ଲକ୍‌ଡାଉନ୍‌-୨ରେ ଘରୁ ଗୋଡ଼ କାଢ଼ିଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ : ସଂକ୍ରାମକ କରୋନା ଭୂତାଣୁ କବଳରୁ ରକ୍ଷା ପାଇବା ପାଇଁ ଦେଶରେ ଲକ୍‌ଡାଉନ୍‌କୁ ଦ୍ୱିତୀୟ ପର୍ଯ୍ୟାୟରେ ୧୯ ଦିନ ପର୍ଯ୍ୟନ୍ତ ବଢ଼ାଯିବା ସହ କିଛି ନିୟମରେ ଅଦଳବଦଳ କରାଯାଇଛି। ଜାରି ହୋଇଥିବା ମାର୍ଗଦର୍ଶିକାରେ ଅଛି ଯେ ଯଦି ଆପଣ କୌଣସି ଜରୁରୀ ସ୍ଥିତି ସାମ୍ନା କରୁଛନ୍ତି, ତେବେ ବାହାରକୁ ଯାଇ ପାରିବେ ଗୋଟିଏ ସର୍ତ୍ତରେ ଯେ ଆପଣ ସାମାଜିକ ଦୂରାବସ୍ଥାନ ବଜାୟ ରଖୁଛନ୍ତି। ତେବେ ଜିଲ୍ଲା-ଜିଲ୍ଲା ମଧ୍ୟରେ ଯାତାୟତ ଏବଂ ରାଜ୍ୟ-ରାଜ୍ୟ ମଧ୍ୟରେ ଯାତାୟତ ମୋ ୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଜରୁରି ହେଲେ ସର୍ତ୍ତମୂଳକ ଭାବେ ଅନୁମତି ଦେବ ପ୍ରଶାସନ। ସେଇ ଜରୁରୀ ଆବଶ୍ୟକତାର କାରଣ ହୋଇପାରେ କୌଣସି ମେଡିକାଲ ସେବା, ପ୍ରାଣୀଚିକିତ୍ସା ସେବା ଅବା ଅତ୍ୟାବଶ୍ୟକ ସାମଗ୍ରୀ ସଂଗ୍ରହ। ଏହି ନୂଆ କଟକଣାକୁ ଜିଲ୍ଲାପାଳ ଲାଗୁ କରିବେ ଏବଂ ବିପର୍ଯ୍ୟୟ ପରିଚାଳନା ଅଧିନିୟମ-୨୦୦୫ ଅଧୀନରେ ଜୋରିମାନା ଓ ଦଣ୍ଡବିଧାନ କରିବେ।

