳନ ଗୃହ ଏବଂ ସେ ପ୍ରକାର ସ୍ଥାନଗୁଡ଼ିକ ବନ୍ଦ ରହିବ। କ୍ରୀଡ଼ା ପରିସର ଏବଂ ଷ୍ଟାଡିୟମ୍‌ ଖୋଲିବାକୁ ଅନୁମତି ମିଳିବ। କିନ୍ତୁ, ଦର୍ଶକମାନଙ୍କୁ ଛଡ଼ାଯିବ ନାହିଁ।

୬. ସମସ୍ତ ସାମାଜିକ/ରାଜନୈତିକ/କ୍ରୀଡ଼ା/ମନୋରଞ୍ଜନ/ଶିକ୍ଷା ସମ୍ବନ୍ଧୀୟ/ସାଂସ୍କୃତିକ/ଧାର୍ମିକ ଉତ୍ସବ/ ଅନ୍ୟାନ୍ୟ ଜନସମାବେଶ ଏବଂ ବଡ଼ ଜନଗହଳି ପାଇଁ ଅନୁମତି ମିଳିବ ନାହିଁ।

୭. ସମସ୍ତ ଧାର୍ମିକ ପୀଠ/ଉପାସନା ସ୍ଥଳୀ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ। ଧାର୍ମିକ ସମାବେଶ କଡ଼ାକଡ଼ି ବାରଣ କରାଯାଇଛି।

କଣ୍ଟେନ୍ମେଣ୍ଟ୍‌ ଜୋନ୍ ବ୍ୟତୀତ ଅନ୍ୟ ଅଞ୍ଚଳରେ କଟକଣା ସହ ନିମ୍ନଲିଖିତ କେତେକ କାର୍ଯ୍ୟକଳାପ ପାଇଁ ଅନୁମତି ମିଳିବ:

୧. ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କର ସହମତିରେ ଅନ୍ତଃ-ରାଜ୍ୟ ଯାତ୍ରୀବାହୀ ଯାନ ଏବଂ ବସ୍ ଆଦି ଚଳାଚଳ କରାଯାଇ ପାରିବ।

୨. ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ନି‌ଷ୍ପତ୍ତି ଅନୁସାରେ, ରାଜ୍ୟ ମଧ୍ୟରେ ଯାତ୍ରୀବାହୀ ଯାନ ଏବଂ ବସ୍ ଚଳାଚଳ କରିପାରିବ।

୩. ବ୍ୟକ୍ତିବିଶେଷଙ୍କ ଚଳାଚଳ ନିମନ୍ତେ କ୍ରୋଡ଼ପତ୍ର-୧ରେ ଉଲ୍ଲେଖ କରାଯାଇଥିବା ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ୍ ପ୍ରୋସିଜ୍ୟୋର୍ (ଏସ୍‌ଓପି) ପୂର୍ବବତ୍ କାଏମ ରହିବ।

ସମ୍ବନ୍ଧିତ ଖବର