ସାଂସଦଙ୍କୁ ଲୋକସଭା ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷଙ୍କ କଡ଼ା ବାର୍ତ୍ତା

ନୂଆଦିଲ୍ଲୀ: ସାଂସଦମାନେ ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ବିଭିନ୍ନ ପ୍ରସଙ୍ଗରେ ହୋହାଲ୍ଳା କରି ବାରମ୍ବାର ଗୃହ ମୁଲତବୀ କରିବା ପାଇଁ ବାଧ୍ୟ କରିବା ନେଇ ଆଜି ଉଭୟ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଏବଂ ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ‌ଭେଙ୍କୟା ନାଇଡ଼ୁ ସାଂସଦମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି। ଗୃହ କାର୍ଯ୍ୟ ଜାରି ରହିଥିବାବେଳେ ସଦସ୍ୟମାନେ ସଚେତନ ଏବଂ ଦାୟିତ୍ବବାନ ରହି କାର୍ଯ୍ୟ କରିବା ଜରୁରୀ ବୋଲି ଉଭୟ ଓମ୍‌ ବିର୍ଲା ଏବଂ ନାଇଡ଼ୁ ପରାମର୍ଶ ଦେଇଛନ୍ତି।

ଆଜି କେନ୍ଦ୍ର ଗୃହ ବ୍ୟାପାରା ରା‌ଷ୍ଟ୍ରମନ୍ତ୍ରୀ ଜି କିଷାନ ରେଡ୍ଡି ଲୋକସଭାରେ ଆଜମ ଖାନ୍‌ଙ୍କ ଅଶାଳୀନ ଟିପ୍ପଣୀକୁ ବିରୋଧ କରି ବାଚସ୍ପତିଙ୍କୁ ଗୃହ ମୁଲତବୀ ରଖିବାକୁ ଅନୁରୋଧ କରିଥିଲେ। କିନ୍ତୁ ଓମ୍‌ ବିର୍ଲା ମନ୍ତ୍ରୀ ରେଡ୍ଡିଙ୍କ ଅନୁରୋଧ ପ୍ରତ୍ୟାଖ୍ୟାନ କରି କହିଥିଲେ ଗୃହକାର୍ଯ୍ୟ ଚାଲିଥିବା ସମୟରେ ବାଧ୍ୟତାମୂଳକ ଗୃହ ମୁଲତବୀ ଅନୁଚିତ୍‌। ବାଚସ୍ପତି ମଧ୍ୟ ଗୃହର ସମସ୍ତ ସଦସ୍ୟମାନଙ୍କୁ ଚେତାବନୀ ଦେଇ କହିଥିଲେ କୌଣସି ଆଲୋଚନାରେ ଭାଗ ନେବା ସମୟରେ କିମ୍ବା କୌଣସି ବ୍ୟକ୍ତିଙ୍କ ମନ୍ତବ୍ୟ ଉପ‌ରେ ପ୍ରତିକ୍ରିୟା ରଖିବା ସମୟରେ ସଠିକ୍‌ ଢଙ୍ଗରେ ନିଜକୁ ଉପସ୍ଥାପନ କରିବା ଉଚିତ୍‌। କୌଣସି ଅଶାଳୀନ କିମ୍ବା ଅପମାନଜନକ ଟିପ୍ପଣୀଠାରୁ ସଦସ୍ୟମାନେ ଦୂରେଇ ରହିବା ଉଚିତ୍‌ ବୋଲି ସେ କହିଥିଲେ। ସେହିପରି ଲୋକସଭାରେ ଶାସକ ଦଳ ନେତାମାନେ କୌଣସି ଫାଇଦା ନେବା ଉଚିତ୍‌ ନୁହେଁ ବୋଲି ବିର୍ଲା କହିଥିଲେ। ରାଜ୍ୟସଭା ଅଧ୍ୟକ୍ଷ ନାଇଡ଼ୁ ମଧ୍ୟ ରାଜ୍ୟସଭା ସଦସ୍ୟମାନଙ୍କୁ ଏହି ସମାନ ବାର୍ତ୍ତା ପ୍ରଦାନ କରିଛନ୍ତି। ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ କଶ୍ମୀର ମଧ୍ୟସ୍ଥତା ଟିପ୍ପଣୀଠାରୁ ଆରମ୍ଭ କରି ଭିଡ଼ହିଂସା, କର୍ଣ୍ଣାଟକ ରାଜନୈତିକ ସଙ୍କଟ ଏବଂ ଅନ୍ୟ କେତେକ ପ୍ରସଙ୍ଗ ଉପରେ ବିରୋଧୀ ଦଳ ସାଂସଦମାନେ ପ୍ରବଳ ହଟ୍ଟଗୋଳ କରି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ।

ସମ୍ବନ୍ଧିତ ଖବର