ସର୍ବସାଧାରଣ ସ୍ଥଳରେ ବା କାର୍ଯ୍ୟସ୍ଥଳରେ ସମସ୍ତଙ୍କୁ ମାସ୍କ ବା ତୁଣ୍ଡି ବାନ୍ଧିବାକୁ ପଡ଼ିବ।
ସେହିଭଳି ସେଇ ସ୍ଥାନ ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ମଧ୍ୟ ସାମାଜିକ ଦୂରାବସ୍ଥାନ ବଜାୟ ରଖିବେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରରାଳୟ ମାର୍ଗଦର୍ଶିକା ଜାରି କରିଛି।
ସେପରି ସ୍ଥଳର ପରିଚାଳକ ବା ସଂଗଠନ ୫ରୁ ଅଧିକ ବ୍ୟକ୍ତି ଏକାଠି ହେବାକୁ ବାରଣ କରିବେ।
ବିବାହ ବା ଶୁଦ୍ଧିକ୍ରିୟା ଭଳି ସମାବେଶକୁ ଜିଲ୍ଲାପାଳ ନିୟନ୍ତ୍ରିତ କରିବେ।
ସର୍ବସାଧାରଣ ସ୍ଥଳରେ ଛେପ ପକାଇବାଟା ଅର୍ଥଦଣ୍ଡ ସହ ଦଣ୍ଡନୀୟ।
ମଦ, ଗୁଟ୍‌ଖା, ତମାଖୁ ଆଦି ବିକ୍ରି କରିବା ଓ ସେବନ କରି ଥୁକିବାଟା କଡ଼ାକଡ଼ି ନିଷେଧ ।
ସମସ୍ତ କାର୍ଯ୍ୟସ୍ଥଳରେ ତାପମାତ୍ରା ମାପିବା ପାଇଁ ଯଥେଷ୍ଟ ସୁବିଧା ଥିବ ଏବଂ ସୁବିଧାଜନକ ସ୍ଥାନରେ ପ୍ରକ୍ଷାଳକ (ସାନିଟାଇଜର) ଦିଆଯାଉଥିବ।
ବିଭିନ୍ନ କାର୍ଯ୍ୟ ସିଫ୍ଟ ମଧ୍ୟରେ ୧ ଘଣ୍ଟାର ବ୍ୟବଧାନ ରହିବ ଏବଂ ଷ୍ଟାଫ୍‌ମାନଙ୍କ ମଧ୍ୟାହ୍ନଭୋଜନରେ ଦୂରାବସ୍ଥାନ ବଜାୟ ରଖାଯିବ।
୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଏବଂ ୫ ବର୍ଷରୁ କମ୍‌ ବୟସର ସନ୍ତାନ ଥିବା ବ୍ୟକ୍ତିଙ୍କୁ ଘରେ ରହି ସଂଗଠନ ପାଇଁ କର୍ତ୍ତବ୍ୟ କରିବାକୁ ଉତ୍ସାହିତ କରାଯାଇପାରେ।
ଆରୋଗ୍ୟ ସେତୁ ମୋବାଇଲ ଆପ୍‌ ବ୍ୟବହାରକୁ କର୍ମଚାରୀଙ୍କ ମଧ୍ୟରେ ଉଭୟ ଘରୋଇ ଓ ସରକାରୀ ସଂସ୍ଥା ଉତ୍ସାହିତ କରିବେ।
ସମସ୍ତ ସଂଗଠନ ପ୍ରତି ସିଫ୍ଟ ପରେ ସେମାନଙ୍କ କାର୍ଯ୍ୟସ୍ଥଳକୁ ସାନିଟାଇଜ୍‌ କରିବେ।
ବଡ଼ ବୈଠକ ଆୟୋଜନ ନିଷୋଧ।
ସାମଗ୍ରୀ ଉତ୍ପାଦନକାରୀ ପ୍ରତିଷ୍ଠାନରେ କାନ୍ଥ ଓ ଚଟାଣ ଆଦିକୁ ବାରମ୍ବାର ସଫା କରିବା ଏବଂ ହାତ ଧୋଇବା ବାଧ୍ୟତାମୂଳକ।
ଗୋଟିଏ ସିଫ୍ଟ ନସରିବା ଆଗରୁ ପର ସିଫ୍ଟର କର୍ମଚାରୀ ଆସିବେନି ଏବଂ ମଧ୍ୟାହ୍ନଭୋଜନ ମଧ୍ୟ ଅଲଗା ହେବ ଏବଂ ଦୂରତା ରକ୍ଷା କରାଯିବ।
ଉପଯୁକ୍ତ ସ୍ୱାସ୍ଥ୍ୟରକ୍ଷା ଅଭ୍ୟାସ ଉପରେ ବିସ୍ତୃତ ଭାବରେ ସୂଚନା ଓ ପ୍ରଶିକ୍ଷଣ ଦିଆଯାଉଥିବ।

କାର୍ଯ୍ୟାଳୟ, କାର୍ଯ୍ୟସ୍ଥଳ, ଫାକ୍ଟୋରି ଓ ପ୍ରତିଷ୍ଠାନଗୁଡ଼ିକ ପାଇଁ ପ୍ରତିକାର ବ୍ୟବସ୍ଥା
ହତା ଭିତରେ ଥିବା ସମସ୍ତ ଇଲାକାକୁ ବୀଜାଣୁମୁକ୍ତ କରାଯିବ ସାଧାରଣ ବୀଜାଣୁନାଶକ ବ୍ୟବହାର କରି। ସେଇ ସ୍ଥଳଗୁଡ଼ିକ ହେଉଛି (କ) କୋଠାର ପ୍ରବେଶଫାଟକ, କାର୍ଯ୍ୟାଳୟ ଇତ୍ୟାଦି। (ଖ) କ୍ୟାଫଟେରିଆ ଓ କ୍ୟାଣ୍ଟିନ୍‌, (ଗ) ବୈଠକଘର, ସମ୍ମିଳନୀଗୃହ/ ଖୋଲା ଜାଗା/ ବାରଣ୍ଡା/ ପାଚେରିର ମୁଖ୍ୟ ପ୍ରବେଶ ଫାଟକ, ବଙ୍କର, ପୋର୍ଟାକ୍ୟାବିନ୍‌, କୋଠା ଇତ୍ୟାଦି। (ଘ) ସରଂଜାମ ଓ ଲିଫ୍ଟ, (ଙ) ଧୁଆଧୋଇ ଘର, ଶୌଚାଳୟ, ସିଙ୍କ୍‌, ପାଣି ଟ୍ୟାବ୍‌ ଇତ୍ୟାଦି। (ଚ) କାନ୍ଥ ଓ ଅନ୍ୟ ଚଟାଣଗୁଡ଼ିକ।

ବାହାରୁ ଆସୁଥିବା କର୍ମଚାରୀମାନଙ୍କ ପାଇଁ ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା କରିବେ; ସର୍ବସାଧାରଣ ପରିବହନ ଉପରେ ନିର୍ଭରଶୀଳ ହେବେ ନାହିଁ। ୩୦ରୁ ୪୦ % ଯାତ୍ରୀ ସାମର୍ଥ୍ୟ ଥିବା ଗାଡ଼ି ଥିଲେ ଏହି ସେବା ପାଇଁ ଅନୁମତି ମିଳିବ।

ହତା ଭିତରେ ପଶୁଥିବା ସମସ୍ତ ଯାନ ଓ ଯନ୍ତ୍ରପାତିକୁ ସିଞ୍ଚକ ଦ୍ୱାରା ସାନିଟାଇଜ୍‌ କରାଯିବ।
ସମସ୍ତଙ୍କର ଥର୍ମାଲ ସ୍କାନିଂ ହେବା ବାଧ୍ୟତାମୂଳକ।
ସମସ୍ତ କର୍ମଚାରୀଙ୍କର ସ୍ୱାସ୍ଥ୍ୟ ବୀମା କରିବା ବା଼ଧ୍ୟତାମୂଳକ।
ହାତଧୁଆ ରସାୟନ ଓ ସାନିଟାଇଜରକୁ ସ୍ପର୍ଶମୁକ୍ତ କୌଶଳରେ ରଖିବାର ବ୍ୟବସ୍ଥା ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ସ୍ଥଳରେ କରିବାକୁ ହେବ। ସେଇ ରକମଗୁଡ଼ିକ ଯଥେଷ୍ଟ ମାତ୍ରାରେ ଥିବ।
କାର୍ଯ୍ୟସ୍ଥଳରେ ସିଫ୍ଟ ମଧ୍ୟରେ ଘଣ୍ଟାଏ ବ୍ୟବଧାନ ରହିବ ଏବଂ ଭୋଜନ ବିରତିରେ କେହି ସାକ୍ଷାତ କରିବେନି ଏବଂ ସାମାଜିକ ଦୂରାବସ୍ଥାନ ବଜାୟ ରହିବ।
୧୦ ଜଣରୁ ଅଧିକ ବ୍ୟକ୍ତିଙ୍କର ବଡ଼ ସମାବେଶ ବା ବୈଠକ କରିବେ ନାହିଁ। ବୈଠକରେ ବା ଦପ୍ତରରେ ବା ତାଲିମରେ ସମସ୍ତେ ୬ ଫୁଟ ବ୍ୟବଧାନ ରଖି ବସୁଥିବେ।
ଲିଫ୍‌ଟ(ଆକାର ଅନୁଯାୟୀ) ରେ ୨/୪ ଜଣରୁ ଅଧିକ ବ୍ୟକ୍ତିଙ୍କୁ ଆତଯାତ କରିବାକୁ ଅନୁମତି ଦେବେ ନାହିଁ।
ଉପର ମହଲାକୁ ଯିବାକୁ ଶିଡିଘର ବ୍ୟବହାର କରିବାକୁ ସମସ୍ତଙ୍କୁ ଉତ୍ସାହିତ କରିବେ।
ଗୁଟ୍‌କା, ତମାଖୁ ଆଦି ସେବନକୁ ତଥା ଥୁକିବାକୁ କଡ଼ାକଡ଼ି ଭାବେ ନିଷେଧ କରିବେ।

