ନୂଆଦିଲ୍ଲୀ: କରୋନାର ଦ୍ବିତୀୟ ଲହର ଝଡ଼ ଭଳି ମାଡ଼ି ଆସିଛି। ଲକ୍ ଡାଉନ୍ ଏହାର ସମାଧାନ ନୁହେଁ। ଏହା ଶେଷ ବିକଳ୍ପ ହେଉ। ଭାରତକୁ ଲକ୍ ଡାଉନ୍ରୁ ରକ୍ଷା କରିବାକୁ ପଡ଼ିବ। ତେଣୁ ଲକ୍ ଡାଉନ୍ ଏଡ଼ାଇବା ଲାଗି ରାଜ୍ୟ ସରକାରମାନେ ପଦକ୍ଷେପ ନିଅନ୍ତୁ। ନାଗରିକମାନେ ଶୃଙ୍ଖଳିତ ହୋଇ କୋଭିଡ୍ ଗାଇଡଲାଇନ୍ସ ମାନିଲେ ଆମେ ଏହି ମହାବିପଦର ସଫଳ ମୁକାବିଲା କରିପାରିବା। ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତିରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ଉପରୋକ୍ତ ପରାମର୍ଶ ଦେଇଛନ୍ତି।
ସେ କହିଛନ୍ତି ଯେ ଲକ୍ ଡାଉନକୁ ଏଡ଼ାଇବା ଲାଗି ଆମକୁ ସବୁ ପ୍ରକାର ଉଦ୍ୟମ କରିବାକୁ ପଡ଼ିବ। ଆମର ଲକ୍ଷ୍ୟ ହେଉଛି ଲୋକମାନଙ୍କ ଜୀବନ ରକ୍ଷା କରିବା। ତେବେ ଅର୍ଥନୀତି ଏବଂ ଜୀବିକା ଉପରେ ଏହାର ପ୍ରଭାବ ନପଡ଼ିଲେ ଭଲ। ଦ୍ରୁତ ସଂକ୍ରମଣର ମୁକାବିଲା ଲାଗି ଅନେକ ରାଜ୍ୟ ଲକ୍ ଡାଉନ୍, ନାଇଟ କର୍ଫ୍ୟୁ ଏବଂ କେତେକ କଠୋର କଟକଣା ଜାରି କରିଥିବା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ସଚେତନ ହୋଇ କୋଭିଡ ନିୟମ ପାଳନ କଲେ ଲକ୍ ଡାଉନ୍ର ଆବଶ୍ୟକତା ପଡ଼ିବ ନାହିଁ। ଯୁବ ଗୋଷ୍ଠୀ ସେମାନଙ୍କ ଅଂଚଳରେ ଛୋଟ ଛୋଟ କମିଟି ଗଠନ କରି ପ୍ରଶାସନକୁ ସହଯୋଗ କଲେ କଣ୍ଟେନ୍ମେଣ୍ଟ୍ ଜୋନ୍ କିମ୍ବା ଲକ୍ଡାଉନ୍ ଦରକାର ପଡ଼ିବ ନାହିଁ। ସ୍ଥିତି ନିୟନ୍ତ୍ରଣ ପାଇଁ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍ ଉପରେ ରାଜ୍ୟମାନଙ୍କୁ ଗୁରୁତ୍ବ ଦେବାକୁ ହେବ। ବିଭିନ୍ନ ସହରରେ ସଂକ୍ରମଣକୁ ଦୃଷ୍ଟିରେ ରଖି ହସ୍ପିଟାଲ ଶଯ୍ୟା ସଂଖ୍ୟା ବଢ଼ାଯାଉଛି ଏବଂ ସ୍ବତନ୍ତ୍ର କୋଭଡ୍ ହସ୍ପିଟାଲ ପ୍ରସ୍ତୁତ କରାଯାଉଛି ବୋଲି ମୋଦୀ କହିଛନ୍ତି।
ଅକ୍ସିଜେନ୍ ସଙ୍କଟ ସଂପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରୋଗୀଙ୍କୁ ଅକ୍ସିଜେନ୍ ଯୋଗାଣ ନେଇ ଯୁଦ୍ଧସ୍ତରରେ ପ୍ରୟାସ କରାଯାଉଛି । ରାଜ୍ୟମାନଙ୍କୁ ଅକ୍ସିଜେନ୍ ଯୋଗାଣ ପାଇଁ କେତେକ ବିଶେଷ ପଦକ୍ଷେପ ଗ୍ରହଣ ହୋଇଛି । ଦେଶର ଫାର୍ମା ସେକ୍ଟର ମଜବୁତ୍ ରହିଛି ଏବଂ ଆମେ ଔଷଧ କମ୍ପାନିଗୁଡ଼ିକଠାରୁ ଯଥାସମ୍ଭବ ସହାୟତା ନେଉଛୁ। ବିଶ୍ବରେ କେବଳ ଭାରତରେ ହିଁ ସବୁଠାରୁ ଶସ୍ତାରେ କୋଭିଡ୍ ଟିକା ଉପଲବ୍ଧ ହେଉଛି। ଭାରତରେ ଦୁଇଟି ସଂସ୍ଥାର ଟିକା ସହିତ ବିଶ୍ବର ସବୁଠାରୁ ବଡ଼ ଟିକାକରଣ ପ୍ରକ୍ରିୟା ଜାରି ରହିଛି । ଏହି ପ୍ରକ୍ରିୟାରେ ୧୨ କୋଟି ଡୋଜ୍ ପ୍ରଦାନ କରାଯାଇ ସାରିଲାଣି ।
ରାଜ୍ୟ ସରକାରମାନେ ପ୍ରବାସୀ ଶ୍ରମିକଙ୍କ ପଳାୟନକୁ ରୋକିବା ପାଇଁ ଯଥାସମ୍ଭବ ପ୍ରୟାସ କରିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି। ସେ କହିଛନ୍ତି ଯେ ପ୍ରବାସୀ ଶ୍ରମିକମାନେ ଯେପରି ନିଜ ନିଜ ରାଜ୍ୟକୁ ନଫେରନ୍ତି ସେଥିଲାଗି ସଂପୃକ୍ତ ରାଜ୍ୟ ସରକାର ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରନ୍ତୁ। ସେମାନଙ୍କ ଜୀବିକାକୁ ବିପଦରେ ପକାଯିବ ନାହିଁ। ରାଜ୍ୟ ସରକାର ଏହାକୁ ସୁନିଶ୍ଚିତ କରିବାକୁ ଆଶ୍ବାସନା ଦିଅନ୍ତୁ। ଶ୍ରମିକମାନେ ବିଭିନ୍ନ ରାଜ୍ୟରେ ଯଥାରୀତି ରହି କାମ ଜାରି ରଖିବା ସହ ପଳାୟନରୁ ବିରତ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଲେ ଯେ ଗରିବ, ଶ୍ରମିକଙ୍କୁ ମଧ୍ୟ ଟିକାର ଫାଇଦା ମିଳିବ। ଦେଶରେ ଆଗାମୀ ୧ ତାରିଖରୁ ଟିକାକରଣର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବ ଏବଂ ଏହି ପର୍ଯ୍ୟାୟରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ କରୋନା ଟିକା ଦିଆଯିବ। ଟିକାକରଣ ଅଭିଯାନ ତ୍ବରାନ୍ବିତ ହୋଇଥିବା ବେଳେ ଏହା ଆଗକୁ ଆହୁରି ବ୍ୟାପକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/modi-5.jpg)