ଚତୁର୍ଥ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ନିମନ୍ତେ ଲୋଗୋ, ଆନ୍ଥେମ୍ ଓ ମାସ୍କଟ୍ ଉନ୍ମୋଚିତ

ପଞ୍ଚକୁଲା : ଚତୁର୍ଥ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ (ଯୁବ କ୍ରୀଡା)ରେ ସାରା ଦେଶରୁ ୮୫୦୦ ଖେଳାଳିଙ୍କୁ ନେଇ ଏକ ସର୍ବ ବୃହତ୍ ଦଳ ଅଂଶଗ୍ରହଣ କରିବ। କେନ୍ଦ୍ର ଯୁବ ବ୍ୟାପାର ତଥା କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଶନିବାର ଦିନ ପଂଚକୁଲାସ୍ଥିତ ଇନ୍ଦ୍ରଧନୁଷ୍‌ ଅଡିଟୋରିୟମରେ ଚତୁର୍ଥ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ପାଇଁ ଲୋଗୋ, ଆନ୍ଥେମ୍ (ସଙ୍ଗୀତ), ଜର୍ସି ଏବଂ ମାସ୍କଟ୍‌କୁ ଲୋକାର୍ପଣ କରିବା ଅବସରରେ ଏହା କହିଛନ୍ତି। ‌ସେ ଏହା ମଧ୍ୟ କହିଛନ୍ତି ଯେ, ଦେଶର ସମୁଦାୟ ଜନସଂଖ୍ୟାର ପ୍ରାୟ ୨% ଜନସଂଖ୍ୟା ବିଶିଷ୍ଟ ହରିୟାଣା ଅଧିକାଂଶ କ୍ରୀଡ଼ା ପ୍ରତିଯୋଗିତାରେ ପଦକ ହାସଲ କରୁଛି।

ପାରମ୍ପରିକ ଖେଳଗୁଡିକର ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇ ଶ୍ରୀ ଠାକୁର କହିଥିଲେ ଯେ, ପାଂଚ ପ୍ରକାରର ପାରମ୍ପରିକ କ୍ରୀଡା, ଯଥା : ଗଟକା, କଲାରୀପାୟଟ୍ଟୁ, ଥାଙ୍ଗ୍–ତା, ମଲ୍ଲଖମ୍ବା ଏବଂ ଯୋଗାସନ ଆଗାମୀ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମର ଅଂଶ ବିଶେଷ ହେବ। ୟୁଥ୍ ଗେମ୍ସ (ଯୁବ କ୍ରୀଡା) ଏବଂ ନିକଟରେ ଶେଷ ହୋଇଥିବା ଖେଲୋ ଇଣ୍ଡିଆ ଅଧୀନରେ ଆୟୋଜିତ ୟୁନିଭର୍ସିଟି ଗେମ୍ସ (ବିଶ୍ୱବିଦ୍ୟାଳୟ କ୍ରୀଡା) ନିଶ୍ଚିତରୂପେ ଯୁବକମାନଙ୍କର ଭବିଷ୍ୟତର ବଡ଼ ଲକ୍ଷ୍ୟ ନିମନ୍ତେ ଆଗେଇ ଯିବା ପାଇଁ ପ୍ରେରଣା ଯୋଗାଇବ। ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ କହିଥିଲେ ଯେ, ରାଜ୍ୟ ଏହି ଆୟୋଜନର ସମ୍ପୂର୍ଣ୍ଣ ପ୍ରସ୍ତୁତିରେ ଲାଗି ପଡିଛି। ସେ ହରିୟାଣାକୁ ଏହି କ୍ରୀଡ଼ା ଆୟୋଜନ କରିବା ନିମନ୍ତେ ଅବସର ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, ତାଙ୍କ ରାଜ୍ୟ ଦେଶ ପାଇଁ କେବଳ ଖାଦ୍ୟ ଉତ୍ପାଦନ କରୁନାହିଁ, ଖେଳାଳିମାନଙ୍କ ମାଧ୍ୟମରେ ପଦକ ମଧ୍ୟ ଉପାର୍ଜନ କରୁଛି। ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଏହା ମଧ୍ୟ କହିଥିଲେ ଯେ, ଖେଳ ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ନିମନ୍ତେ ବହୁତ ଉପଯୋଗୀ। ସୂଚନାଯୋଗ୍ୟ କଳା ହରିଣ ‘ଜୟ’ ଏବଂ ବାଘ ‘ବିଜୟ’ ହେଉଛନ୍ତି ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସର ମାସ୍କଟ୍। ୪ ଜୁନ୍‌ରୁ ୧୩ ଜୁନ୍ ପର୍ଯ୍ୟନ୍ତ ହରିୟାଣାରେ ଚତୁର୍ଥ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ୍, ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା, ହରିୟାଣା ବିଧାନସଭାର ବାଚସ୍ପତି ଜ୍ଞାନଚାନ୍ଦ ଗୁପ୍ତା, କ୍ରୀଡାମନ୍ତ୍ରୀ ସନ୍ଦୀପ ସିଂହ, ଭାରତ ସରକାରଙ୍କ ପୂର୍ବତନ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ରତନ ଲାଲ୍ କଟାରିଆ ଏବଂ ହରିୟାଣାର ମୁଖ୍ୟ ସଚିବ ସଞ୍ଜୀବ କୌଶଲ୍ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର