ଦେଶ ସାରା ବନ୍ଦ ରହିବ
ବିମାନସେବା, ଟ୍ରେନ୍, ମେଟ୍ରୋ, ଅନ୍ତଃରାଜ୍ୟ ବସ୍ ଚଳାଚଳ
ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ, ହୋଟେଲ୍, ରେସ୍ତୋରାଁ, ସିନେମା ହଲ୍, ମଲ୍ ଓ ଜିମ୍
ଧାର୍ମିକ, ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ସମ୍ମିଳନୀ
ନୂଆଦିଲ୍ଲୀ : କରୋନାର ମୁକାବିଲା ଲାଗି ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନକୁ ଆଉ ୧୪ ଦିନ ପାଇଁ ବଢ଼ାଇ ଦିଆଯାଇଛି। ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। ଏହା ମେ ୧୭ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ ଏଥିରେ ଅନେକ କଟକଣାକୁ କୋହଳ କରାଯାଇଛି। କୋଭିଡ୍-୧୯ ରୋଗର ମୁକାବିଲା ପାଇଁ ଦେଶକୁ ତିନିଟି ଜୋନ୍ରେ ବିଭକ୍ତ କରାଯାଇଛି। ରେଡ୍ ଜୋନରେ କଟକଣାକୁ ପୂର୍ଣ୍ଣମାତ୍ରାରେ ଲାଗୁ କରାଯିବାକୁ ଥିବା ବେଳେ ଅରେଞ୍ଜ ଜୋନରେ କିଛି କୋହଳ କରାଯିବ ଏବଂ ଗ୍ରୀନ ଜୋନରେ କିଛି କଟକଣା ସହିତ ଅନ୍ୟ ସବୁ ପ୍ରକାର କାର୍ଯ୍ୟକଳାପକୁ ଅନୁମତି ପ୍ରଦାନ କରାଯାଇଛି। ଏହାସହିତ ସନ୍ଧ୍ୟା ୭ରୁ ସକାଳ ୭ ଯାଏ ସମସ୍ତ ଅଞ୍ଚଳରେ ଗାଡ଼ି ଚଳାଚଳ ଉପରେ କଟକଣା ରହିବ।
ରେଡ୍ ଜୋନ୍ ବା ଅତି ସ୍ପର୍ଶକାତର ଜିଲ୍ଲାରେ ଦେଶର ୧୩୦ ଜିଲ୍ଲା ରହିଛି। ରାଜ୍ୟର ୮୦% ସକ୍ରିୟ ରୋଗୀ ଥିବା ଜିଲ୍ଲା ଏବଂ ୪ଦିନରେ ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ହୋଇଥିବା ଜିଲ୍ଲା ଗୁଡ଼ିକୁ ଅତି ସ୍ପର୍ଶକାତର ଜୋନ୍ ରୂପେ ଘୋଷଣା କରାଯାଇଛି। ଏହି ଅଞ୍ଚଳଗୁଡ଼ିକରେ ଜୀବନଯାତ୍ରା କଷ୍ଟକର ରହିବ। ଓଡ଼ିଶାର ୩ଟି ଜିଲ୍ଲା ରୋଡ୍ ଜୋନ୍ରେ ରହିଛି। ସେଗୁଡ଼ିକ ହେଲା ଭଦ୍ରକ, ବାଲେଶ୍ଵର ଓ ଯାଜପୁର। ରାଜ୍ୟ ସରକାର ଚାହିଁଲେ ଅନ୍ୟ ଜିଲ୍ଲାକୁ ବି ରେଡ୍ ଜୋନ୍ ରୂପେ ଚିହ୍ନଟ କରିପାରିବେ। ଯେଉଁ ଜିଲ୍ଲାରେ ପୌରନିଗମ ରହିଛି, ସେଠାରେ ପୌରାଞ୍ଚଳ ଗୋଟିଏ ଜୋନ୍ ଏବଂ ଅନ୍ୟ ଅଞ୍ଚଳ ଆଉ ଏକ ଜୋନ୍ ରୂପେ ଗଣା ହେବ। ଏହି ହିସାବରେ ସଂକ୍ରମିତ ଅଞ୍ଚଳ/ ଅବରୋଧ ଅଞ୍ଚଳ ଘୋଷିତ ହେବ। ଏହି ଅବରୋଧ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ବ୍ୟତୀତ ଆଉ କିଛି ସୁବିଧା ମିଳିବ ନାହିଁ। ଧାରା ୧୪୪ ଏଠାରେ ଲାଗୁ କରାଯାଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ଅବରୋଧ ଅଞ୍ଚଳ ବାହାରେ ଥିବା ରେଡ୍ ଜୋନ୍ରେ ସାଇକେଲ୍, ରିକ୍ସା, ଅଟୋରିକ୍ସା, ଟ୍ୟାକ୍ସି, କ୍ୟାବ୍ ଚାଲିପାରିବନି। ସେଲୁନ୍, ସ୍ପା ଖୋଲିବ ନାହିଁ। ଜିଲ୍ଲା ଭିତରେ ଓ ଜିଲ୍ଲା-ଜିଲ୍ଲା ଭିତରେ ବସ୍ ଚାଲିପାରିବ ନାହିଁ। ବୃଦ୍ଧ, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ୍ ବୟସର ଶିଶୁଙ୍କୁ ସବୁ ସମୟରେ ଜଗିରଖିବାକୁ ହେବ।
