ମହାରାଷ୍ଟ୍ରରେ ଲକ୍‌ଡାଉନ୍‌ ଆରମ୍ଭ ସକ୍ରିୟ: ମାମଲାରେ ଅଚାନକ ବୃଦ୍ଧି, ୬ ଦିନ ହେଲା ସଂକ୍ରମଣ ବଢ଼ୁଛି

ରବିବାର ସଂକ୍ରମଣ ୪ ମାସରେ ସର୍ବାଧିକ, ନାଗପୁରରେ ସ୍କୁଲ୍‌, କଲେଜ ବନ୍ଦ

ମୁମ୍ବାଇ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କୋଟିଏ ୧୦ ଲକ୍ଷ ଟପିଯାଇଛି। ମହାରାଷ୍ଟ୍ର ଏବଂ କେରଳ ସମେତ ୫ଟି ରାଜ୍ୟରେ ଲଗାତାର ସଂକ୍ରମଣ ବଢ଼ୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪,୧୯୯ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୮୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦୈନିକ ସଂକ୍ରମଣ ମାମଲା ବଢ଼ିବାରୁ ସକ୍ରିୟ ମାମଲା ମଧ୍ୟ ବଢ଼ୁଛି। ଦେଶରେ ଏବେ ୧,୫୦,୦୫୫ ସକ୍ରିୟ ମାମଲା ରହିଛି। ୨୪ ଘଣ୍ଟାରେ ଦେଶରେ ସକ୍ରିୟ ମାମଲା ୪,୪୨୧ ବୃଦ୍ଧି ହୋଇଛି। ନଭେମ୍ବର ପରେ ଦେଶରେ ସକ୍ରିୟ ମାମଲା ଅଚାନକ ବୃଦ୍ଧି ହୋଇଛି। ମୋଟ୍‌ ସଂକ୍ରମଣ ମାମଲା ୧,୧୦,୦୫,୮୫୦ ଥିବାବେଳେ ୧,୫୬,୩୮୫ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ କେରଳ, ମହାରାଷ୍ଟ୍ର, ପଂଜାବ, ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ଜମ୍ମୁ କାଶ୍ମୀର ଏବେ ଚିନ୍ତାର କାରଣ ପାଲଟିଛି । ଏହିସବୁ ରାଜ୍ୟମାନଙ୍କରେ ସକ୍ରିୟ ମାମଲା ୭୪ ପ୍ରତିଶତରୁ ଅଧିକ ରହିଛି।

ସର୍ବାଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ସଂକ୍ରମଣ ମାମଲା ୨୧ ଲକ୍ଷ ଟପିଛି। ଲଗାତାର ୬ ଦିନ ଧରି ମହାରାଷ୍ଟ୍ରରେ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା‌ ମଧ୍ୟରେ ମହାରାଷ୍ଟ୍ରରେ ୬,୯୭୧ ମାମଲା ଚିହ୍ନଟ ହୋଇଛି। ଏହା ୪ ମାସରେ ସର୍ବାଧିକ ସଂକ୍ରମଣ। ରବିବାର ମୁମ୍ବାଇରେ ୯୨୧ ମାମଲା ଚିହ୍ନଟ ହେବା ସହ ସହରରେ ସମୁଦାୟ ସଂକ୍ରମଣ ମାମଲା ୩,୧୯,୧୨୮ ରହିଛି। ଅନ୍ୟପକ୍ଷେ ମହାରାଷ୍ଟ୍ରରେ ମୋଟ୍‌ ସଂକ୍ରମଣ ସଂଖ୍ୟା ୨୧,୦୦,୮୮୪ ରହିଛି। ମହାରାଷ୍ଟ୍ରର ଅମରାବତୀ ଏବଂ ଅଚଲ୍‌ପୁରରେ ଆଜିଠାରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଜାରି ହୋଇଛି। ୟବତମାଲ୍‌, ଅକୋଲା ଏବଂ ଅକୋଟ୍‌ରେ ଆସନ୍ତାକାଲି ସକାଳ ୬ଟାରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ହେବ। ଅମରାବତୀରେ ଯଦି ଲୋକେ କୋଭିଡ୍‌ ନିୟମ ନମାନନ୍ତି ତେବେ ଲକ୍‌ଡାଉନ୍‌ ପୁଣି ବଢ଼ିବ ବୋଲି ଚେତାବନୀ ଦିଆଯାଇଛି। ସେହିପରି ନାଗ୍‌ପୁରରେ ସଂକ୍ରମଣ ବଢ଼ିବାରୁ ସେଠାରେ ମାର୍ଚ୍ଚ ୭ ପର୍ଯ୍ୟନ୍ତ ସ୍କୁଲ୍‌, କଲେଜ୍‌ ବନ୍ଦ ଘୋଷଣା ହୋଇଛି। ନାଗପୁରରେ ଆଂଶିକ ଲକ୍‌ଡାଉନ୍‌ ଜାରି ରହିଛି। ସପ୍ତାହାନ୍ତରେ ଅଧିକାଂଶ ବଜାର ବନ୍ଦ ରହିବ। ‌ହୋଟେଲ୍‌ ଏବଂ ରେସ୍ତୋରାଁ ଗୁଡ଼ିକ ୫୦ ପ୍ରତିଶତ କ୍ଷମତାରେ ଚାଲିବା ପାଇଁ ନିର୍ଦ୍ଦେଶ ରହିଛି।

କୋଭିଡ୍‌ ସ୍ଥିତି ସମୀକ୍ଷା କଲେ ଗୃହମନ୍ତ୍ରୀ ଅମିତ ଶାହ
ନୂଆଦିଲ୍ଲୀ : କିଛି ରାଜ୍ୟରେ ଅଚାନକ କରୋନା ସଂକ୍ରମଣ ବୃଦ୍ଧି ପରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି ଦେଶର କୋଭିଡ୍‌ ସ୍ଥିତି ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ, ଗୃହ ସଚିବ ଅଜୟ ଭଲ୍ଲା ଏବଂ ଏହି ଦୁଇ ମନ୍ତ୍ରାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ନିକଟରେ ଯେଉଁ ରାଜ୍ୟମାନଙ୍କରେ ଅଚାନକ ସଂକ୍ରମଣ ବୃଦ୍ଧି ହୋଇଛି ସେହି ରାଜ୍ୟମାନଙ୍କର କୋଭିଡ୍‌ ସ୍ଥିତି ସମ୍ପର୍କ‌ରେ ଗୃହମନ୍ତ୍ରୀ ଅମିତ ଶାହ ଅବଗତ ହୋଇଛନ୍ତି। ବୈଠକରେ ଟିକାକରଣ କାର୍ଯ୍ୟକ୍ରମ ଏବଂ କରୋନାକୁ କିଭଳି ମୁକାବିଲା କରିହେବ ସେନେଇ ଆଲୋଚନା ହୋଇଛି। କରୋନା ମୁକାବିଲା ନେଇ କେଉଁ ରାଜ୍ୟମାନଙ୍କୁ ସହଯୋଗ କରାଯିବ ‌ସେନେଇ ମଧ୍ୟ ଆଲୋଚନା ହୋଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ମହାରାଷ୍ଟ୍ର, କେରଳ, ପଂଜାବ, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶ ପରି ରାଜ୍ୟମାନଙ୍କରେ ହଠାତ୍‌ କରୋନା ସଂକ୍ରମଣ ବଢ଼ିଯାଇଛି। ଏହି ରାଜ୍ୟମାନଙ୍କରେ ସଂକ୍ରମଣ ବଢ଼ିବାପରେ ନିୟମ ମଧ୍ୟ କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧିତ ଖବର