କିଏ ହେବେ ଲୋକସଭା ଉପବାଚସ୍ପତି : ବିଜେପି-ବିଜେଡି ଆଲୋଚନା ଆରମ୍ଭ!

ଶିବସେନାକୁ ଚାହୁନି ବିଜେପି, ବିଜେଡିକୁ ଆଖି, ୧୧ରେ ମୋଦୀ-ନବୀନ ସାକ୍ଷାତ ଆଲୋଚନା

ନୂଆଦିଲ୍ଲୀ : ୧୭ତମ ଲୋକସଭାରେ ବାଚସ୍ପତି ଓ ଉପବାଚସ୍ପତି କିଏ ହେବେ ସେନେଇ ବର୍ତ୍ତମାନ ସୁଦ୍ଧା ସ୍ଥିତି ସ୍ପଷ୍ଟ ହୋଇପାରି ନାହିଁ। ଏହି ପଦ ପାଇବା ପାଇଁ ଶିବସେନା ହିଁ ପ୍ରକୃତ ହକ୍‌ଦାର ବୋଲି ଗୁରୁବାର ଏନ୍‌ଡିଏର ସହଯୋଗୀ ଦଳ ଶିବସେନା ଦାବି କରିଥିଲା। ହେଲେ ଶିବସେନାକୁ ଲୋକସଭାର ଉପବାଚସ୍ପପତି ପଦ ଦେବା ସପକ୍ଷରେ ବିଜେପି ନାହିଁ। ଦଳର ଶୀର୍ଷ ନେତୃତ୍ବ ସହମତି ପ୍ରକାଶ କରୁନଥିବା ରାଜନୈତିକ ମହଲରୁ ପ୍ରକାଶ। ସଂସଦର ବଜେଟ୍ ଅଧିବେଶନ ଚଳିତ ମାସ ୧୭ରୁ ଆରମ୍ଭ ହେବ। ବଜେଟ୍ ଅଧିବେଶନ ପୂର୍ବରୁ ଗୃହ କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ କେନ୍ଦ୍ର ସଂସଦୀୟ ବ୍ୟପାର ମନ୍ତ୍ରୀ ଇତିମଧ୍ୟରେ ପ୍ରମୁଖ ରାଜନୈତିକ ଦଳର ନେତାମାନଙ୍କୁ ଭେଟୁଛନ୍ତି। ଏହି ପରିପ୍ରେକ୍ଷୀରେ ଶିବସେନା ଓ ବିଜେଡିର ସଂସଦୀୟ ଦଳର ନେତାମାନଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଖବର ଅନୁସାରେ, ଲୋକସଭାର ଉପବାଚସ୍ପତି ପଦ ପାଇଁ ବିଜେପି ଓ ବିଜେଡି ମଧ୍ୟରେ ପ୍ରାରମ୍ଭିକ ଆଲୋଚନା ଆରମ୍ଭ ହୋଇଛି। ