ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଶେଷ ହେବା ପରେ ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ରବିବାର (ଜୁନ୍ ୦୯) ଶପଥ ଗ୍ରହଣ କରିବା ପରେ ସୋମବାର (ଜୁନ୍ ୧୦) ସମସ୍ତ ମନ୍ତ୍ରୀଙ୍କ ମନ୍ତ୍ରଣାଳୟ ବଣ୍ଟନ କରାଯାଇଥିଲା ଏବଂ ସରକାର ଏହାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏବେ ଲୋକସଭା ବାଚସ୍ପତି ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି ।  ଜୁନ୍ ୨୬ତାରିଖରେ ଲୋକସଭା ବାଚସ୍ପତି ଚୟନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।ଏନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜ୍ଞପ୍ତି ଜାରି କରିଛନ୍ତି।

Advertisment

ଆସନ୍ତା ୨୭ ତାରିଖରେ ରାଷ୍ଟ୍ରପତି ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବେ। ସେହିଦିନ ପୂର୍ବାହ୍ନ ୧୧ଟାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଅନୁଷ୍ଠିତ ହେବ। ଅର୍ଥାତ୍ ଏହା ପୂର୍ବରୁ ସମସ୍ତ ନବନିର୍ବାଚିତ ଲୋକସଭା ସାଂସଦଙ୍କୁ ଶପଥ ପାଠ କରାଇବା ସହ ନୂଆ ବାଚସ୍ପତି ମଧ୍ୟ ନିର୍ବାଚିତ ହେବେ। ଜୁନ୍ ୨୪ ଓ ୨୫ ତାରିଖରେ ପ୍ରୋଟେମ୍ ବାଚସ୍ପତି ନୂଆ ସାଂସଦମାନଙ୍କୁ ଶପଥ ପାଠ କରାଇବେ।

ଏଥର କିଏ ହେବ ଲୋକସଭା ବାଚସ୍ପତି ତାହାକୁ ନେଇ ସସପେନ୍ସ ଜାରି ରହିଛି । କାରଣ କେତେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବିଜେପି ଏହି ପଦବୀକୁ ନିଜ ପାଖରେ ରଖିବାକୁ ଚାହୁଁଥିବାବେଳେ ଟିଡିପି ମଧ୍ୟ ଏହାକୁ ନେଇ ଆଶାୟୀ ରହିଛି ।