ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଅନଲକ ୩.୦ ପାଇଁ ନିୟମାବଳୀ ଘୋଷଣା କରାଯାଇଛି । କଣ୍ଟେନମେଣ୍ଟ ଜୋନକୁ ଛାଡିଦେଲେ ଅନ୍ୟ ଜୋନର ଅନଲକ ୩.୦ର ନିୟମ ଲାଗୁହେବ | କଣ୍ଟେନମେଣ୍ଟ ଜୋନରେ ଅଗଷ୍ଟ ୩୧ପର୍ଯ୍ୟନ୍ତ ଲକଡାଉନ ବଳବତ୍ତର ରହିବ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ | ଅନଲକ ୨.୦ରେ ଜିମ୍ ଏବଂ ଯୋଗ ଅନୁଷ୍ଠାନ ବନ୍ଦ ରହିଥିବା ବେଳେ ନାଇଟ କର୍ଫ୍ୟୁ ନିୟମ ଲାଗୁ କରାଯାଇଥିଲା | କିନ୍ତୁ ଅନଲକ ୩.୦ରେ ଏସବୁ ଅନୁଷ୍ଠାନ ଖୋଲିବା ସହ ନାଇଟ କର୍ଫ୍ୟୁ ନିୟମ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି | ତେବେ ବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନଗୁଡିକ ଅଗଷ୍ଟ ୩୧ପର୍ଯ୍ୟନ୍ତ ବନ୍ଦ ରହିବ |

କଣ୍ଟେନମେଣ୍ଟ ଜୋନ ଗୁଡ଼ିକରେ ଅଗଷ୍ଟ ୩୧ପର୍ଯ୍ୟନ୍ତ ଲକଡାଉନ ନିୟମାବଳୀକୁ କଡାକଡି ଭାବେ ଲାଗୁ କରାଯିବ । ଜିଲ୍ଲା ପ୍ରଶାସନ କେନ୍ଦ୍ର ସ୍ବାସ୍ଥ ମନ୍ତ୍ରାଳୟର ଗାଇଡଲାଇନ ଅନୁସାରେ ଏହି କଣ୍ଟେନମେଣ୍ଟ ଜୋନ ଗୁଡ଼ିକର ସୀମା ନିର୍ଦ୍ଧାରଣ କରିପାରିବେ । କେବଳ ଜରୁରୀ ସେବାକୁ ଛାଡ଼ିଦେଲେ ଅନ୍ୟ ସବୁ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ନାହିଁ । ଏହି କଣ୍ଟେନମେଣ୍ଟ ଜୋନ୍ ଗୁଡିକ ବିଷୟରେ ସମ୍ପୃକ୍ତ ଜିଲ୍ଲାପାଳଙ୍କ ୱେବସାଇଟରେ ସୂଚିତ କରାଯିବ ଏବଂ ରାଜ୍ୟ / କେନ୍ଦ୍ର ଶାସିତ ସରକାରଙ୍କ ଦ୍ୱାରା ମଧ୍ୟ କେନ୍ଦ୍ରକୁ ସୂଚନା ଦିଆଯିବ। ଏହା ବ୍ୟତୀତ, କଣ୍ଟେନମେଣ୍ଟ ଜୋନରେ କାର୍ଯ୍ୟକଳାପଗୁଡିକ ଉପରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ କର୍ତ୍ତୃପକ୍ଷଙ୍କ ଦ୍ୱାରା କଡା ନଜର ରଖାଯିବ ଏବଂ ଏହି ଜୋନ୍ ଗୁଡିକରେ ସଂକ୍ରମଣ ରୋକିବା ପାଇଁ ଲକଡାଉନ ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ କଡାକଡି ଭାବରେ କାର୍ଯ୍ୟକାରୀ ହେବ। ଅସୁରକ୍ଷିତ ବର୍ଗ ତଥା ୧୦ବର୍ଷରୁ କମ୍ ପିଲା ଏବଂ ୬୫ ବର୍ଷରୁ ଅଧିକ ବୟସ୍କ, ଗର୍ଭବତୀ ମହିଳା ଏବଂ ଉଚ୍ଚ ରକ୍ତଚାପ, ମଧୁମେହ, ହୃଦରୋଗ ଏବଂ କିଡନୀ ରୋଗ ସହିତ କ୍ରନିକ୍ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।