ଚା’ବିକାଳି କହିଲେ; ମୋଦୀଙ୍କୁ ଆଉ ଥରେ ନୁହଁ, ରାହୁଲଙ୍କ ଭିତରେ କିଛି ନୂଆ କରିବାର ଇଚ୍ଛା ରହିଛି, ତାଙ୍କୁ ସୁଯୋଗ ମିଳିବା ଦରକାର
ଆଗ୍ରା : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜନୀତିରେ ଯୋଗ ଦେବା ପୂର୍ବରୁ ଚା’ ବିକି ନିଜର ଜୀବିକା ନିର୍ବାହ କରୁଥିଲେ । ପରେ ତାଙ୍କ ଜୀବନର ଗତିପଥ ବଦଳିବା ସହ ସେ ସଫଳତାର ପାହାଚ ଚଢ଼ିବା ଆରମ୍ଭ କରିଥିଲେ । ଆଜି ସେ ଭାରତର ପ୍ରଧାନମନ୍ତ୍ରୀ ହିସାବରେ ୫ବର୍ଷ ଦାୟିତ୍ୱ ତୁଲାଇ ସାରିଥିବା ବେଳେ ଏହି ସମୟ ମଧ୍ୟରେ ମୋଦୀଙ୍କ ଲୋକପ୍ରିୟତା ମଧ୍ୟ ବଢ଼ିଥିବା ଦେଖାଯାଇଛି । ତେବେ ଆଗ୍ରାର ଜଣେ ଚା’ ବିକାଳି ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁ ନଥିବା ଜଣା ପଡ଼ିଛି । ୨୦୧୯ର ଲୋକସଭା ନିର୍ବାଚନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଏକ ସୁଯୋଗ ମିଳିବା ଦରକାର ବୋଲି କହିଛନ୍ତି ଚା’ ବିକାଳି କିଶନ । ଜନସତ୍ତାର ଏକ ଟିମ୍ ଆଗ୍ରାରେ ପହଞ୍ଚିବା ପରେ ସେଠାରେ କିଶନଙ୍କୁ ଭେଟିଥିଲେ । ଭାରତର ପ୍ରଧାନମନ୍ତ୍ରୀ କିଏ ହେବା ଦରକାର, ସେ ନେଇ ପ୍ରଶ୍ନ କରାଯିବା ପରେ କିଶନ ରାହୁଲ ଗାନ୍ଧୀଙ୍କ ନାଁ ନେଇଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ତାଙ୍କ କହିବା ଅନୁଯାୟୀ, “ରାହୁଲ ଏବେ ଯୁବକ ଅଛନ୍ତି ଏବଂ ତାଙ୍କ ମଧ୍ୟରେ କିଛି ଅଲଗା କରି ଦେଖାଇବାର ଇଚ୍ଛା ରହିଛି । ଲୋକମାନେ ମୋଦୀ ସରକାରଙ୍କର ଅନେକ ପ୍ରଶଂସା କରୁଥିବା ମୁଁ ଦେଖୁଛି । କିନ୍ତୁ ମୋଦୀ ଏ ପର୍ଯ୍ୟନ୍ତ ନିଜର ଅନେକ ପ୍ରତିଶ୍ରୁତି ପୂରଣ କରି ନାହାନ୍ତି । ଦେଶର ଯୁବକମାନଙ୍କୁ ପ୍ରତିବର୍ଷ ୨କୋଟି ଚାକିରି ଦେବା ପାଇଁ ମୋଦୀ ୨୦୧୪ରେ କହିଥିଲେ । ଯାହା ଏ ପର୍ଯ୍ୟନ୍ତ ପୂରା ହୋଇ ପାରି ନାହିଁ । ରୋଜଗାର କଥା କହିବା ମାତ୍ରେ ସେ ନିଜର ସବୁ ଯୋଜନା ବିଷୟରେ କହିବା ଆରମ୍ଭ କରି ଦେଇଥାନ୍ତି । ସଠିକ୍ ଜିନିଷ ବିଷୟରେ ସେ କେବେ ଆଲୋଚନା କରନ୍ତି ନାହିଁ” ବୋଲି କହିଥିଲେ କିଶନ ।