ଆସନ୍ତା କାଲି ଘୋଷଣା ହୋଇପାରେ ୫ମ ପର୍ଯ୍ୟାୟ ଲକଡାଉନ, ଖୋଲିପାରେ ସପିଂମଲ, ହୋଟେଲ ଓ ରେସ୍ତୋରାଁ

ନୂଆଦିଲ୍ଲୀ : ଆସନ୍ତା କାଲି ଦେଶରେ ୪ର୍ଥ ପର୍ଯ୍ୟାୟ ଲକଡାଉନ ଶେଷ ହେବ । ଦେଶରେ କରୋନା ମାମଲା ବଢିଚାଲିଥିବାରୁ ସରକାର ୫ମ ପର୍ଯ୍ୟାୟ ଲକଡାଉନ ଘୋଷଣା କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । କିନ୍ତୁ ଏଥରର ଲକଡାଉନ ପୂର୍ବ ଲକଡାଉନଗୁଡ଼ିକ ତୁଳନାରେ ଟିକିଏ ଭିନ୍ନ ହେବ ।

ମିଳିଥିବା ସୂଚନା ଅନୁସାରେ ୫ମ ପର୍ଯ୍ୟାୟ ଲକଡାଉନକୁ ଆଉ ଟିକିଏ କୋହଳ କରାଯିବ । ଏହା ସାରା ଦେଶରେ ଲାଗୁ ନହୋଇ କେବଳ ୧୩ଟି ସହରରେ ଲାଗୁ ହେବ । ଦେଶର ମୋଟ କରୋନା ମାମଲାର ଏକ ବଡ଼ ଭାଗ ଏହି ୧୩ଟି ସହରରେ ରହିଛି । ଏହି ସହରଗୁଡ଼ିକ ହେଲେ ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ, ଅହମଦାବାଦ, ଥାନେ, ପୁନେ, କୋଲକତା, ଇନ୍ଦୋର, ହାଇଦ୍ରାବାଦ, ଜୟପୁର, ଯୋଧପୁର,ତିରୁଭଲ୍ଲୁର ଓ ଚେଙ୍ଗଲପଟ୍ଟୁ । ସରକାରୀ ସୂଚନା ଅନୁସାରେ ଦେଶର ମୋଟ ସଂକ୍ରମଣ ସଂଖ୍ୟାର  ପ୍ରାୟ ୯୦ ପ୍ରତିଶତ ମାମଲା ୧୦ଟି ରାଜ୍ୟ ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ, ତାମିଲନାଡ଼ୁ ଓ ମଧ୍ୟପ୍ରଦେଶ,ରାଜସ୍ଥାନ,ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର ଓ କର୍ଣାଟକରେ ସୀମିତ ରହିଛି । ଏହାକୁ ଦେଖି ନୂଆ ଗାଇଡଲାଇନ ପ୍ରସ୍ତୁତ କରାଯାଇଛି ।

ଏହି ୧୩ଟି ସହରକୁ ଛାଡ଼ିଦେଲେ ସାରା ଦେଶରେ ଜୀବନଯାତ୍ରା ପ୍ରାୟତଃ ସ୍ବାଭାବିକ ରହିବ । ଜୁନ ୧ରୁ ହୋଟେଲ, ସପିଂ ମଲ ଓ ରେସ୍ତୋରାଁ ଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯିବ । ସାଧାରଣ ପରିବହନ ବ୍ୟବସ୍ଥାକୁ ଆଉ ଟିକିଏ ଖୋଲିଦିଆଯିବ । କିନ୍ତୁ  ମେଟ୍ରୋ ରେଳ ସେବା ବନ୍ଦ ରହିବ । ତେବେ ପରିସ୍ଥିତି ଅନୁସାରେ ଲକଡାଉନକୁ କୋହଳ କରିବା କିମ୍ବା କଡ଼ାକଡ଼ି କରିବାକୁ ରାଜ୍ୟ ସରକାରଙ୍କୁ ଅନୁମତି ଦିଆଯିବ ।

ଏହି ନୂଆ ଲକଡାଉନ ଓ ତାହାର ଗାଇଡଲାଇନ ସଂପର୍କରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ମନକୀ ବାତ କାର୍ଯ୍ୟକ୍ରମରେ ସୂଚନା ଦେଇପାରନ୍ତି ।

ସମ୍ବନ୍ଧିତ ଖବର