ଲଢ଼ୁଆ ଏଫ୍‌-୨୧ ଜେଟ କିଣିବା ପାଇଁ ପ୍ରସ୍ତାବକୁ ଭାରତ ଯଦି ଚୂଡ଼ାନ୍ତ କରେ ତେବେ ବିଶ୍ୱର ଅନ୍ୟ କୌଣସି ରାଷ୍ଟ୍ରକୁ ଏହି ଲଢ଼ୁଆ ବିମାନକୁ ବିକ୍ରୟ କରିବ ନାହିଁ ଲକ୍‌ହିଡ୍‌ ମାର୍ଟିନ୍‌

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଅଗ୍ରଗଣ୍ୟ ଥିବା ଆମେରିକୀୟ ଲଢ଼ୁଆ ବିମାନ ନିର୍ମାଣକାରୀ କମ୍ପାନି ଲକ୍‌ହିଡ୍‌ ମାର୍ଟିନ୍‌ ଆଜି ଘୋଷଣା କରି କହିଛି ଯେ ଯଦି ଭାରତ ତା’ ନିକଟରୁ ୧୧୪ଟି ଅତ୍ୟାଧୁନିକ ଲଢ଼ୁଆ ଏଫ୍‌-୨୧ ଜେଟ କିଣିବା ପାଇଁ ପ୍ରସ୍ତାବକୁ ଚୂଡ଼ାନ୍ତ କରେ ତେବେ କମ୍ପାନି ଆଉ ବିଶ୍ୱର ଅନ୍ୟ କୌଣସି ରାଷ୍ଟ୍ରକୁ ଏହି ଲଢ଼ୁଆ ଏଫ୍‌-୨୧ ଜେଟ୍‌ ବିକ୍ରୟ କରିବ ନାହିଁ। ଭାରତ ଏବେ ନିଜର ବାୟୁସେନା ପାଇଁ ୧୧୪ଟି ଅତ୍ୟାଧୁନିକ ଲଢ଼ୁଆ ଜେଟ୍‌ କ୍ରୟ କରିବା ପାଇଁ ଆମେରିକା, ୟୁରୋପ ଓ ଋଷିଆର ଲଢ଼ୁଆ ବିମାନ ନିର୍ମାଣକାରୀ କମ୍ପାନିମାନଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିବା ବେଳେ ଆମେରିକୀୟ କମ୍ପାନି ଲକ୍‌ହିଡ୍‌ ମାର୍ଟିନ୍‌ ଆଜି ଏହି ପ୍ରସ୍ତାବ ଭାରତକୁ ଦେଇଛି।

ଲକ୍‌ହିଡ୍‌ ମାର୍ଟିନ୍‌ର ଭାଇସ୍‌ ପ୍ରେସିଡେଣ୍ଟ ବିବେକ ଲାଲ ଆଜି ଗଣମାଧ୍ୟମକୁ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ଭାରତ ଯଦି କମ୍ପାନିର ଏହି ପ୍ରସ୍ତାବରେ ରାଜିହୁଏ ତେବେ, ନିଜର ବାୟୁସେନାର ଶକ୍ତି ଆଧାରରେ ଭାରତ ବିଶ୍ୱ ଶକ୍ତିରେ ପରିଣତ ହେବ। କାରଣ, କମ୍ପାନି ପକ୍ଷରୁ ନିର୍ମିତ ହୋଇଥିବା ଏହି ଅତ୍ୟାଧୁନିକ ଏଫ୍‌-୨୧ ଲଢ଼ୁଆ ଜେଟ୍‌ ସବୁରେ ଅତ୍ୟାଧୁନିକ ଇଞ୍ଜିନ୍‌ ସହ ‘ଇଲେକ୍ଟ୍ରୋନିକ୍‌ ଓ୍ଵାରଫେୟାର ସିଷ୍ଟମ’ ସହ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ମଧ୍ୟ ରହିଛି। ତେବେ, ସବୁଠାରୁ ବଡ଼କଥା ହେଲା, ଏହି ବିମାନକୁ ଭାରତ ତା’ର ସମସ୍ତ ୬୦ଟି ଯାକ ବାୟୁସେନା ଘାଟୀରେ ମୁତୟନ କରିପାରିବ। ୧୮ ବିଲିୟନ ଆମେରିକୀୟ ଡଲାର ବିନିମୟରେ ଭାରତ ଯଦି ସମସ୍ତ ୧୧୪ଟି ଯାକ ଲଢ଼ୁଆ ଏଫ୍‌-୨୧ ଜେଟ୍‌ କିଣିବା ପାଇଁ ପ୍ରସ୍ତାବକୁ ଚୂଡ଼ାନ୍ତ କରେ, ତେବେ କମ୍ପାନି ତା’ର ଏହି ଲଢ଼ୁଆ ବିମାନକୁ ବିଶ୍ୱର ଅନ୍ୟ କୌଣସି ରାଷ୍ଟ୍ରକୁ ବିକ୍ରୟ କରିବ ନାହିଁ ବୋଲି କହିଛନ୍ତି କମ୍ପାନିର ଭାଇସ୍‌ ପ୍ରେସିଡେଣ୍ଟ ଲାଲ।

ସମ୍ବନ୍ଧିତ ଖବର