ନୂଆଦିଲ୍ଲୀ : ଆଜି ଲୋକସଭା ଓ ରାଜ୍ୟସଭା ଶୂନ୍ୟକାଳରେ ଓଡ଼ିଶାର ଦୁଇ ଜଣ ବିଜେଡି ସାଂସଦ ଓଡ଼ିଆରେ ସେମାନଙ୍କ ପ୍ରସଙ୍ଗ ଉପସ୍ଥାପନ କରିଥିଲେ।

Advertisment

ପ୍ରଥମେ ରାଜ୍ୟସଭାରେ ସାଂସଦ ଅମର ପଟ୍ଟନାୟକ ଓଡ଼ିଶାରେ ଟେଲି ଡେନ୍‌ସିଟି ବା ଟେଲି ସାନ୍ଦ୍ରତା ବୃଦ୍ଧି କରିବା ପାଇଁ ଦାବି କରିଥିଲେ। ସେ କହିଥିଲେ, ସର୍ବ ଭାରତୀୟ ସ୍ତରରେ ଟେଲି ଡେନ୍‌ସିଟିର ହାର ୯୨ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହାର ପ୍ରତିଶତ ରହିଛି ୭୭.୨୨ । ଓଡ଼ିଶାରୁ ଏବେ ମଧ୍ୟ ଶହେ ଜଣରୁ ୩୦ ଜଣ ଲୋକ ମୋବାଇଲ ଫୋନ୍ ସେବାରୁ ବଞ୍ଚିତ ହେଉଛନ୍ତି। ଓଡ଼ିଶାରେ ୧୦ ହଜାର ଗାଁ ମୋବାଇଲ ସେବାରୁ ବଞ୍ଚିତ ରହିଛି, ଯେଉଁଥିରେ ୭୯ ପ୍ରତିଶତ ଗାଁ ମାଓ ପ୍ରବଣ ଇଲାକାରେ। ୭୯ ପ୍ରତିଶତ ଗାଁର ଲୋକମାନଙ୍କ ପାଖରେ ମୋବାଇଲ ସେବା ପହଞ୍ଚିଥିବା ବେଳେ ୯୯୪୦ (୨୧ ପ୍ରତିଶତ) ଗାଁକୁ ଏବେ ବି ମୋବାଇଲ ସେବା ପହଞ୍ଚି ପାରିନାହିଁ ।

ସେହିଭଳି, ଲୋକସଭାରେ ବିଜେଡି ସାଂସଦ ମହେଶ ସାହୁ ଶୂନ୍ୟକାଳରେ ଓଡ଼ିଆରେ ତାଙ୍କର ବିତର୍କ ରଖି କଟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରଦାନ କରିବା ପାଇଁ ଦାବି କରିଥିଲେ। ଆଜି ରାଜ୍ୟସଭାର ଶୂନ୍ୟକାଳରେ ବିଜେଡି ସାଂସଦ ସରୋଜିନୀ ହେମ୍ବ୍ରମଙ୍କ ଦ୍ବାରା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ରୋପ୍ ୱେ ନିର୍ମାଣ କରିବା ସହିତ ସେଠାରେ ପର୍ଯ୍ୟଟନ ବିକାଶ କରିବା ନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏତଦ୍‌ବ୍ୟତୀତ ଆଜି ରାଜ୍ୟସଭାର ପ୍ରଶ୍ନକାଳରେ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ଦ୍ବାରା ଦେଶର ନ୍ୟୁକ୍ଲିୟର ପ୍ରତିଷ୍ଠାନ ମାନଙ୍କରେ ସାଇବର ଆକ୍ରମଣର ଆଶଙ୍କା ସମ୍ପର୍କିତ ଅତିରିକ୍ତ ପ୍ରଶ୍ନ ପଚରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଉତ୍ତରରେ କେନ୍ଦ୍ର ସରକାରଙ୍କ ଦ୍ବାରା ନ୍ୟୁକ୍ଲିୟର ପ୍ରତିଷ୍ଠାନ ମାନଙ୍କର ସୁରକ୍ଷାକୁ ନେଇ ନିଆଯାଉଥିବା ଏକାଧିକ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଉତ୍ତର ପ୍ରଦାନ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ଉପସ୍ଥିତ ଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଆଜି ମଧ୍ୟ ରାଜ୍ୟସଭାର ଉପାଧ୍ୟାକ୍ଷ ଏମ୍‌ ଭେଙ୍କିୟା ନାଇଡୁ ସସ୍ମିତ ପାତ୍ରଙ୍କ ପ୍ରସ୍ତୁତି ଓ ଉପସ୍ଥାପନାକୁ ପ୍ରଶଂସା କରିଥିଲେ।