ନୂଆଦିଲ୍ଲୀ: ବର୍ଷ ବର୍ଷର ଚେଷ୍ଟା ପରେ ବି ଯାହା ହେଇ ପାରୁ ନଥିଲା କିଛି ଦିନର ଲକ୍ଡାଉନ୍ ତାହା କରି ଦେଖାଇଲା। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଗଙ୍ଗା ନଦୀକୁ ସଫା କରିବାକୁ ସରକାର ପୂର୍ବରୁ ଅନେକ ବାର ଚେଷ୍ଟା କରି ବିଫଳ ହୋଇଥିଲେ ହେଁ ଲକ୍ଡାଉନ୍ ହେତୁ କିନ୍ତୁ ତାହା ସମ୍ଭବ ହୋଇପାରିଛି। ଲକ୍ଡାଉନ୍ ହେତୁ ଲୋକ ଘରୁ ବାହାରିବା ବନ୍ଦ କରି ଦେବା ପରେ ଗଙ୍ଗା ନଦୀ ଆଶାତୀତ ଭାବେ ପ୍ରଦୂଷଣ ମୁକ୍ତ ହୋଇଛି।
ସେଣ୍ଟ୍ରାଲ୍ ପଲ୍ୟୁସନ୍ କଣ୍ଟ୍ରୋଲ୍ ବୋର୍ଡ ଅନୁଯାୟୀ, ଗଙ୍ଗା ନଦୀ ପାଣି ଏବେ ଗାଧୋଇବା ଉପଯୋଗୀ ହୋଇପାରିଛି। କେବଳ ଗାଧେଇବା ନୁହେଁ, ଏହି ପାଣି ଏବେ ବନ୍ୟପ୍ରାଣୀ ଓ ମତ୍ସ୍ୟଚାଷ ଉପଯୋଗୀ ମଧ୍ୟ ହୋଇପାରିଛି।
ବିଶେଷଜ୍ଞମାନେ କହିଛନ୍ତି ଯେ ଲକ୍ଡାଉନ୍ ପରଠାରୁ ବିଶେଷ କରି ଶିଳ୍ପାଞ୍ଚଳ ନିକଟସ୍ଥ ଗଙ୍ଗାନଦୀ ଜଳ ପୂର୍ବାପେକ୍ଷା ଅଧିକ ପ୍ରଦୂଷଣ ମୁକ୍ତ ହୋଇଛି। ଏନେଇ ପରିବଶେବିତ୍ ମନୋଜ ମିଶ୍ର କୁହନ୍ତି, ‘ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ପାଇଁ ଗଙ୍ଗା ଜଳ କେତେ ମାତ୍ରାରେ ପ୍ରଦୂଷିତ ହୋଇଥାଏ ତାହାକୁ ଗବେଷଣା କରିବା ପାଇଁ ଏହା ସିପିସିବି ପାଇଁ ଏହା ସବୁଠାରୁ ଭଲ ସୁଯୋଗ।’
ପରିବେଶବିତ୍ ବିକ୍ରାନ୍ତଙ୍କ କହିବାନୁଯାୟୀ, ଯେହେତୁ ଶିଳ୍ପାଞ୍ଚଳର ଗଙ୍ଗା ଜଳ ବେଶି ପ୍ରଦୂଷଣ ମୁକ୍ତ ହୋଇପାରିଛି ତେଣୁ ଏଥରୁ ସ୍ପଷ୍ଟ ଯେ କଳକାରଖାନା ଯୋଗୁ ହିଁ ଗଙ୍ଗା ଜଳ ବିଶେଷ ଭାବେ ପ୍ରଦୂଷିତ ହୋଇଥିଲା।