ଲଣ୍ଡନ : ସାରା ବିଶ୍ୱରେ କରୋନା ମହାମାରୀର ପ୍ରକୋପ ବଢିଚାଲିଥିବାବେଳେ ଏହାର ମୁକାବିଲା କରିବାକୁ ବିଭିନ୍ନ ଦେଶର ସରକାର ଲକଡାଉନ ଘୋଷଣା କରିଛନ୍ତି । କରୋନାର ଫଳପ୍ରଦ ଔଷଧ କିମ୍ବା ଟିକା ବାହାରି ନଥିବାରୁ ଲକଡାଉନ ହିଁ ଏକମାତ୍ର ବିକଳ୍ପ ବୋଲି କୁହାଯାଉଛି ।
କିନ୍ତୁ ଧୀରେ ଧୀରେ ଲକଡାଉନର ନକାରାତ୍ମକ ଦିଗଟି ଆଗକୁ ଆସିବାରେ ଲାଗିଛି ।
ଲକଡାଉନ ଯୋଗୁଁ ଚିକିତ୍ସା ଅଭାବ, ଜୀବିକା ଅଭାବ, ମାନସିକ ଚାପ, ଚିକିତ୍ସା ଅଭାବ ଆଦି କାରଣରୁ ଅନେକ ଲୋକ ପ୍ରାଣ ହରାଉଥିବା ତଥ୍ୟ ଜଣାପଡ଼ିଛି । ବ୍ରିଟେନରେ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଲକଡାଉନ ଯୋଗୁଁ ମାର୍ଚ୍ଚରୁ ଏପର୍ଯ୍ୟନ୍ତ ପ୍ରାୟ ୨୧ ହଜାର ଲୋକ ପ୍ରାଣ ହରାଇସାରିଲେଣି । ଏହି ଲୋକମାନେ କରୋନା ଆକ୍ରାନ୍ତ ହୋଇନଥିଲେ । ଅଧିକାଂଶ ହସପିଟାଲ କରୋନା ରୋଗୀଙ୍କ ଦ୍ୱାରା ପରିପୂର୍ଣ୍ଣ ଥିବାରୁ ଅନ୍ୟ ରୋଗରେ ପୀଡ଼ିତ ରୋଗୀମାନେ ହସପିଟାଲ ଯାଉନାହାନ୍ତି କିମ୍ବା ଚିକିତ୍ସା ସୁଯୋଗ ପାଉନାହାନ୍ତି ବୋଲି ଟେଲିଗ୍ରାଫ (ୟୁକେ)ରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ।
ବ୍ରିଟେନରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ଥିବାବେଳେ ପ୍ରାୟ ୪୫ ହଜାର ୯୬୧ ଜଣ ଲୋକ ପ୍ରାଣ ହରାଇଛନ୍ତି । କିନ୍ତୁ ଲକଡାଉନ ଯୋଗୁଁ ୨୧ ହଜାର ଲୋକ ପ୍ରାଣ ହରାଇବା ତଥ୍ୟ ଜଣାପଡ଼ିବା ପରେ ବ୍ରିଟିଶ ସରକାରଙ୍କ ଚିନ୍ତା ବଢିଯାଇଛି । ତେବେ ଭାରତରେ ଏପର୍ଯ୍ୟନ୍ତ ଏ ଦିଗରୁ କୌଣସି ସର୍ଭେ ହୋଇନାହିଁ ।