ମୁମ୍ବାଇ : ମହାରାଷ୍ଟ୍ରରେ ଜଣେ ଟ୍ରେନ ଚାଳକ ଟ୍ରେନକୁ ଅଧା ବାଟରେ ଅଟକାଇ ରେଳଧାରଣା ଉପରେ ପରିଶ୍ରା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସବୁଠାରୁ ବଡ଼ କଥା ହେଲା, ଟ୍ରେନ ଚାଳକ ଏଭଳି କାମ କରୁଥିବା ବେଳେ କେହି ଜଣେ ତାଙ୍କର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହା ଏବେ ଭାଇରାଲ ହେବାରେ ଲାଗିଛି । ଟ୍ରେନଟି ଉଲ୍ଲାସନଗରରୁ ମୁମ୍ବାଇ ଯାଉଥିବା ବେଳେ ଚାଳକଜଣଙ୍କ ଏଭଳି କରିଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ଉଲ୍ଲାସନଗରରୁ ମୁମ୍ବାଇ ଯାଉଥିବା ଟ୍ରେନକୁ ବିଟ୍ଟଲବାଡି ଷ୍ଟେସନ ପୂର୍ବରୁ ଅଟକାଇଥିଲେ ଚାଳକ । ଯାହା ପରେ ବାହାରକୁ ବାହାରି ସେ ରେଳଧାରଣା ଉପରେ ଟ୍ରେନ ଆଡ଼କୁ ମୁହଁକୁ କରି ପରିଶ୍ରା କରିଥିଲେ । ତାଙ୍କ ପାଖ ଦେଇ ଆଉ ଗୋଟେ ଟ୍ରେନ ଯିବା ପରେ ସେ ଭିତରକୁ ଯାଇ ଟ୍ରେନ ଚଳାଇବା ଆରମ୍ଭ କରିଥିଲେ । ଅନ୍ୟ ପକ୍ଷରେ, ଭିଡିଓ ସାମ୍ନାକୁ ଆସିବା ପରେ କେନ୍ଦ୍ରୀୟ ରେଳବାଇ ଘଟଣାର ତଦନ୍ତ ଆଦେଶ ଦେଇଛନ୍ତି । ଯଦି ତଦନ୍ତ ପରେ ଚାଳକ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ଉଚିତ ଦଣ୍ଡ ଦିଆଯିବ ବୋଲି କେନ୍ଦ୍ରୀୟ ରେଳବାଇ ପକ୍ଷରୁ କୁହାଯାଇଛି ।