ତିନି ତଲାକ୍‌ ବିଲ୍‌ ଲୋକସଭାରେ ଗୃହୀତ

ବିରୋଧୀଙ୍କ ସଂଶୋଧନ ପ୍ରସ୍ତାବ କାଟ୍‌ ଖାଇଲା

କଂଗ୍ରେସର ସର୍ତ୍ତମୂଳକ ସମର୍ଥନ

ନୂଆଦିଲ୍ଲୀ : ବିଜେଡି ସମେତ କେତେକ ଆଞ୍ଚଳିକ ଦଳଙ୍କ ବିରୋଧ ମଧ୍ୟରେ ବିବାଦୀୟ ତିନି ତଲାକ ବିଲ୍‌ ଆଜି ଲୋକସଭାରେ ଗୃହୀତ ହୋଇଛି। ତଲାକକୁ ଦଣ୍ଡନୀୟ ଅପରାଧ ରୂପେ ବିଚାର କରିବା ଲାଗି ଉଦ୍ଦିଷ୍ଟ ବିଲରେ ରହିଥିବା କେତେକ ପରସ୍ପରବିରୋଧୀ ବ୍ୟବସ୍ଥାକୁ ବିରୋଧ କରି ଏହି ଦଳମାନେ ସଂଶୋଧନ ପ୍ରସ୍ତାବ ଦେଇଥିଲେ। କିନ୍ତୁ ସେସବୁ କାଟ୍‌ ଖାଇଯାଇଛି। ଏକା ଥରକେ ତିନି ତଲାକ୍‌ ପ୍ରଥାକୁ ଏଥିରେ ବେଆଇନ କରାଯାଇଥିବା ବେଳେ ଏହାର ଉଲ୍ଳଂଘନ କରୁଥିବା ଲୋକଙ୍କୁ ଜରିମାନା ସହିତ ତିନି ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଦେବାର ବ୍ୟବସ୍ଥା କରାଯାଇଛି। ଆଜି ପୂର୍ବାହ୍ନରେ ଆଗତ ଏହି ବିଲ୍‌ ସନ୍ଧ୍ୟା ବେଳେ ବାଚନିକ ଭୋଟରେ ଗୃହୀତ ହୋଇଯାଇଛି। ବିଲ୍‌ ବର୍ତମାନ ରାଜ୍ୟସଭାକୁ ଅନୁମୋଦନ ପାଇଁ ପଠାଯିବ। ବିଲକୁ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ସମର୍ଥନ କରିଥିବାରୁ ରାଜ୍ୟସଭାରେ ଏହି ବିଲକୁ ଅନୁମୋଦନ
ମିଳିବାରେ କୌଣସି ଅସୁବିଧା ରହିବ ନାହିଁ ବୋଲି କୁହାଯାଉଛି।

ଆଜି ପୂର୍ବାହ୍ନରେ ଏହି ବିଲ ଆଗତ କରିଥିଲେ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ। ମୁସ୍‌ଲିମ ମହିଳାଙ୍କ ବିବାହ ଅଧିକାର ସୁରକ୍ଷା ବିଲ୍‌-୨୦୧୭ ନାମକ ଏହି ବିଲ୍‌ ଆଜି ଲୋକସଭାରେ ଆଗତ ହେବାମାତ୍ରେ ବିରୋଧୀ ଦଳ ସାଂସଦମାନେ ବିରୋଧ କରିଥିବା ବେଳେ କଂଗ୍ରେସ ସର୍ତ୍ତମୂଳକ ଭାବେ ବିଲ୍‌କୁ ସମର୍ଥନ ଘୋଷଣା କରିଥିଲା। କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ କହିଥିଲେ ଯେ ବିଲ୍‌ରେ କେତେକ ସୁଧାର ଅଣାଯିବାକୁ କଂଗ୍ରେସର ପ୍ରସ୍ତାବ ରହିଛି। ତିନି ତଲାକ ବିଲ୍‌କୁ ସମର୍ଥନ କରିଥିବାରୁ କଂଗ୍ରେସ ନେତାଙ୍କୁ ଆଇନ ମନ୍ତ୍ରୀ ରବିଶଙ୍କର ଧନ୍ୟବାଦ ଦେଇଥିଲେ ଏବଂ ଆବଶ୍ୟକ ହେଲେ ଏଥିରେ ସଂଶୋଧନ ଆଣିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ। ସରକାରଙ୍କ ଏହି ବିଲ୍‌ରେ ତିନି ତଲାକ ମାମଲାରେ ଜେଲ୍‌ ଦଣ୍ଡ ଯୋଗୁଁ ପରିବାର ପ୍ରଭାବିତ ହେବ ଏବଂ ଅପରାଧିକ ମାମଲା ରୁଜୁ ନେଇ ରହିଥିବା ବ୍ୟବସ୍ଥା ସମସ୍ୟା ବଢ଼ାଇବ ବୋଲି ବିରୋଧୀ ଦଳ ସଭ୍ୟମାନେ କହିଥିଲେ।

