ନୂଆଦିଲ୍ଲୀ : ୧୭ତମ ଲୋକସଭା ନିର୍ବାଚନ ୨୦୧୯ ମେ’ ବଦଳରେ ଆସନ୍ତା ଡିସେମ୍ବରରେ ହୋଇପାରେ। ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାର ଆଗୁଆ ନିର୍ବାଚନ ପାଇଁ ଏଭଳି ଯୋଜନା କରୁଥିବା ଜଣାପଡ଼ିଛି। ଚଳିତ ବର୍ଷସାରା ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଡିସେମ୍ବରରେ ଆଗୁଆ ଲୋକସଭା ନିର୍ବାଚନ କରାଇବାକୁ ସରକାର କ୍ଷେତ୍ର ପ୍ରସ୍ତୁତ କରିବା ଆରମ୍ଭ କଲେଣି ବୋଲି ଚର୍ଚ୍ଚା ଜୋର୍ ଧରିଛି।
ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ନାଗାଲାଣ୍ଡ, ତ୍ରିପୁରା, ମେଘାଳୟ ଏବଂ କର୍ଣ୍ଣାଟକରେ ନିର୍ବାଚନ ହେବ ଏବଂ ଦ୍ୱିତୀୟାର୍ଦ୍ଧରେ ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ହେବ। ଏଭଳି ସ୍ଥିତିରେ ଲୋକସଭା ଓ ବିଧାନସଭା ନିର୍ବାଚନ ସମାନ୍ତରାଳୟ ଭାବେ କରାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଉଥିବାରୁ ଡିସେମ୍ବରରେ ନିର୍ବାଚନ କରାଇବାକୁ ବିଜେପିର ଶୀର୍ଷ ନେତୃତ୍ୱ ମନ୍ଥନ ଆରମ୍ଭ କରିଥିବା କୁହାଯାଉଛି । ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ବିଜେପି ଏବେ କ୍ଷମତାରେ ରହିଛି ଏବଂ ଲୋକସଭା ନିର୍ବାଚନ ସହିତ ସମାନ୍ତରାଳ ଭାବେ ଏସବୁ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେଲେ ଦଳକୁ ଫାଇଦା ମିଳିବ ବୋଲି ବିଜେପି ଶୀର୍ଷ ନେତୃତ୍ୱ ଆକଳନ କରୁଛନ୍ତି।
ଦେଶରେ ପ୍ରତି ୪/୬ ମାସରେ କୌଣସି ନା କୌଣସି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଏହା ବିକାଶ ପ୍ରକ୍ରିୟାରେ ବାଧକ ହେବା ସହ ଅଯଥା ଆର୍ଥିକ ବୋଝ ସୃଷ୍ଟି ହେଉଛି ବୋଲି ପ୍ରଧାନମନ୍ତ୍ରୀ ବାରମ୍ବାର କହିଆସୁଛନ୍ତି। ବିଜେପି ୨୦୧୪ ନିର୍ବାଚନୀ ଇସ୍ତାହାରରେ ଏକାସଂଗରେ ବିଧାନସଭା ଓ ଲୋକସଭା ନିର୍ବାଚନ କରାଇବାକୁ ପ୍ରତିଶ୍ରୁତି ଦେଇଥିଲା। ତେବେ ଏଥିପାଇଁ ଅନେକ ସାମ୍ବାଧିକ ପ୍ରକ୍ରିୟା ପୂରା କରିବା ବାଧ୍ୟତାମୂଳକ ଥିବାରୁ ଅନ୍ତତଃ ୨୦୧୯ ମେ ପରିବର୍ତ୍ତେ ଡିସେମ୍ବର ୨୦୧୮ରେ ଲୋକସଭା ନିର୍ବାଚନ ଆଗୁଆ କରାଇ ନେବାକୁ ସରକାର ଯୋଜନା କରୁଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଜୁଲାଇରେ ଅନୁଷ୍ଠିତ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ କିଛି ଚକିତକାରୀ ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି। ଆଗୁଆ ନିର୍ବାଚନ କରାଇବା ନେଇ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଏବଂ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତଙ୍କ ମଧ୍ୟରେ ନିକଟରେ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ସବୁଜ ସଙ୍କେତ ପାଇବା ମାତ୍ରେ ଆର୍ଏସ୍ଏସ୍ ନିର୍ବାଚନ ସଂକ୍ରାନ୍ତ ସାଂଗଠନିକ କାର୍ଯ୍ୟକୁ ଆଗକୁ ବଢ଼ାଇବ ବୋଲି ଜଣାପଡ଼ିଛି।
ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏବେ ଏକତା ନଥିବା ଏବଂ ମିଳିତ ନେତୃତ୍ୱ ପ୍ରସଙ୍ଗକୁ ନେଇ ବଡ଼ ଧରଣର ଫାଟ ରହିଥିବାରୁ ଏଥିରୁ ମଧ୍ୟ ଫାଇଦା ଉଠାଇବା ପାଇଁ ବିଜେପି ଆଗୁଆ ନିର୍ବାଚନ ସପକ୍ଷରେ ରହିଛି। ପ୍ରଧାନମନ୍ତ୍ରୀ ମୋଦି ୨୦୧୭ରେ ବର୍ଷ ତମାମ ବିଭିନ୍ନ ବିବାଦୀୟ ନିଷ୍ପତ୍ତିକୁ ନେଇ ଯେଉଁ ସମାଲୋଚନାର ଶିକାର ହୋଇଥିଲେ ତାହା ଏବେ ଥଣ୍ଡା ପଡ଼ିଯାଇଛି । ମୋଦି-ଶାହଙ୍କ ସୁଚିନ୍ତିତ ରଣନୀତି ଯୋଗୁଁ ଗୁଜରାଟରେ ରେକର୍ଡ ଷଷ୍ଠ ଥର ପାଇଁ ବିଜେପି ଶାସନକୁ କାଏମ ରଖିଥିବା ବେଳେ ହିମାଚଳ ପ୍ରଦେଶରେ କଂଗ୍ରେସ ହାତରୁ କ୍ଷମତା ଛଡ଼ାଇ ଆଣିବାରେ ସମର୍ଥ ହୋଇଛି। ତେବେ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ ପରେ ରାହୁଲ ଗାନ୍ଧୀଙ୍କ ଭାବମୂର୍ତ୍ତିରେ ଯଥେଷ୍ଟ ପରିବର୍ତ୍ତନ ଆସିଛି ଏବଂ ଗୁଜରାଟରେ କଂଗ୍ରେସର ଜୋରଦାର୍ ପ୍ରଦର୍ଶନ କଂଗ୍ରେସର ଉତ୍ସାହକୁ ବହୁଗୁଣିତ କରିଛି।
ତେବେ ରାହୁଲଙ୍କ ନେତୃତ୍ୱକୁ ଅନ୍ୟ ବିରୋଧୀ ଦଳ ନେତାମାନେ କିଭଳି ଗ୍ରହଣ କରିବେ ତାହା ଏବେ ମୁଖ୍ୟ ପ୍ରଶ୍ନ ହୋଇଛି। ବିଜେପି ବିରୋଧରେ ଏକ ସଂଗଠିତ ବିରୋଧୀ ଦଳ ସାମ୍ନାକୁ ନ ଆସିଲେ ମୋଦିଙ୍କୁ ରୋକିବା ରାହୁଲଙ୍କ ପାଇଁ ଅତୀବ କଷ୍ଟକର ହୋଇପଡ଼ିବ। ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ମୋଦି ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନ ହେବାକୁ ଥିବା ପ୍ରଥମ ବଡ଼ ରାଜ୍ୟ ଭାବେ କର୍ଣ୍ଣାଟକରେ ମୁହାଁମୁହିଁ ହେବେ। ଏହି ନିର୍ବାଚନରେ ସଫଳତା ହାସଲ ପାଇଁ ଉଭୟ କଂଗ୍ରେସ ଓ ବିଜେପି ଏବେ କର ବା ମର ସ୍ଥିତିକୁ ଓହ୍ଲାଇଛନ୍ତି। ବେକାରୀ, ଚାଷୀ ଅସନ୍ତୋଷ ଏବଂ ଜିଏସ୍୍ଟି ସମସ୍ୟାକୁ ନେଇ ଅସନ୍ତୋଷ ପୁଣି ପୁଂଜୀଭୂତ ହେବା ପୂର୍ବରୁ ଡିସେମ୍ବର ହିଁ ଲୋକସଭା ନିର୍ବାଚନ କରାଇବାକୁ ବିଜେପି କ୍ଷେତ୍ର ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/lok-sabha-1.jpg)