ମହାରାଷ୍ଟ୍ରରେ ମଦର ହୋମ ଡେଲିଭରୀ ଆରମ୍ଭ

ମୁମ୍ବାଇ : ମଦ ଦୋକାନଗୁଡ଼ିକରେ ଦେଖାଯାଉଥିବା ପ୍ରବଳ ଗହଳିକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ହୋମ ଡେଲିଭରୀ ପାଇଁ ବିଚାର କରୁଛନ୍ତି । ମହାରାଷ୍ଟ୍ର ସରକାର ଆଜିଠାରୁ ମଦର ହୋମ ଡେଲିଭରୀ ପାଇଁ ଅନୁମତି ଦେଇଛନ୍ତି ।

ତେବେ କେତେକ ସର୍ତ୍ତ ସହ ଏହି ଅନୁମତି ଦିଆଯାଇଛି । ଯେଉଁ ଅଞ୍ଚଳ ପାଇଁ ଲାଇସେନ୍ସ ଦିଆଯାଇଥିବ ସେହି ଅଞ୍ଚଳରେ ସଂପୃକ୍ତ ଦୋକାନ ହୋମ ଡେଲିଭରୀ କରିପାରିବେ । ଡେଲିଭରି କରୁଥିବା କର୍ମଚାରୀ ମୁହଁରେ ମାସ୍କ ପିନ୍ଧିବେ ଓ ନିୟମିତଭାବେ ସାନିଟାଇଜର ବ୍ୟବହାର କରିବେ । ଆହୁରି ମଧ୍ୟ କେବଳ ଅନୁମୋଦିତ ସମୟସୀମାରେ ହିଁ ହୋମ ଡେଲିଭରୀ କରାଯାଇପାରିବ ।

ମଦ ଦୋକାନଗୁଡ଼ିକ ଆଗରେ ହେଉଥିବା ଗହଳି ଦୃଷ୍ଟିରୁ ହମ ଡେଲିଭରୀ ପାଇଁ ବିଚାର କରିବାକୁ ଗତ ସପ୍ତାହରେ ସୁପ୍ରିମକୋର୍ଟ ପରାମର୍ଶ ଦେଇଥିଲେ । ସୁପ୍ରିମକୋର୍ଟ କହିଥିଲେ ଯେ ମଦର ହୋମ ଡେଲିଭରୀ କରିବା ଉପରେ ସରକାର ବିଚାର କରନ୍ତୁ । ତେବେ ଏ ନେଇ ସୁପ୍ରିମକୋର୍ଟ କୌଣସି ନିର୍ଦ୍ଦେଶ ଜାରି କରିନଥିଲେ ବରଂ ଏହି ପ୍ରସ୍ତାବ ଉପରେ କେବଳ ବିଚାର କରିବାକୁ ସରକାରଙ୍କୁ କହିଥିଲେ । ଜଷ୍ଟିସ ଅଶୋକ ଭୁଷଣଙ୍କୁ ନେଇ ଏକ ତିନି ଜଣିଆ ଖଣ୍ଡପୀଠ ଜନସ୍ୱାର୍ଥ ମାମଲାର ବିଚାର କରି ଏହି ପରାମର୍ଶ ଦେଇଥିଲେ ।

ସୂଚନାଯୋଗ୍ୟ ଯେ ମହାରାଷ୍ଟ୍ର ଏବେ ଦେଶର ସବୁଠାରୁ ଅଧିକ ସଂକ୍ରମିତ ରାଜ୍ୟରେ ପରିଣତ ହୋଇଛି । ରାଜ୍ୟର ମୋଟ ସଂକ୍ରମିତ ସଂଖ୍ୟା ୨୩୪୦୧ ଥିବାବେଳେ ମୃତ୍ୟୁସଂଖ୍ୟା ୮୬୮ ରହିଛି ।

ସମ୍ବନ୍ଧିତ ଖବର