ବିଜେଡି ସମେତ ଆରଜେଡି, ଆନ୍ନାଡିଏମ୍‌କେ. ସମାଜବାଦୀ ପାର୍ଟି, ମୁସଲିମ୍‌ ଲିଗ ଏବଂ ଏଆଇଏମ୍‌ଆଇଏମ୍‌ ଏହି ବିଲକୁ ବିରୋଧ କରିଥିଲେ। ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦୁଦ୍ଦିନ ଅେଓ୍ଵସି ବିଲ୍‌କୁ ଜୋରଦାର ବିରୋଧ କରିଥିଲେ ଏବଂ ଏହି ବିଲ୍‌କୁ ମହିଳା ବିରୋଧୀ ବୋଲି ମଧ୍ୟ ଆଖ୍ୟା ଦେଇଥିଲେ। ଏଥିରେ ଥିବା ଆଇନଗତ ତ୍ରୁଟି ଲୋକଙ୍କ ମୌଳିକ ଅଧିକାରକୁ ଉଲ୍ଲଂଘନ କରିବ ବୋଲି ସେ କହିଥିଲେ। ଏହାଦ୍ୱାରା ମୁସଲିମ ମହିଳା କ୍ଷତିଗ୍ରସ୍ତ ହେବେ।

ସେମାନେ ପ୍ରଶ୍ନ କରିଥିଲେ ଯେ ତଲାକ ଆଇନ ଅନୁସାରେ ଯଦି ସ୍ୱାମୀ ଜେଲ୍‌ ଯିବ ତାହାହେଲେ ତାଙ୍କ ପରିବାରର ଯତ୍ନ କିଏ ନେବ? ଏହାଛଡ଼ା ସୁପ୍ରିମ କୋର୍ଟ ତିନି ତଲାକକୁ ବେଆଇନ ଘୋଷଣା କରିଥିବା ବେଳେ ବିଲରେ ଏଭଳି ତଲାକ ପରେ ପତ୍ନୀର ଭରଣପୋଷଣ କଥା ଉଠିଲା କେଉଁଠୁ? ଏହାର ଅର୍ଥ ହେଉଛି ଏକାଥରକେ ତିନି ତଲାକ କହିଦେଲେ ଛାଡ଼ପତ୍ର ବୋଲି ଧରି ନିଆଯିବ। ଏଭଳି ପରସ୍ପରବିରୋଧୀ ବ୍ୟବସ୍ଥାରେ ସଂଶୋଧନ କରିବାକୁ ସେମାନେ ଦାବି କରିଥିଲେ।

ତେବେ ବିଲ୍‌ ଆଗତ କରି ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ ଦେଶରେ କୌଣସି ମୁସ୍‌ଲିମ ମହିଳାଙ୍କ ସହିତ ସରକାର ଅନ୍ୟାୟ ହେବାକୁ ଦେବେନାହିଁ। ସୁପ୍ରିମ୍‌ କୋର୍ଟ ତିନି ତଲାକ ମାମଲାରେ ଐତିହାସିକ ରାୟ ଦେଇ ଆଇନ ତିିଆରି କରିବାକୁ କହିଥିବାରୁ ସରକାର ଏହି ଆଦେଶ ପାଳନ କରି ତିନି ତଲାକ ବିଲ୍‌ ଆଣିଛନ୍ତି। ତିନି ତଲାକରେ ପୀଡ଼ିତା ମହିଳାଙ୍କ ମାନବାଧିକାର ସୁରକ୍ଷା ପାଇଁ ସମସ୍ତେ ଏକଜୁଟ ହୋଇ ବିଲ୍‌କୁ ସମର୍ଥନ କରିବାକୁ ରବିଶଙ୍କର ଆହ୍ଵାନ ଦେଇଥିଲେ ।

ଆଇନ ମନ୍ତ୍ରୀ ତାଙ୍କ ପକ୍ଷ ରଖି କହିଥିଲେ ଯେ ସମସ୍ତ ମୁସ୍‌ଲିମ ରାଷ୍ଟ୍ରରେ ତିନି ତଲାକ୍‌କୁ ନିୟନ୍ତ୍ରଣ କରିବାକୁ ଆଇନ ରହିଛି। ଏଥିରେ ବାଂଲାଦେଶ, ଆଫଗାନିସ୍ତାନ, ଇଜିପ୍ଟ, ମାଲେସିଆ, ଇଣ୍ଡୋସେନିଆ ଏବଂ ପାକିସ୍ତାନ ଭଳି ରାଷ୍ଟ୍ର ମଧ୍ୟ ସାମିଲ ହୋଇଛନ୍ତି। ଏଭଳି ସ୍ଥିତିରେ ଭାରତ ଭଳି ଧର୍ମନିରପେକ୍ଷ ରାଷ୍ଟ୍ର ମହିଳାଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ପଛୁଆ ରହିବ ନାହିଁ ବୋଲି ସେ କହିଛନ୍ତି। ତିନି ତଲାକ୍‌ ମାମଲା ଏକ ରାଜନୈତିକ ପ୍ରସଙ୍ଗ ନୁହେଁ, ଏହା ମହିଳାଙ୍କ ଅଧିକାରର ସୁରକ୍ଷା ପାଇଁ ମାନବିକତାର ପ୍ରସଙ୍ଗ ହୋଇଥିବାରୁ ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠି ଏ ବାବଦରେ ଆଲୋଚନା ଜରୁରୀ ବୋଲି ସେ କହିଥିଲେ।

ବିଜେପି ଲୋକସଭାରେ ତିନି ତଲାକ୍‌ ବିଲ୍‌ ଗୃହୀତ କରାଇବାକୁ ସାଂସଦମାନଙ୍କୁ ହ୍ଵିପ୍‌ ଜାରି କରିଥିଲା। ବିଲ୍‌ ଆଗତ ହେବା ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ସମସ୍ତ ସାଂସଦଙ୍କୁ ଏହି ବିଲ୍‌କୁ ଧ୍ୱନିମତରେ ଗୃହୀତ କରାଇବାକୁ ଅନୁରୋଧ କରିଥିଲେ ଏବଂ ସେହି ଆଧାରରେ ଏହା ଗୃହୀତ ହୋଇଥିବା ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର