ନୂଆଦିଲ୍ଲୀ : ଭାରତରେ ଏବେ କରୋନା ଆତଙ୍କ ସହ ପଙ୍ଗପାଳମାନେ ମଧ୍ୟ ଲୋକଙ୍କୁ ଆତଙ୍କିତ କରି ରଖିଛନ୍ତି | ବର୍ତ୍ତମାନ ଭାରତର ବିଭିନ୍ନ ରାଜ୍ୟରେ ପ୍ରବେଶ କରି ପଙ୍ଗପାଳମାନେ ଫସଲ ନଷ୍ଟ କରିବାରେ ଲାଗି ପଡିଥିବା ବେଳେ କୃଷକମାନଙ୍କ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ପାଲଟିଛି | ତେବେ ଲକ୍ଷ ଲକ୍ଷ ସଂଖ୍ୟାରେ ପଙ୍ଗପାଳମାନେ ଭାରତକୁ ପ୍ରବେଶ କରିବାଟା କେବଳ କୃଷକମାନଙ୍କ ପାଇଁ ନୁହେଁ ବରଂ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ପାଇଁ ମଧ୍ୟ ଚିନ୍ତାର କାରଣ ପାଲଟିଛି | ବିମାନ ଉଡ଼ାଣ ଓ ଅବତରଣ ସମୟରେ ପଙ୍ଗପାଳ ସମସ୍ୟା ସୃଷ୍ଟି କରିପାରନ୍ତି ବୋଲି କହିବା ସହ ପାଇଲଟ ଏବଂ ଇଂଜିନିୟରମାନଙ୍କୁ ସତର୍କ ରହିବାକୁ ଡିଜିସିଏ ନିର୍ଦେଶ ଦେଇଛି |
Sambad is now on WhatsApp
Join and get latest news updates delivered to you via WhatsApp
ବିଭିନ୍ନ ବିମାନ କମ୍ପାନୀକୁ ସର୍କୁଲାର୍ ଜାରି କରି ଡିଜିସିଏ କହିଛି ଯେ, ପଙ୍ଗପାଳମାନେ ସାଧାରଣତଃ ବାୟୁର ନିମ୍ନସ୍ତରରେ ଯାତାୟାତ କରନ୍ତି | ଯାହାଫଳରେ ବିମାନ ଉଡ଼ାଣ ଓ ଅବତରଣ ସମୟରେ ସେମାନେ ବିମାନ ସହ ଧକ୍କା ଖାଇବାର ସମ୍ଭାବନା ଅଧିକ ରହିଛି | ଯଦି ପଙ୍ଗପାଳମାନେ ଯାଉଥିବା ସମୟରେ ବିମାନ ଉଡ଼ାଣ ବା ଅବତରଣ କରେ ତେବେ ସେମାନେ ବିମାନର ଏୟାର ଇନଲେଟ୍ ଏବଂ ଇଂଜିନ ଇନଲେଟ୍ ଭିତରକୁ ପ୍ରବେଶ କରିବାର ସମ୍ଭାବନା ରହିଛି | ଏଭଳି ହେଲେ ବିମାନ ଦୁର୍ଘଟଣାର ଶିକାର ହେବାର ମଧ୍ୟ ଆଶଙ୍କା ରହିଛି | ତେଣୁ ଉଡ଼ାଣ ବା ଅବତରଣ ସମୟରେ ପଙ୍ଗପାଳର ଗତିବିଧି ଉପରେ ନଜର ରଖାଯିବ ଅତ୍ୟନ୍ତ ଜରୁରୀ | ରାତି ସମୟରେ ପଙ୍ଗପାଳମାନେ ଯାତାୟତ କରୁ ନଥିବାରୁ ଏହି ସମୟରେ ବିମାନ ଉଡ଼ାଣ ବା ଅବତରଣରେ କୌଣସି ସମସ୍ୟା ଉପୁଜିବ ନାହିଁ ବୋଲି ଡିଜିସିଏ କହିଛି |