ଅତ୍ୟାବଶ୍ୟକ ନଥିବା ଆଗନ୍ତୁକଙ୍କ ପ୍ରବେଶ ନିଷେଧ କରନ୍ତୁ।
ନିକଟତମ କୋଭିଡ ହସପିଟାଲକୁ ଚିହ୍ନଟ କରି ସବୁ ସମୟରେ କାର୍ଯ୍ୟସ୍ଥଳରେ ତହିଁର ତାଲିକା ଲଗାଇବେ।

ସେହିଭଳି ଘରୋଇ ମୋଟରଗାଡ଼ିରେ ପଛ ସିଟ୍‌ରେ କେବଳ ଜଣେ ବସିପାରିବେ। ଦୁଇଚକିଆରେ କେବଳ ଜଣେ ଯାଇପାରିବେ। ରାଜ୍ୟ ସରକାରମାନେ ଏହା ସହ ଅଧିକ ସର୍ତ୍ତ ଲଗାଇପାରିବେ। ସେହିଭଳି ଶିକ୍ଷାନୁଷ୍ଠାନ, ଟ୍ୟୁଟୋରିଆଲ, କୋଚିଂ କେନ୍ଦ୍ର, ବିମାନସେବା, ରେଳଯାତ୍ରୀସେବା ଏହି ଲକ୍‌ଡାଉନ୍‌ ବେଳେ ସଂପୂର୍ଣ ବନ୍ଦ ରହିବ। ସିନେମାହଲ୍‌, ମଲ୍‌, ଶପିଂ କଂପ୍ଲେକ୍ସ, ଜିମ୍‌, କ୍ରୀଡ଼ାଙ୍ଗନ, ସନ୍ତରଣାଗାର, ମଦ୍ୟଶାଳା ମେ ୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ।

ରାଜପଥ କଡ଼ ଢାବା, ଟ୍ରକ୍‌ ଗ୍ୟାରେଜ୍‌, ସରକାରୀ କଲ୍‌ ସେଣ୍ଟର ସବୁ ଏପ୍ରିଲ୍‌ ୨୦ ପରଠୁ ଖୋଲା ରହିବ। ସମସ୍ତ ସାମାଜିକ, ରାଜନୀତିକ, ଧାର୍ମିକ କାର୍ଯ୍ୟକ୍ରମ, ଧାର୍ମିକସ୍ଥଳ, ଉପାସନାସ୍ଥଳକୁ ସର୍ବସାଧାରଣଙ୍କ ପାଇଁ ମେ ୩ ପର୍ଯ୍ୟନ୍ତ ବନ୍ଦ ରଖାଯିବ।

ଏପ୍ରିଲ୍‌ ୨୦ ତାରିଖ ଠାରୁ କୃଷି, ଉଦ୍ୟାନକୃଷି, କୃଷକ ଓ କୃଷିଶ୍ରମିକ ମାନେ କାର୍ଯ୍ୟ କରିପାରିବେ କଷିଜାତ ଦ୍ରବ୍ୟ କାରବାର ହୋଇପାରିବ ଏବଂ ମଣ୍ଡି ଖୋଲାଯାଇପାରିବ। ତେବେ ସର୍ବସାଧାରଣସ୍ଥଳରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ତେଜରାତି ଦୋକାନ, ଫଳଦୋକାନ, ପରିବାଦୋକାନ/ ଠେଲା, କ୍ଷୀର ବୁଥ୍‌, କୁକୁଡ଼ାମାଂସ, ମାଂସ, ମାଛ ଦୋକାନ ସବୁ ଲକ୍‌ଡାଉନ୍‌ ବେଳେ ଖୋଲା ରହିବ।

ସମ୍ବନ୍ଧିତ ଖବର