ରେଡ୍‌ ଜୋନ୍‌ରେ ଲକ୍‌ଡାଉନ୍‌ ଜାରି ରହିବ: ପ୍ରଧାନମନ୍ତ୍ରୀ

୨ ଗଜ ଦୂରତା ଓ ମାସ୍କକୁ ଗୁରୁତ୍ବ

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପରବର୍ତ୍ତୀ ରଣନୀତି ସଂପର୍କରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି। କରୋନା ମହାମାରୀ ବିରୋଧରେ ଲଢ଼ିବା ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ପଦକ୍ଷେପ ଫଳପ୍ରଦ ସାବ୍ୟସ୍ତ ହୋଇଛି। ଦେଶର ଅର୍ଥ ବ୍ୟବସ୍ଥାକୁ ପୁଣି ସ୍ବାଭାବିକ କରିବା ପାଇଁ ରାଜ୍ୟମାନେ ସୁଚିନ୍ତିତ ରଣନୀତିରେ ଆଗକୁ ବଢ଼ିବାକୁ ହେବ। ‘ଦୁଇ ଗଜ ଦୂର’ ମନ୍ତ୍ରକୁ ଧ୍ୟାନରେ ରହି ଏବଂ ସାମାଜିକ
ଦୂରତ୍ବକୁ ପାଳନ ସହିତ ଏହି ସଙ୍କଟରୁ ମୁକୁଳିବା ପାଇଁ ଆମକୁ କାମ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆଜି ଚତୁର୍ଥ ଥର ପାଇଁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳ ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରାୟ ୩ ଘଣ୍ଟା ଧରି ଆଲୋଚନା କରିଛନ୍ତି।

ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ମହାମାରୀ ଆହୁରି ଅନେକ ଦିନ ଧରି ତା’ର ପ୍ରକୋପ ଜାରି ରଖିବା ଆଶଙ୍କା ରହିଛି ଏବଂ ଏଥିରୁ ମୁକୁଳିବା ପାଇଁ ସବୁ ରାଜ୍ୟ ବେଶ୍‌ ସତର୍କତାର ସହ ଆଗକୁ ବଢ଼ିବାକୁ ହେବ। ସମୟୋଚିତ ପଦକ୍ଷେପ ଏବଂ ଲକ୍‌ଡାଉନ୍‌ ଯୋଗୁଁ ହଜାର ହଜାର ଲୋକଙ୍କ ଜୀବନ ରକ୍ଷା ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ବିଚାର କଲେ ଆମର ସ୍ଥିତି ଅନ୍ୟ ଦେଶ ତୁଳ ଅଛି, କିନ୍ତୁ ଭୂତାଣୁ ବିପଦ ଆହୁରି ଅନେକ ଦିନ ଧରି ରହିବାକୁ ଥିବାରୁ ସତର୍କତା ହିଁ ଏ କ୍ଷେତ୍ରରେ ସବୁଠାରୁ ଗ୍ରହଣୀୟ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କୁ କହିଛନ୍ତି।

ଲକ୍‌ଡାଉନ୍‌ ହଟିବା ପରେ ଆମକୁ ଆଗକୁ ଯେଉଁ ରାସ୍ତାରେ ଯିବାକୁ ହେବ ସେ ନେଇ ଚିନ୍ତା କରିବାକୁ ପଡ଼ିବ ଏବଂ ସାମାଜିକ ଦୂରତ୍ବ ନିୟମକୁ ପାଳନ କରି ଆମକୁ ସଫଳତା ହାସଲ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ବୈଠକରେ ଲକ୍‌ଡାଉନ୍‌ ହଟାଇବା ନେଇ ଆଜି କୌଣସି ସହମତି ପ୍ରକାଶ ପାଇନଥିବା ବେଳେ ଦେଶର ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ କେତେକ ସ୍ବତନ୍ତ୍ର ପଦକ୍ଷେପ ସଂପର୍କରେ ଆଲୋଚନା ହୋଇଛି। ଯେଉଁ ଅଂଚଳରେ କରୋନା ମହାମାରୀ ମାମଲା ନାହିଁ ସେଠାରେ କଟକଣା ହଟାଇବା ଦିଗରେ ଗୁରୁତ୍ବାରୋପ କରାଯାଇଛି। ଯେଉଁ ଅଂଚଳ ହଟ୍‌ସ୍ପଟ୍‌ ପାଲଟିଛି ସେଠାରେ ପୂର୍ବଭଳି କଠୋର କଟକଣା ଜାରି ରଖିବାକୁ ମଧ୍ୟ ମତପ୍ରକାଶ ପାଇଛି। ୪ ଜଣ ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ୍‌ ଅବଧି ବଢ଼ାଇବାକୁ ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶେଷଜ୍ଞଙ୍କ ମତ ଅନୁଯାୟୀ କରୋନା ବିପଦ ଯେହେତୁ ଏବେ ଟଳିବ ନାହିଁ, ତେଣୁ ଆମକୁ ମାସ୍କ ବ୍ୟବହାର କରିବା ଏବଂ ସାମଜିକ ଦୂରତ୍ବ ପାଳନକୁ ଆମ ଜୀବନଶୈଳୀର ଏକ ଅଂଶ ଭାବେ ଗ୍ରହଣ କରିବାକୁ ହେବା। କରୋନା ବିରୋଧରେ ଦେଶର ଲଢ଼େଇକୁ ଆହୁରି ମଜବୁତ କରିବା ପାଇଁ ଦେଶବାସୀ ଆରୋଗ୍ୟ ସେତୁ ଆପ୍‌ ଡାଉନ୍‌ଲୋଡନ କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ରାଜ୍ୟମାନେ ହଟ୍‌ସ୍ପଟ୍‌ ଅଂଚଳରେ ସଂପୂର୍ଣ୍ଣ ଲକ୍‌ଡାଉନ୍‌ ସମ୍ବନ୍ଧିତ ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି। ସମସ୍ତ ରେଡ୍‌ ଜୋନ୍‌ ଏବଂ ଅରେଂଜ୍‌ ଜୋନ୍‌କୁ ଗ୍ରୀନ୍‌ ଜୋନ୍‌ରେ ପରିଣତ କରିବା ଦିଗରେ ସବୁ ପ୍ରୟାସ ହେଉ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଗକୁ ରଣନୀତି ପ୍ରସ୍ତୁତ କରିବା ସମୟରେ ଜଳବାୟୁରେ ହେଉଥିବା ପରିବର୍ତ୍ତନ, ଗ୍ରୀଷ୍ମ ଏବଂ ମୌସୁମୀ ସମୟରେ ହେଉଥିବା ରୋଗ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କରୋନା ରୋଗୀ ଯେଭଳି କୌଣସି ସାମାଜିକ କଳଙ୍କର ଶିକାର ନହୁଅନ୍ତି ସେଥିପ୍ରତି ରାଜ୍ୟ ସରକାରମାନେ ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି।

ଏହି ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଇ.କେ. ପଲାନିସ୍ବାମୀ, ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସାଂଗମା, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଗୃହମନ୍ତ୍ରୀ ଅମିତ ଶାହ, ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ, ପିଏମ୍‌ଓ ଏବଂ ସ୍ବାସ୍ଥ୍ୟମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର