ଲୋକସଭାରେ ଗୃହୀତ ହେଲା ଖାଉଟି ସୁରକ୍ଷା ବିଲ ୨୦୧୯, ପ୍ରତିଷ୍ଠା ହେବ କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ

ନୂଆଦିଲ୍ଲୀ : ଲୋକସଭାରେ ଆଜି ଖାଉଟି ସୁରକ୍ଷା ବିଲ୍‌ ୨୦୧୯ ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି । ଆଇନରେ ପରିଣତ ହେବା ପରେ ଏହି ବିଲ୍‌ ଖାଉଟି ସୁରକ୍ଷା ଆଇନ ୧୯୮୬ ବଦଳରେ ଲାଗୁ ହେବ । କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମ ବିଳାଶ ପାଶ୍ୱାନ ଏହି ବିଲକୁ ଲୋକସଭାରେ ଆଗତ କରିଥିଲେ ।

ଏହି ବିଲରେ ଖାଉଟିଙ୍କ ଅଧିକାରର ସୁରକ୍ଷା ପାଇଁ ବିଭିନ୍ନ ବ୍ୟବସ୍ଥା ରହିଛି । ଗ୍ରାହକ ବା ଖାଉଟିଙ୍କ ବିଭିନ୍ନ ପ୍ରକାରର ଅଭିଯୋଗର ତ୍ୱରିତ ଶୁଣାଣି ପାଇଁ ଏଥିରେ ଏକ କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ ପ୍ରତିଷ୍ଠା କରାଯିବାର ବ୍ୟବସ୍ଥା ରହିଛି । ଏଥିରେ ମଧ୍ୟ କେନ୍ଦ୍ର, ରାଜ୍ୟ ଓ ଜିଲ୍ଲା ସ୍ତରରେ ଖାଉଟି ବିବାଦ ସମାଧାନ ଆୟୋଗ ସ୍ଥାପନ ପାଇଁ ବ୍ୟବସ୍ଥା ରହିଛି । ଆହୁରି ମଧ୍ୟ ବିଭିନ୍ନ ତ୍ରୁଟିଯୁକ୍ତ ସେବା ଓ ଦ୍ରବ୍ୟ ବିକ୍ରୟ, ବିଭ୍ରାନ୍ତିକାରୀ ବିଜ୍ଞାପନ ଆଦି ବିରୋଧରେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି ।

ଏହି ବିଲଟି ଗତ ବର୍ଷ ମଧ୍ୟ ଲୋକସଭାରେ ଆଗତ ହୋଇ ଗୃହୀତ ହୋଇଥଲା, କିନ୍ତୁ ରାଜ୍ୟସଭାରେ ଏହା ଅଟକି ରହିଯାଇଥିଲା । ନିର୍ବାଚନ ପରେ ନୂଆ ସରକାର ଗଠନ ହେବା ପରେ ସରକାର ଏହାକୁ ଗତ ଜୁଲାଇ ୮ରେ ପୁଣି ଥରେ ଲୋକସଭାରେ ଆଗତ କରିଥିଲେ ।

ସମ୍ବନ୍ଧିତ ଖବର