ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ଆଜି ଥିଲା ଚତୁର୍ଥ ଦିବସ। ଆଜି କେନ୍ଦ୍ର ବ‌ଜେଟ୍‌ ୨୦୨୪-୨୫ ଉପରେ ସଂସଦର ଉଭୟ ଗୃହରେ ଆଲୋଚନା ହୋଇଥିଲା। ବିରୋଧୀମାନେ ବଜେଟ୍‌କୁ ବିରୋଧ କରି ବାରମ୍ବାର ଗୃହ କାର୍ଯ୍ୟରେ ବାଧା ସୃ‌ଷ୍ଟି କରିଥିଲେ। କେନ୍ଦ୍ର ବଜେଟ୍‌ କେବଳ ଆନ୍ଧ୍ରପ୍ର‌ଦେଶ ଏବଂ ବିହାର ପାଇଁ ଆସିଛି କହି ବିରୋଧୀମାନେ ହଟ୍ଟଗୋଳ କରିବାରୁ ଗୃହକୁ ବାରମ୍ବାର ମୁଲତବୀ ରଖାଯାଇଥିଲା। ରାଜ୍ୟସଭାରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା। ବିରୋଧୀ ସାଂସଦମାନେ ବଜେଟ୍‌ ଗରିବ ଏବଂ ଆଦିବାସୀ ବିରୋଧୀ, ମହିଳା ବିରୋଧୀ କହି ହଙ୍ଗାମା କରିଥିଲେ। ଲୋକସଭା ଆଜି ୨ ଥର ମୁଲତବୀ ରହିଥିଲା।

Advertisment

ଆଜି ‌ଲୋକସଭାରେ କଂଗ୍ରେସ ସାଂସଦ ଚରଣଜିତ ସିଂହ ଚନ୍ନି ଏକ ବିବାଦୀୟ ବୟାନ ଦେଇଥିଲେ। ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ବିବାଦୀୟ ଖଦୁର ସାହିବ ସାଂସଦ ଅମୃତପାଲ୍‌ ସିଂହଙ୍କର ବାକ୍‌ ସ୍ବାଧୀନତା ଛଡ଼ାଇ ନେଇଛନ୍ତି ବୋଲି ଚନ୍ନି କହିଥିଲେ। ସେ କହିଥିଲେ, ଶାସକ ଦଳ ପ୍ରତିଦିନ ଇମର୍ଜେନ୍ସି କଥା କହୁଛି। କିନ୍ତୁ ଆଜି ଦେଶରେ ଚାଲିଥିବା ଅଘୋ‌ଷିତ ଇମର୍ଜେନ୍ସି ସଂପର୍କରେ ସେମାନେ କିଛି କହୁନାହାନ୍ତି। ପଂଜାବରେ ଜଣେ ବ୍ୟକ୍ତି ୨୦ ଲକ୍ଷ ଲୋକଙ୍କ ଦ୍ବାରା ନିର୍ବାଚିତ ହେବାପରେ ମଧ୍ୟ ଏନ୍‌ଏସ୍‌ଏ ଅଧୀନରେ ଜେଲ୍‌ରେ ରହିବା ଜରୁରୀ ପରିସ୍ଥିତି ସହ ତୁଳନୀୟ ବୋଲି ଚନ୍ନି କହିଛନ୍ତି। ସେ ତାଙ୍କ ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କ ମତ ସଂସଦରେ ରଖିପାରୁନାହାନ୍ତି। ଏହା ମଧ୍ୟ ଜରୁରୀ ପରିସ୍ଥିତି। ଚନ୍ନିଙ୍କୁ ଜବାବ ଦେଇ ବିଜେପି ସାଂସଦ ରବନିତ ସିଂହ ବିଟ୍ଟୁ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ନି ଦେଶଦ୍ରୋହୀ ଭଳି ଆଚରଣ ଦେଖାଉଛନ୍ତି ଏବଂ ସଂସଦରୁ ସେ ସମଗ୍ର ଦେଶକୁ ଭୁଲ୍‌ ସୂଚନା ଦେଉଛନ୍ତି। ବିଜେପି ସାଂସଦ ଦିନେଶ ଶର୍ମା ମଧ୍ୟ ଚନ୍ନିଙ୍କୁ କଡ଼ା ବିରୋଧ କରିଛନ୍ତି। ଚନ୍ନି ଆତଙ୍କବାଦୀଙ୍କ ସପକ୍ଷରେ କହିଛନ୍ତି ଏବଂ ସେ କଂଗ୍ରେସରୁ ବହିଷ୍କୃତ ହେବା ଉଚିତ ବୋଲି ଶର୍ମା ଦାବି କରିଛନ୍ତି।