ବ୍ୟକ୍ତିକୁ ‘ଆତଙ୍କବାଦୀ’ ଘୋଷଣା କରିପାରିବେ ସରକାର

ଲୋକସଭାରେ ଗୃହୀତ ହେଲା ୟୁଏପିଏ ସଂଶୋଧନ ବିଲ୍‌

ନୂଆଦିଲ୍ଲୀ : ସରକାର ଚାହିଁଲେ ଜଣେ ବ୍ୟକ୍ତିକୁ ଆତଙ୍କବାଦୀ ଘୋଷଣା କରିପାରିବେ। ଲୋକସଭାରେ ଆଜି ଗୃହୀତ ବେଆଇନ କାର୍ଯ୍ୟକଳାପ ନିବାରଣ ସଂଶୋଧନ (ୟୁଏପିଏ) ବିଲ୍‌ରେ ଏଭଳି ବ୍ୟବସ୍ଥା କରାଯାଇଛି। ବିରୋଧୀ ଦଳଗୁଡ଼ିକ ବିଲକୁ ବିରୋଧ କରିଥିବା ବେଳେ ସରକାର ଏହା ସପକ୍ଷରେ ଯୁକ୍ତି ଦର୍ଶାଇ କହିଛନ୍ତି କେବଳ ସଂଗଠନକୁ ନିଷିଦ୍ଧ କରିଦେଲେ ଉଦ୍ଦେଶ୍ୟ ସଫଳ ହେବନାହିଁ। ଯେଉଁ ବ୍ୟକ୍ତି ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡ଼ିତ କିିମ୍ବା ଆତଙ୍କବାଦୀ ସହ ସଂପର୍କ ରଖିଥିବ ତାକୁ ଆତଙ୍କବାଦୀ ବୋଲି ଘୋଷଣା କରାଯିବା ସହିତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆତଙ୍କବାଦର ମୂଳପୋଛ ଲାଗି ଏଭଳି ପଦକ୍ଷେପ ଜରୁରୀ ବୋଲି ସରକାର କହିଛନ୍ତି।

ବିରୋଧୀ ଦଳଙ୍କ ପ୍ରବଳ ପ୍ରତିବାଦ ଏବଂ କକ୍ଷତ୍ୟାଗ ସତ୍ତ୍ବେ ଲୋକସଭାରେ ଆଜି ଏହି ବିଲ୍‌ ପାରିତ ହୋଇଯାଇଛି। ଏହି ବିଲ୍‌ ଗତ ୮ ତାରିଖ ଦିନ ଗୃହରେ ଆଗତ କରାଯାଇଥିଲା। ବିଲ୍‌ରେ ଅଣାଯାଇଥିବା ନୂଆ ସଂଶୋଧନ ଅନୁଯାୟୀ ଜଣେ ବ୍ୟକ୍ତି ଯଦି କୌଣସି ଆତଙ୍କବାଦୀ କାଣ୍ଡ ଘଟାଇଥାନ୍ତି କିମ୍ବା କାର୍ଯ୍ୟକଳାପରେ ସାମିଲ ଥାନ୍ତି କିମ୍ବା ଏଥିପାଇଁ କ୍ଷେତ୍ର ପ୍ରସ୍ତୁତ କରିଥାନ୍ତି ତେବେ ତାଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇପାରିବ। ଆତଙ୍କବାଦୀ ସଂଗଠନ ଏବଂ ଆତଙ୍କବାଦୀଙ୍କ ସଂପତ୍ତି ଜବତ କ୍ଷେତ୍ରରେ ମଧ୍ୟ ଏହି ବିଲ୍‌ରେ କଠୋର ବ୍ୟବସ୍ଥା ରହିଛି।

କଂଗ୍ରେସ, ଟିଏମ୍‌ସି ଏବଂ ‌ଡିଏମ୍‌କେ ‌ନେତାମାନେ ବିଲ୍‌କୁ ବିରୋଧ କରି କକ୍ଷତ୍ୟାଗ କରିଥିବା ବେଳେ ମୁଲାୟମ ସିଂହ ଯାଦବଙ୍କ ସମାଜବାଦୀ ପାର୍ଟି ଏହି ବିଲ୍‌କୁ ସମର୍ଥନ କରିଛି। ଦେଶରେ ଆତଙ୍କବାଦର ମୁକାବିଲା କରିବାପାଇଁ ଏହି ସଂଶୋଧନ ଆବଶ୍ୟକ ବୋଲି ମୁଲାୟମ କହିଥିଲେ।

ବିଲ ସପକ୍ଷରେ ଦୃଢ଼ ଯୁକ୍ତି ଦର୍ଶାଇ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଆତଙ୍କବାଦ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏହି ସଂଶୋଧନ ଆବଶ୍ୟକ ଥିଲା। ଏହି ଆଇନର ଆଦୌ ଅପବ୍ୟବହାର ହେବନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ସେ କହିଲେ ଯେ ଜାତିସଂଘ ଆଇନରେ ଏଭଳି ବ୍ୟବସ୍ଥା ରହିଛି। ଆମେରିକା, ପାକିସ୍ତାନ, ଚୀନ, ୟୁରୋପ ଏବଂ ଇସ୍ରାଲରେ ମଧ୍ୟ ଏଭଳି ଆଇନ ରହିଛି। ସହରାଞ୍ଚଳରେ ମାଓ ସମର୍ଥକଙ୍କୁ ସମାଲୋଚନା କରି ଶାହ କହିଥିଲେ ଯେ ସାମାଜିକ କର୍ମକର୍ତାଙ୍କୁ ହଇରାଣ କରାଯିବ ନାହିଁ। କିନ୍ତୁ ମାଓ ସମର୍ଥକ ନେଟୱାର୍କକୁ ଧ୍ବଂସ କରାଯିବ।

ବିରୋଧୀ ଦଳମାନେ ବିଲ୍‌କୁ ବିରୋଧ କରି କହିଛନ୍ତି ଏହା ପ୍ରସ୍ତାବିତ ଆଇନର କେବଳ ଅପବ୍ୟବହାର ହେବନି ବରଂ ଭାରତୀୟ ସମ୍ବିଧାନରେ ଥିବା ସଂଘୀୟ ବ୍ୟବସ୍ଥାର ମଧ୍ୟ ଏହା ବିରୁଦ୍ଧାଚରଣ କରୁଛି। ଟିଏମ୍‌ସି ନେତ୍ରୀ ମହୁଆ ମୋଇତ୍ରା କହିଛନ୍ତି ଯେ ଏହି ବିଲ୍‌ରେ ଥିବା ବ୍ୟବସ୍ଥାଗୁଡ଼ିକ ଜନ ବିରୋଧୀ ଏବଂ ସମ୍ବିଧାନ ବିରୋଧୀ। ଏହା ଖୁବ୍‌ ଭୟଙ୍କର। ଏଥିରେ ଥିବା ବ୍ୟବସ୍ଥାକୁ ରାଜନୈତିକ ଫାଇଦା ପାଇଁ ମଧ୍ୟ ବ୍ୟବହାର କରାଯାଇପାରେ ବୋଲି ସେ ଚେତାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର