କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକ : ଲକ୍‌ଡାଉନ୍‌ ବଢ଼ାଇବାକୁ ସଙ୍କେତ

ମୋଦୀଙ୍କ ସାମ୍ନାରେ ତିନିଟି ପ୍ରସ୍ତାବ ରଖିଲା ବିଜେଡି, ଦୁଇ ବର୍ଷର ସାଂସଦ ପାଣ୍ଠି ଅର୍ଥ ରାଜ୍ୟକୁ ମିଳୁ

ଦେଶରେ ଏବେ ସାମାଜିକ ଜରୁରୀ ପରିସ୍ଥିତି: ମୋଦୀ
୫ଟି ଦାବି ରଖିଲେ ବିରୋଧୀ ଦଳର ନେତୃବୃନ୍ଦ
୧୧ରେ ମୁଖ୍ୟମନ୍ତ୍ରୀଙ୍କ ସହ ସମ୍ମିଳନୀ‌ ପରେ ଘୋଷଣା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କରୋନା ମୁକାବିଲା ରଣନୀତି ନେଇ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ବିଭିନ୍ନ ବିରୋଧୀ ଦଳର ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନା ବେଳେ ୧୪ ଏପ୍ରିଲ୍‌ରେ ଶେଷ ହେଉଥିବା ଲକ୍‌ଡାଉନ୍‌ ଆଗକୁ ବଢ଼ିବ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ ସଙ୍କେତ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ବର୍ତ୍ତମାନର ସ୍ଥିତିକୁ ସାମଜିକ ଜରୁରୀ ପରିସ୍ଥିତି ବୋଲି ମତ ଦେଇ କହିଛନ୍ତି ଯେ ପ୍ରତ୍ୟେକ ଦେଶବାସୀଙ୍କ ଜୀବନର ସୁରକ୍ଷା ସରକାରଙ୍କ ସବୁଠାରୁ ବଡ଼ ଦାୟିତ୍ବ। ଅଧିକାଂଶ ରାଜନୈତିକ ଦଳ ଲକ୍‌ଡାଉନ୍‌ ବଢ଼ାଇବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି। ଦେଶ ଏବେ କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛି। ଆସନ୍ତା ୧୧ ତାରିଖ ଦିନ ଲକ୍‌ଡାଉନ୍‌ ଅବଧି ବଢ଼ିବା ବାବଦରେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଏହି ଆଲୋଚନା ପରେ ଲକ୍‌ଡାଉନ୍‌ ଅବଧି ବଢ଼ିବା ଘୋଷଣା ହୋଇପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ‘ଦେଶରେ ଏକ ସଂଗରେ ଲକ୍‌ଡାଉନ୍‌ ପ୍ରତ୍ୟାହାର କରାଯାଇ ପାରିବନାହିଁ’ ବୋଲି ପ୍ରଧାନମନ୍ତ୍ରୀ କହିଥିବା ବିଜେଡି ସାଂସଦ ପିନାକୀ ମିଶ୍ର କହିଛନ୍ତି।

ପ୍ରଧାନମନ୍ତ୍ରୀ ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଂଜନ ଚୌଧୁରୀ, ରାଜ୍ୟରେ ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ, ଏନ୍‌ସିପି ନେତା ଶରଦ ପାୱାର, ଶିବସେନା ନେତା ସଂଜୟ ରାଉତଙ୍କ ସମେତ ଟିଏମ୍‌ସି ନେତା ସୁଦୀପ ବନ୍ଦୋପାଧ୍ୟାୟ, ବହୁଜନ ସମାଜ ପାର୍ଟି ନେତା ସତୀଶ ଚନ୍ଦ୍ର ମିଶ୍ରା, ଡିଏମ୍‌କେ ନେତା ଟିଆର୍‌ ବାଲୁ, ବିଜେଡି ନେତା ପିନାକୀ ମିଶ୍ର, ୱାଇଏସ୍‌ଆର୍‌ ନେତା ମିଥୁରନ୍‌ ରେଡ୍ଡି, ସମାଜବାଦୀ ପାର୍ଟି ନେତା ରାମ ଗୋପାଳ ଯାଦବ, ଜେଡିୟୁ ନେତା ରାଜୀବ ରଂଜନ ସିଂହ, ଏଲ୍‌ଜେପି ନେତା ଚିରାଗ୍‌ ପାଶ୍ବାନ, ଅକାଳୀ ଦଳ ନେତା ସୁଖବୀର ସିଂହ ବାଦଲ ସମେତ ଅନ୍ୟ ଦଳର ନେତାମାନେ ଏଥିରେ ସାମିଲ ଥିଲେ।

ଲକ୍‌ଡାଉନ୍‌ ସଂପର୍କରେ ଆଲୋଚନା ବେଳେ ବିରୋଧୀ ଦଳ ନେତାମାନେ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ୫ଟି ଦାବି ରଖିଥିଲେ। ସେଗୁଡ଼ିକ ହେଲା ଦେଶର ସବୁ ଅଂଚଳରେ କରୋନା ପରୀକ୍ଷା ମାଗଣା କରାଯିବା, ରାଜ୍ୟମାନଙ୍କୁ ସେମାନଙ୍କ ବକେୟା ପ୍ରାପ୍ୟ ପ୍ରଦାନ କରିବା, ରିଲିଫ ପ୍ୟାକେଜ୍‌କୁ ଜିଡିପିର ୧ ପ୍ରତିଶତରୁ ବଢ଼ାଇ ୫ ପ୍ରତିଶତ କରିବା, ରାଜ୍ୟ ଏଫ୍‌ଆର୍‌ବିଏମ୍‌ ରାଜକୋଷ ସୀମାକୁ ୩ରୁ ୫ ପ୍ରତିଶତ କରିବା ଏବଂ ପିପିଇ ସମେତ ସମସ୍ତ ମେଡିକାଲ ଉପକରଣ ଉପଲବ୍ଧ କରାଇବା। ଯେଉଁ ଦଳର ଅତି କମ୍‌ରେ ୫ ଜଣ କିମ୍ବା ତା’ଠାରୁ ଅଧିକ ସାଂସଦ ଅଛନ୍ତି, ସେହି ଦଳର ନେତାମାନେ ଆଜି ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନାରେ ସାମିଲ ହୋଇଥିଲେ।

ମୋଦୀଙ୍କ ସାମ୍ନାରେ ତିନିଟି ପ୍ରସ୍ତାବ ରଖିଲା ବିଜେଡି : ଦୁଇ ବର୍ଷର ସାଂସଦ ପାଣ୍ଠି ଅର୍ଥ ରାଜ୍ୟକୁ ମିଳୁ
ନୂଆଦିଲ୍ଲୀ : କରୋନା ମହାମାରୀର ମୁକାବିଲା ତଥା ଦେଶରେ ଜାରି ରହିଥିବା ଲକ୍‌ଡାଉନ୍‌ ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ରାଜନୈତିକ ଦଳର ଫ୍ଲୋର୍‌ ନେତାମାନଙ୍କ ଦ୍ବାରା ଲକ୍‌ଡାଉନ୍‌ ସ୍ଥିତି, ସାଂସଦଙ୍କ ପାଣ୍ଠି ସ୍ଥଗିତ ରଖିବା ଏବଂ ଚିକିତ୍ସା ଉପକରଣ ପାଇଁ ରାଜ୍ୟ ସରକାରଙ୍କୁ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବିଜୁ ଜନତା ଦଳ ପକ୍ଷରୁ ଏହି ଆଲୋଚନାରେ ଲୋକସଭାରେ ବିଜେଡି ସଂସଦୀୟ ଦଳର ନେତା ପିନାକୀ ମିଶ୍ର ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କୁ ତିନିଟି ପ୍ରସ୍ତାବ ଦେଇଥିଲେ। ସ୍ଥିତି ଦେଖି ଲକ୍‌ଡାଉନ୍‌ ଲାଗୁ କରିବା ତଥା କୋହଳ କରାଯିବା କ୍ଷମତା ରାଜ୍ୟକୁ ପ୍ରଦାନ କରାଯିବା, କରୋନା ମୁକାବିଲା ପାଇଁ ରାଜ୍ୟର କେନ୍ଦ୍ରୀୟ ଅନୁଦାନ ପରିମାଣକୁ ଅଧିକ କରିବା ସହିତ ତୁରନ୍ତ ପ୍ରଦାନ କରାଯିବା ତଥା ଦୁଇ ବର୍ଷର ସାଂସଦ ପାଣ୍ଠି ବାବଦ ଅର୍ଥ ସମ୍ପୃକ୍ତ ରାଜ୍ୟକୁ ମିଳିବା ନେଇ ପିନାକୀ ପ୍ରସ୍ତାବ ଦେଇଥିଲେ।

ଭିଡିଓ କନ୍‌ଫରେନ୍ସିଂରେ ପିନାକୀ ମିଶ୍ର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା କରୋନା ମୁକାବିଲାକୁ ନେଇ ଭାରତର ପଦକ୍ଷେପକୁ ପ୍ରଶଂସା କରାଯିବା ଏବଂ ଏହି ପ୍ରଶଂସାର ଶ୍ରେୟ ଆପଣଙ୍କୁ ଓ ଭାରତବାସୀଙ୍କୁ ଯାଉଛି ବୋଲି କହିଥିଲେ। ଏହି ଅବସରରେ ଗତ ୧୧ ମାସ ତଳେ ଓଡ଼ିଶାରେ ପ୍ରଳୟଙ୍କରୀ ‘ଫନି’ ବାତ୍ୟା ସମୟରେ ପ୍ରଧାନମନ୍ତ୍ରୀ ଯେଉଁଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ହାତ ମିଳାଇ ସାହାଯ୍ୟ ଓ ସହଯୋଗ କରିଥିଲେ, ସେହି ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ବିଜେଡି ଧନ୍ୟବାଦ ଜଣାଇଥିଲା। ଆଜି ମଧ୍ୟ ବିଜେଡି ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ମୁକାବିଲା ପାଇଁ ସହଯୋଗ ଜାରି ରଖିଥିବାରୁ ଧନ୍ୟବାଦ ଦେଉଛି ବୋଲି ପିନାକୀ ମିଶ୍ର କହିଥିଲେ। ଓଡ଼ିଶା କରୋନାକୁ ନେଇ ଯେଉଁ ଲଢ଼େଇ ଜାରି ରଖିଛି ତାହାକୁ ଦୃଢ଼ତାର ସହ ମୁକାବିଲା କରାଯାଉଛି ବୋଲି ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ।

ସମ୍ବନ୍ଧିତ ଖବର