ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ବିଧାନସଭା ନିର୍ବାଚନ ପରେ ଭାରତୀୟ ଜନତା ପାର୍ଟି (ବିଜେପି)ର ୧୧ ଜଣ ସାଂସଦ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଫଳରେ ଲୋକସଭାରେ ବିଜେପି ସାଂସଦଙ୍କ ସଂଖ୍ୟା ୩୦୦ରୁ ୨୮୯କୁ ହ୍ରାସ ପାଇଛି।
ସେହିପରି, ତେଲେଙ୍ଗାନା ରାଜ୍ୟ ବିଧାନସଭା ନିର୍ବାଚନ ପରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ହେବା ପାଇଁ ରେବନ୍ତ ରେଡ୍ଡୀ ମଧ୍ୟ ସଂସଦର ଲୋକସଭା ଆସନରୁ ଇସ୍ତଫା ଦେଇଛନ୍ତି। ରେବନ୍ତ ରେଡ୍ଡୀଙ୍କ ଇସ୍ତଫା ପରେ ଲୋକସଭାରେ କଂଗ୍ରେସ ସାଂସଦଙ୍କ ସଂଖ୍ୟା ୫୧ରୁ ୫୦କୁ ହ୍ରାସ ପାଇଛି।
ଅନ୍ୟ ପକ୍ଷରେ ସଂସଦର ଲୋକସଭାରୁ ମହୁଆ ମୈତ୍ରଙ୍କୁ ବହିଷ୍କାର କରାଯିବା ପରେ ତୃଣମୂଳ କଂଗ୍ରେସ (ଟିଏମ୍ସି)ର ସଂଖ୍ୟା ୨୩ରୁ ୨୨କୁ ହ୍ରାସ ପାଇଛି।
ଏହିପରି ଭାବେ ସପ୍ତଦଶ ଲୋକସଭାରେ ଏବେ ସମୁଦାୟ ୧୭ଟି ସାଂସଦ ପଦବୀ ଖାଲି ପଡ଼ିଛି।
ତେବେ, ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆଉ ମାତ୍ର ୬ ମାସରୁ କମ୍ ସମୟ ବାକି ରହିଯାଇ ଥିବାରୁ ଏହି ଆସନଗୁଡ଼ିକ ପାଇଁ ଆଉ ଉପନିର୍ବାଚନ ଅନୁଷ୍ଠିତ ହେବ ନାହିଁ ବୋଲି ଜାଣିବାକୁ ମିଳିଛି। ଆସନ୍ତା ୨୦୨୪ ଗ୍ରୀଷ୍ମ ଋତୁରେ ହେବାକୁ ଥିବା ସାଧାରଣ ନିର୍ବାଚନ ସହ ଏହି ଆସନଗୁଡ଼ିକ ପାଇଁ ନିର୍ବାଚନ ହେବାର ସମ୍ଭାବନା ରହିଛି।