ଭାରତରେ ଦ୍ରୁତ ଗତିରେ ବଢ଼ୁଛି ସଂକ୍ରମଣ : ଲକ୍‌ଡାଉନ୍ ଉଠିବା ସନ୍ଦେହ

୯୦ ଦିନରେ ୩୩ହଜାର, ୯୬ ଘଣ୍ଟାରେ ୧୦ହଜାର, ସର୍ବାଧିକ ସଂକ୍ରମିତ ୨୦ ରାଷ୍ଟ୍ର ମଧ୍ୟରେ ଭାରତ

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢ଼ି ଚାଲିଛି। ତୃତୀୟ ପର୍ଯ୍ୟାୟ ଲକ୍‌ଡ‌ାଉନ୍‌ କୋହଳ ହେବା ପରଠାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତି ଆଗକୁ ଆହୁରି ବିଗିଡ଼ିଯିବ ବୋଲି ଆଶଙ୍କା ପ୍ରକାଶ ପାଉଥିବା ବେଳେ ଲକ୍ ଡାଉନ୍ ୧୭ ତାରିଖରେ ଶେଷ ହେବ କି ନାହିଁ ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି।

ମାର୍ଚ୍ଚ ୨୪ ମଧ୍ୟରାତ୍ରିରେ ଯେତେବେଳେ ଦେଶରେ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ ଆରମ୍ଭ ହେଲା ‌ସେତେବେଳେ ମାତ୍ର ୫୨୫ ମାମଲା ଥିଲା। ମେ’ ୪ ତାରିଖରୁ ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଆରମ୍ଭ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ମାତ୍ରାରେ ବଢ଼ିବାରେ ଲାଗିଛି। ଗତ ୯୬ ଘଣ୍ଟାରେ ଦେଶରେ ୧୦ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି। ଅର୍ଥାତ୍ ୪ ଦିନରେ ସଂକ୍ରମଣ ମାମଲା ୪୦ ହଜାରରୁ ୫୦ ହଜାରରେ ପହଞ୍ଚିଛି। କେବଳ ସେତିକି ନୁହେଁ, ଗତ ତିନି ଦିନ ହେଲା ଲଗାତାର ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାରରୁ ଅଧିକ ରହୁଛି। ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ଛୁଇଁବାକୁ ବସିଥିବା ‌ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୩୨୯୪ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି।

ଦେଶରେ ପ୍ରଥମ ସଂକ୍ରମଣ ମାମଲା ୩୦ ଜାନୁଆରିରେ ରେକର୍ଡ କରାଯାଇଥିଲା। ଏହାର ପ୍ରଥମ ୯୦ଦିନରେ ଅର୍ଥାତ ୩୦ ଏପ୍ରିଲରେ ସଂକ୍ରମଣ ସଂଖ୍ୟା ୩୩ ହଜାର ୬୦୦ ହୋଇଥିଲା। ତେବେ ଗତ ୯ ଦିନ ମଧ୍ୟରେ ଆହୁରି ୨୭ ହଜାର ମାମଲା ଯୋଡ଼ି ହୋଇଛି। ସବୁଠାରୁ ଉଦବେଗର ବିଷୟ ହେଉଛି ଯେ ଗତ ୯୬ ଘଣ୍ଟା‌ରେ ୧୦ ହଜାର ନୂଆ ମାମଲା ଚିହ୍ନଟ ହୋଇଛି।

ଏକ ତଥ୍ୟ ଅନୁଯାୟୀ ଭାରତ ଏବେ ବିଶ୍ବରେ ସର୍ବାଧିକ ସଂକ୍ରମଣ ମାମଲା ଥିବା ୨୦ଟି ରାଷ୍ଟ୍ର ମଧ୍ୟରେ ରହିଛି। କରୋନା ଯୋଗୁଁ ଆମେରିକା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଆମେରିକା ପଛକୁ ସ୍ପେନ୍‌, ଇଟାଲି, ବ୍ରିଟେନ୍‌, ରୁଷ୍‌, ଫ୍ରାନ୍ସ, ଜର୍ମାନୀ, ବ୍ରାଜିଲ୍‌ , ତୁର୍କୀ, ଇରାନ୍‌, ଚୀନ୍‌, କାନାଡ଼ା ଓ ପେରୁରେ ସର୍ବାଧିକ ସଂକ୍ରମଣ ମାମଲା ଥିବାବେଳେ ପେରୁ ପଛକୁ ରହିଛି ଭାରତ। ତେବେ ବିଶ୍ବରେ ୧୪ତମ ରାଷ୍ଟ୍ର ଭାବେ ଭାରତରେ ସଂକ୍ରମଣ ମାମଲା ସର୍ବାଧିକ ରହିଛି। ଆଉ ଅଳ୍ପ କିଛି ଦିନ ମଧ୍ୟରେ ଭାରତ ଚୀନ୍‌କୁ ଟପିଯିବ। ମହାରାଷ୍ଟ୍ର, ଗୁଜରାଟ ଏବଂ ଦିଲ୍ଲୀ ଏବେ ଭାରତ ପାଇଁ ବଡ଼ ଚିନ୍ତାଜନକ ହୋଇଛି।

କରୋନାର ଚିକିତ୍ସା ପାଇଁ କିଛି ଔଷଧ କିମ୍ବା ଟିକା ବାହାରି ନଥିବାରୁ ଏହାକୁ ରୋକିବା ପାଇଁ ଲକ୍‌ଡାଉନ୍‌ ହିଁ ବଳିଷ୍ଠ ମାଧ୍ୟମ ବିବେଚିତ ହୋଇଛି। ଲକ୍‌ଡାଉନ୍ କୋହଳ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହା ଉଠିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆସନ୍ତା ୩-୪ ସପ୍ତାହ ମଧ୍ୟରେ ଭାରତରେ ସଂକ୍ରମଣ ଶିଖର ଛୁଇଁବ ବୋଲି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପୂର୍ବରୁ ସତର୍କ କରାଇ ସାରିଛନ୍ତି।

ସମ୍ବନ୍ଧିତ ଖବର