ବିଭିନ୍ନ ରାଜ୍ୟରେ ଜୁନ୍‌ ୩୦ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌

ମହାରାଷ୍ଟ୍ର‌ରେ ‘ମିସନ୍‌ ବିଗିନ୍‌ ଏଗେନ୍‌’
ଉତ୍ତରପ୍ରଦେଶ, ପଂଜାବ ଏବଂ ତାମିଲନାଡ଼ୁରେ ବି ବଢ଼ିଲା ଲକ୍‌ଡାଉନ୍‌ ଅବଧି

ମୁମ୍ବାଇ : ଦେଶରେ ଏବେ ଅନ୍‌ଲକ୍‌-୧ ପ୍ରକ୍ରିୟା ଆରମ୍ଭ ‌ହୋଇଛି। କେନ୍ଦ୍ର ସରକାର ଏନେଇ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ପର୍ଯ୍ୟାୟ କ୍ରମେ ବିଭିନ୍ନ ରାଜ୍ୟରେ ତାଲା ଖୋଲିବାକୁ ସରକାର ବାଟ ଦେଖାଇଛନ୍ତି। ରାଜ୍ୟମାନଙ୍କୁ କରୋନା ନିୟନ୍ତ୍ରଣ ଦିଗରେ ପଦକ୍ଷେପ ନେବାକୁ କ୍ଷମତା ମିଳିଛି। ତେବେ ସଂକ୍ରମଣ ବଢ଼ି ଚାଲିଥିବା ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌ ଅବଧିକୁ ଜୁନ୍‌ ୩୦ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ମହାରାଷ୍ଟ୍ର ସରକାର ସମଗ୍ର ରାଜ୍ୟରେ ଜୁନ୍‌ ୩୦ ପର୍ଯ୍ୟନ୍ତ ଲକଡାଉନ୍‌ ବଢ଼ାଇଦେଇଛନ୍ତି। ତେବେ ସରକାର କିଛି କଟକଣା କୋହଳ କରିଛନ୍ତି। ପର୍ଯ୍ୟାୟ କ୍ରମେ ମହାରାଷ୍ଟ୍ରରେ କଟକଣା କୋହଳ ହେବ ଏବଂ କରିଥିବା ନୂଆ ଯୋଜନାର ନାମ ରଖିଛନ୍ତି ‘ ମିସନ୍‌ ବିଗିନ୍‌ ଏଗେନ୍‌’। ଯାହା ଜୁନ୍‌ ୩ ତାରିଖରୁ କାର୍ଯ୍ୟକାରୀ ହେବ।

ନୂଆ ନିୟମାବଳୀ ଅଧୀନରେ ଲୋକମାନଙ୍କୁ ଘର ବାହାରେ ଚଲାବୁଲା କରିବା ଓ ସାଇକେଲ୍‌ ଚଳାଇବାକୁ ଅନୁମତି ରହିଛି। ମହାରାଷ୍ଟ୍ର ପରି ପଂଜାବ, ଉତ୍ତରପ୍ରଦେଶ ଓ ତାମିଲନାଡ଼ୁରେ ବି ଲକ୍‌ଡାଉନ୍‌ ଅବଧି ବଢ଼ାଯିବା ସହ କିଛି କଟକଣା କୋହଳ କରାଯାଇଛି। ପଂଜାବରେ ଗୋଷ୍ଠୀ ସଂକ୍ରମଣ ହୋଇଥିବାର ସୂଚନା ସହ ମୁଖ୍ୟମନ୍ତ୍ରୀ ଜୁନ୍‌ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଢ଼ାଇ ଦେଇଛନ୍ତି। ଉତ୍ତରପ୍ରଦେଶ ସରକାର ମଧ୍ୟ ଜୁନ୍‌ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଢ଼ାଇ ଦେଇଛନ୍ତି। କେବଳ ଅବରୋଧ ଅଞ୍ଚଳ ବାହାରେ ପର୍ଯ୍ୟାୟ କ୍ରମେ କଟକଣା କୋହଳ କରାଯିବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଜୁନ୍‌ ୮ ତାରିଖରୁ ଧାର୍ମିକ ସ୍ଥଳ, ହୋଟେଲ୍‌ , ‌ରେସ୍ତୋରାଁ ଏବଂ ସପିଙ୍ଗ୍‌ ମଲ୍‌ ଖୋଲିବ। ଦ୍ବିତୀୟ ପର୍ଯ୍ୟାୟରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଜୁଲାଇରେ ଶିକ୍ଷାନୁଷ୍ଠାନ ଖୋଲିପାରେ। ଉତ୍ତରପ୍ରଦେଶରେ ସମସ୍ତ ସରକାରୀ ଅଫିସ୍‌ ୧୦୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବ। ସକାଳ ୯ରୁ ରାତି ୯ ଯାଏଁ ସମସ୍ତ ଦୋକାନ ବଜାର ସହ ସୁପର ମାର୍କେଟ୍‌ ଖୋଲିବ। ତାମିଲନାଡ଼ୁରେ ମଧ୍ୟ ଜୁନ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ବଢ଼ିଛି।

ସମ୍ବନ୍ଧିତ ଖବର