ନୂଆ କୋଭିଡ ଷ୍ଟ୍ରେନର ବ୍ୟାପକ ସଂକ୍ରମଣ କାରଣରୁ ବ୍ରିଟେନ୍‌ରେ ପୁଣି ଲାଗୁ ହେଲା ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ବ୍ରିଟେନରେ ନୂଆ କୋଭିଡ ଷ୍ଟ୍ରେନର ବ୍ୟାପକ ସଂକ୍ରମଣ କାରଣରୁ ଆହୁରି କଠୋର ହୋଇଛି କଟକଣା । ଲଣ୍ଡନରେ କରୋନା କଟକଣାକୁ ଆହୁରି କଡାକଡି କରିବା ଲାଗି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ଲଣ୍ଡନକୁ ଲକଡାଉନ୍ ଘୋଷଣା କରାଯାଇଛି । ରବିବାର ଏଠାରେ ନୂଆ ୫୫ ହଜାର ମାମଲା ସାମ୍ନାକୁ ଆସିଥିଲା । ଏହାପରେ ସୋମବାର ଚିନ୍ତା ପ୍ରକାଶ କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ । ସେଥିପାଇଁ  ଚଳିତମାସରେ ମାଧ୍ୟମିକ ଶିକ୍ଷାନୁଷ୍ଠାନଗୁଡିକ ଖୋଲିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

କରୋନାର ନୂଆ ଷ୍ଟ୍ରେନ୍ ୭୦ ପ୍ରତିଶତ ପର୍ଯ୍ୟନ୍ତ ଦୃତ ବେଗରେ ସଂକ୍ରମିତ ହେଉଛି । ତେଣୁ ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ସହ, ହେଟେଲ, ରେଷ୍ଟୁରାଣ୍ଟ, ବାର ଓ ପବ୍ ଭଳି ଜନଗହଳି ହେଉଥିବା ସ୍ଥାନଗୁଡିକ ଖୋଲିବା ଉପରେ ଶକ୍ତ ପ୍ରତିବନ୍ଧକ ଲଗାଯାଇଛି । ତଥାପି କରୋନାର ସଂକ୍ରମଣ ବ୍ୟାପିବାରେ ଲାଗିଛି । ଏଠାରେ ୭୫ ହଜାରରୁ ଅଧିକ କୋଭିଡ ମୃତ୍ୟୁ ହେଲାଣି, ଯାହା ସମଗ୍ର ୟୁରୋପରେ ଦ୍ୱିତୀୟ ସର୍ବାଧିକ । ତେଣୁ ଆଗକୁ ଆହୁରି କଠିନ ସମୟ ଆସୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ଫେବ୍ରୁୁଆରି ମଧ୍ୟ ଯାଏଁ ପ୍ରତିବନ୍ଧକ ଲାଗି ରହିବ ବୋଲି ସଂକେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ସମ୍ବନ୍ଧିତ ଖବର