ଲକ୍‌ଡାଉନ୍‌ କମାଇଛି ପିଲାଙ୍କ ଗଣିତ ଓ ଭାଷାଜ୍ଞାନ ଆହରଣ ଦକ୍ଷତା

ନୂଆଦିଲ୍ଲୀ: ମହାମାରୀ କୋଭିଡ୍‌-୧୯ ପାଇଁ ସତର୍କତାମୂଳକ ପଦକ୍ଷେପ ଭାବେ ସରକାର ଜାରି କରିଥିବା କଟକଣା ପାଇଁ ପ୍ରାୟ ବର୍ଷେ କାଳ ଛାତ୍ରଛାତ୍ରୀମାନେ ନିଜର ଶିକ୍ଷାନୁଷ୍ଠାନକୁ ଯିବାରୁ ବଞ୍ଚିତ ହୋଇଛନ୍ତି। ତେବେ ଏଥିଯୋଗୁଁ ସେମାନେ ଗଣିତ ଓ ଭାଷାଜ୍ଞାନ ଆହରଣ କରିବାର ଦକ୍ଷତା ହରାଇ ବସିଛନ୍ତି ବୋଲି ଏକ ଅଧ୍ୟୟନରୁ ଜଣାଯାଇଛି। ଅଜିମ୍‌ ପ୍ରେମ୍‌ଜୀ ବିଶ୍ବବିଦ୍ୟାଳୟ ଦ୍ବାରା ୫ଟି ରାଜ୍ୟର ୪୪ ଜିଲ୍ଲା ଅନ୍ତର୍ଗତ ୧,୧୩୭ଟି ବିଭିନ୍ନ ସ୍କୁଲ୍‌ର ୧୬,୦୬୭ ଜଣ ପିଲାଙ୍କୁ ସାମିଲ କରାଯାଇ ସଂପନ୍ନ ହୋଇଥିବା ଏହି ଅନୁଧ୍ୟାନରେ ଏଭଳି ନିର୍ଯାସ ମିଳିଛି। ସେଥିରୁ ହାରାହାରି ୯୨ ପ୍ରତିଶତ ବିଦ୍ୟାର୍ଥୀଙ୍କ ଠାରେ ଅତି କମ୍‌ରେ ଗୋଟିଏ ସ୍ବତନ୍ତ୍ର ଭାଷାଜ୍ଞାନ ଆହରଣ କରିବାର ଦକ୍ଷତାରେ ହ୍ରାସ ଘଟିଥିବା ବେଳେ ୮୨ ପ୍ରତିଶତ ଛାତ୍ରଛାତ୍ରୀ ଅତି କମ୍‌ରେ ଗୋଟିଏ ଗାଣିତିକ କୌଶଳ ଆହରଣ କରିବାର ଦକ୍ଷତା ମଧ୍ୟ ହରାଇ ବସିଥିବା ଜଣାଯାଇଛି।
ଏହି ସ୍ବତନ୍ତ୍ର ଭାଷା ଦକ୍ଷତା ମଧ୍ୟରେ କୌଣସି ଛବିକୁ ବର୍ଣ୍ଣନା କରିବା କିମ୍ବା ନିଜର ଅନୁଭୂତିକୁ ଭାଷାରେ ପ୍ରକାଶ କରିବା, ଅତି ପରିଚିତ ଶବ୍ଦ ଲେଖିବା, ବୁଝିପାରି ଲେଖିବା, ଛବିକୁ ଭିତ୍ତି କରି ସରଳ ବାକ୍ୟରେ ଲେଖିବା ଆଦି ରହିଛି।

ଦ୍ବିତୀୟ ଶ୍ରେଣୀର ୯୨%, ତୃତୀୟ ଶ୍ରେଣୀର ୮୯%, ଚତୁର୍ଥ ଶ୍ରେଣୀର ୯୦%, ପଞ୍ଚମ ଶ୍ରେଣୀର ୯୫% ଓ ଷଷ୍ଠ ଶ୍ରେଣୀର ୯୩% ଛାତ୍ରଛାତ୍ରୀ ଅତି କମ୍‌ରେ ଉପରୋକ୍ତ କୌଣସି ଗୋଟିଏ ବିଷୟରେ ପୂର୍ବ ବର୍ଷ ତୁଳନାରେ ଦକ୍ଷତା ହରାଇଥିବା ଜଣାଯାଇଛି। ସେହିପରି ଗଣିତ ଜ୍ଞାନ ଭିତରେ ଏକ ଅଙ୍କ ଓ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ଚିହ୍ନିବା, ମାନସାଙ୍କ ପ୍ରଶ୍ନର ଉତ୍ତର ଦେବା, ଧାରା ପକାଇ ସାଧାରଣ ଅଙ୍କର ସମାଧାନ କରିବା, କୌଣସି ତଥ୍ୟର ଉପସ୍ଥାପନା ଓ ଛବିରେ ପ୍ରକାଶ କରିବା ଆଦି ରହିଛି। ତେବେ ଦ୍ବିତୀୟ ଶ୍ରେଣୀର ୬୭%, ତୃତୀୟ ଶ୍ରେଣୀର ୭୬%, ଚତୁର୍ଥ ଶ୍ରେଣୀର ୮୫%, ପଞ୍ଚମ ଓ ଷଷ୍ଠ ଶ୍ରେଣୀର ୮୯% ପିଲା ଅତି କମ୍‌ରେ ଉପରୋକ୍ତ କୌଣସି ଗୋଟିଏ ସ୍ବତନ୍ତ୍ର ବିଭାଗରେ ପୂର୍ବ ବର୍ଷ ତୁଳନାରେ ଦକ୍ଷତା ହରାଇଥିବା ଏହି ସର୍ବେକ୍ଷଣରୁ ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର