ପାକିସ୍ତାନରେ ପଙ୍ଗପାଳ ଆତଙ୍କ: ଜରୁରୀ ପରିସ୍ଥିତି ଘୋଷଣା କଲେ ସରକାର

ଇସଲାମାବାଦ : ପାକିସ୍ତାନରେ ପଙ୍ଗପାଳ ଆକ୍ରମଣ ‌ଯୋଗୁଁ ବ୍ୟାପକ ଫସଲହାନି ଘଟିଛି। ଏହି ସମସ୍ୟା ଏବେ ଅତି ଜଟିଳ ରୂପ ଧାରଣ କରିଛି ଏବଂ ପାକିସ୍ତାନ ସରକାର ଏହାକୁ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାକୁ ବାଧ୍ୟ ହୋଇଛନ୍ତି। ପଙ୍ଗପାଳ ଆକ୍ରମଣରେ ପାକିସ୍ତାନର ସିନ୍ଧୁ ପ୍ରଦେଶ ପରେ ପଞ୍ଜାବରେ ବ୍ୟାପକ ମାତ୍ରାରେ ଫସଲ ଧ୍ବଂସ ହୋଇଛି। ଗତକାଲି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପଙ୍ଗପାଳଜନିତ ଫସଲ କ୍ଷୟକ୍ଷତିକୁ ଦେଶର ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି। ଏହି ବୈଠକରେ ବହୁ ବରିଷ୍ଠ ମନ୍ତ୍ରୀ ଏବଂ ପାକିସ୍ତାନର ୪ ପ୍ରଦେଶର ଅଧିକାରୀମାନେ ସାମିଲ ଥିଲେ। ଏଥିନେଇ ଏକ ଏନ୍‌ଏପି (ନ୍ୟାସନାଲ ଆକ୍ସନ ପ୍ଲାନ୍‌) ପ୍ରସ୍ତୁତ କରିବାକୁ ସରକାର ମଞ୍ଜୁର କରିଛନ୍ତି। ସୂଚନାଯୋଗ୍ୟ, ଗତ ୨୦୧୯ ମାର୍ଚ୍ଚରେ ପ୍ରଥମେ ପାକିସ୍ତାନର ସିନ୍ଧୁ ପ୍ରଦେଶ, ଦକ୍ଷିଣ ପଞ୍ଜାବ, ଖାଇବର ଆଦି ଅଞ୍ଚଳରେ ପଙ୍ଗପାଳ ଆକ୍ରମଣ ଯୋଗୁଁ ୯,୦୦,୦୦୦ ହେକ୍ଟର ଚାଷ ଜମିକୁ ଧ୍ବଂସ କରିଦେଇଥିଲେ।

ସମ୍ବନ୍ଧିତ ଖବର