ରେଡ୍ ଜୋନ୍:- ଏହି ଅଞ୍ଚଳରେ ଡାକ୍ତରଖାନା ବାହ୍ୟରୋଗୀ ବିଭାଗ, କ୍ଲିନିକ୍ ଖୋଲା ରହିବ। ଲକ୍ଡାଉନ୍୨.୦ର ନିୟମାବଳୀ ଅନୁପାଳନ ପୂର୍ବକ ଦୋକାନ ଖୋଲା ରହିବ। ଆବଶ୍ୟକତା ଥିଲେ ଚାରିଚକିଆ ଗାଡ଼ିରେ ଡ୍ରାଇଭରକୁ ମିଶାଇ ୩ ଜଣ ବସି ଯାତାୟତ କରିପାରିବେ। ଏଥିଲାଗି ପୂର୍ବରୁ ଅନୁମତି ନିଆଯାଇଥିବା ଆବଶ୍ୟକ। ଦୁଇଚକିଆ ଗାଡ଼ିରେ କେବଳ ଚାଳକ ହିଁ ଯିବେ। ପଛରେ କେହି ବସିବାର ଅନୁମତି ନାହିଁ। କାରଖାନା, ବ୍ୟାବସାୟିକ ଅନୁଷ୍ଠାନର ଗାଡ଼ି, ଆବଶ୍ୟକ ନିୟମରେ ଚାଲିବ। ଅତ୍ୟାବଶ୍ୟକ ସାମଗ୍ରୀ ପ୍ରସ୍ତୁତି, ଆଇଟି, ହାର୍ଡୱେର ନିର୍ମାଣ କମ୍ପାନୀ ପ୍ରଭୃତି କାର୍ଯ୍ୟ ଜାରି ରଖିବେ। ଗ୍ରାମାଞ୍ଚଳରେ ସମସ୍ତ ନିର୍ମାଣ କାର୍ଯ୍ୟ ଚାଲିବ। ଏମ୍ଏନ୍ଆରଇଜିଏସ୍ କାର୍ଯ୍ୟ, ଖାଦ୍ୟ ପ୍ରକ୍ରିୟାକରଣ କାର୍ଯ୍ୟ, ଇଟା ଭାଟି ଚାଲିବ। ଶପିଂ ମଲ୍କୁ ଛାଡ଼ି ଅନ୍ୟ ସବୁ ଦୋକାନ ଖୋଲା ରହିବ। କୃଷି କାର୍ଯ୍ୟ, କୃଷି ଭିତ୍ତିକ ପରିବହନ ଜାରି ରହିବ। ବିଜୁଳି, ଟେଲିଫୋନ୍, ଇଣ୍ଟରନେଟ୍ ସେବା ପ୍ରଦାନକାରୀ ସଂସ୍ଥାକୁ ଅନୁମତି ରହିଛି।
ଅରେଂଜ ଜୋନ୍:- ଖୋର୍ଦ୍ଧା, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ, ଢେଙ୍କାନାଳ ଓ କଳାହାଣ୍ଡି ଭଳି ଓଡ଼ିଶାର ୬ଟି ଜିଲ୍ଲା ସମେତ ଦେଶର ୨୮୪ଟି ଜିଲ୍ଲା ଏହି ଜୋନ୍ରେ ରହିଛି। ଏହି ସଂବେଦନଶୀଳ ଅଞ୍ଚଳେର ୨୧ ଦିନ ଧରି ଯଦି କୌଣସି ନୂଆ କରୋନା ରୋଗୀଙ୍କ ସୂଚନା ନମିଳେ, ତେବେ ଏହାକୁ ବି ଗ୍ରୀନ୍ ଜୋନ୍ ରୂପେ ଜିଲ୍ଲାପାଳ ଘୋଷଣା କରିପାରିବେ। ଏହି ଜିଲ୍ଲାଗୁଡ଼ିକରେ ରେଡ୍ ଜୋନ୍ର ସମସ୍ତ ଅନୁମତିପ୍ରାପ୍ତ କାର୍ଯ୍ୟକଳାପ ସହ ଟ୍ୟାକ୍ସି, କ୍ୟାବ୍ ଚଳାଚଳ କରିପାରିବ। ସେଥିରେ କେବଳ ଜଣେ ଯାତ୍ରୀ ଓ ଡ୍ରାଇଭର ଯାଇପାରିବେ। ଅନୁମତି ସହିତ ଅନ୍ତଃଜିଲ୍ଲା ଯାତାୟାତ କରାଯାଇପାରିବ। ଏଠାରେ ବାଇକ୍ ପଛରେ କେବଳ ଜଣେ ବସି ଯାଇପାରିବେ।
ଗ୍ରୀନ୍ ଜୋନ୍:- ଓଡ଼ିଶାର ୨୧ ଜିଲ୍ଲା ସମେତ ଦେଶର ୩୧୯ଟି ଜିଲ୍ଲା ସବୁଜ ଜୋନ୍ରେ ରହିଛି। ଏଠାରେ ସମସ୍ତ ବ୍ୟବସାୟ, କାରବାର ପାଇଁ ଅନୁମତି ରହିଛି। କିନ୍ତୁ ଯେଉଁ ବ୍ୟବସାୟ ଓ କାରବାର ଲାଗି ସାରା ଦେଶରେ ପ୍ରତିବନ୍ଧକ ଲାଗିଛି. ତାହାକୁ ଏଠାରେ ଖୋଲା ଯାଇପାରିବ ନାହିଁ। ସମସ୍ତ ପରିବହନ ଯାନ ଚାଲିପାରିବ। ଏଥିଲାଗି କୌଣସି ସ୍ଵତନ୍ତ୍ର ଅନୁମତି ଅନାବଶ୍ୟକ। ଜିଲ୍ଲାରେ, ଜିଲ୍ଲା-ଜିଲ୍ଲା ଓ ରାଜ୍ୟ-ରାଜ୍ୟ ମଧ୍ୟରେ ଏହା ଚଳାଚଳ କରିପାରିବ। ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍ ଚଳାଚଳ କରିପାରିବ।