ଘରକୁ ଫେରିବା ପାଇଁ ଚାଲିଚାଲି କାହାର ପାଦରୁ ରକ୍ତ ବାହାରୁଛି ତ, ଆଉ କାହାର ଛାଲ ଛାଡ଼ିଗଲାଣି; ଏଭଳି ଯନ୍ତ୍ରଣାକୁ କିଭଳି ପ୍ରକାଶ କରିବୁ ବୋଲି କହିଲେ ପ୍ରବାସୀ ଶ୍ରମିକ

ଭରତପୁର: କରୋନା ଲକ୍‌ଡାଉନ୍‌ ସମୟରେ ରାଜସ୍ଥାନରୁ ଉତ୍ତରପ୍ରଦେଶ-ବିହାର ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ଯନ୍ତ୍ରଣା ଥମିବା ନାମ ନେଉ ନାହିଁ। ସରକାରଙ୍କ ପକ୍ଷରୁ ବସ୍‌, ଟ୍ରେନ୍‌ ଆଦି ପରିବହନର ସାଧନ ନ ମିଳିବାରୁ ଉପାୟ ନପାଇ ଗରିବ ଶ୍ରମିକମାନେ ପାଦରେ କିମ୍ବା ସାଇକେଲ ଚଳାଇ ଘରକୁ ବାହୁଡ଼ିବା ପାଇଁ ଚେଷ୍ଟା କରୁଛନ୍ତି। ଶହଶହ କିଲୋମିଟର ଅତିକ୍ରମ କରି ଆସିଥିଲେ ବି ଏବେ ଶ୍ରମିକଙ୍କ ଘର ଆହୁରି ଶହଶହ କିଲୋମିଟର ବାକି ରହିଛି।

ରାଜସ୍ଥାନର ଯୋଧପୁର, ଜୟପୁର, ଅଜମେର ଆଦି ସହରରୁ ବିହାର ଓ ଉତ୍ତରପ୍ରଦେଶ ଫେରୁଥିବା ଶ୍ରମିକ ଭରତପୁରରେ ବିଶ୍ରାମ ପାଇଁ ଅଟକି ଥିବା ବେଳେ ସେମାନଙ୍କ ଯନ୍ତ୍ରଣାର ଏକ ଫଟୋ ସାମ୍ନାକୁ ଆସିଛି। ରାଜସ୍ଥାନର ଭରତପୁର ଉତ୍ତରପ୍ରଦେଶ ସୀମାକୁ ଲାଗି ରହିଛି। ରାଜସ୍ଥାନରୁ ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶରୁ ପାଦରେ ଚାଲିଚାଲି ଆସିଥିବା ଶ୍ରମିକଙ୍କ ଅବସ୍ଥା ଦେଖିଲେ ଆପଣଙ୍କ ହୃଦୟ ବି ତରଳି ଯିବ। ଭାବିବାକୁ ବାଧ୍ୟ ହେବେ, ପାଦର ଏଭଳି ଅବସ୍ଥାରେ ଏହି ଶ୍ରମିକମାନେ କିପରି ରାସ୍ତାରେ ଚାଲିଚାଲି ଯାଉଛନ୍ତି।

NBT

ଶହଶହ କିଲୋମିଟର ଚାଲିବା ପରେ ଏହି ଶ୍ରମିକଙ୍କ ପାଦ ତଳେ ଫଟକା ହୋଇ ଘା’ ହୋଇ ଗଲାଣି। ଏହି ଯନ୍ତ୍ରଣା ତାଙ୍କର ଅସହ୍ୟ ହୋଇପଡ଼ିଛି। ଶ୍ରମିକଙ୍କୁ ଏଭଳି ଅବସ୍ଥାରେ ଚାଲିବା ତ ଦୂରର କଥା ଛିଡ଼ା ହେବାକୁ ବି ସେମାନେ ସକ୍ଷମ ହେଉ ନାହାନ୍ତି। ଉପରୋକ୍ତ ଫଟୋ ଟି ଉତ୍ତରପ୍ରଦେଶ ଗୋଣ୍ଡା ନିବାସୀ ହୁସେନ୍‌ଙ୍କର ବୋଲି ଜଣାପଡ଼ିଛି।

NBT

ଦିନ-ରାତି ଏକାଠି କରି ଚାଲିଚାଲି ରାସ୍ତାରେ ଯେଉଁଠାରେ ଛାଇ ମିଳୁଛି ସେଠାରେ ବିଶ୍ରାମ ପାଇଁ ଶ୍ରମିକମାନେ ଅଟକି ଯାଉଛନ୍ତି । ଚାଲିଚାଲି ପାଦରୁ ଛାଲ ଛାଡ଼ି ରକ୍ତ ବି ବୋହୁଛି। ଏହା ସତ୍ତ୍ୱେ ଘରେ ପହଞ୍ଚିବା ଲକ୍ଷ୍ୟ ରଖି ପାଦରେ କପଡ଼ା ବାନ୍ଧି ପୁଣି ଚାଲିବା ଆରମ୍ଭ କରୁଛନ୍ତି ଶ୍ରମିକମାନେ।

NBT

ଉପରୋକ୍ତ ଫଟୋରେ ଦେଖିବାକୁ ମିଳୁଛି, ମା’ ବାପା ସହିତ ଚାଲିଚାଲି ଥକି ପଡ଼ୁଥିବା ଛୁଆମାନେ ରାସ୍ତାରେ ବସି ପଡ଼ୁଛନ୍ତି। ମା’ ପିଲାର ଗୋଡ଼କୁ ଘସି ଆଉ ଘର ଅଳ୍ପ ବାଟ ରହିଲା କହି, ପୁଣି ଥରେ ଚାଲିବା ପାଇଁ ପିଲାର ମନରେ ଶକ୍ତି ଭରି ଦେଉଛି।

ସମ୍ବନ୍ଧିତ ଖବର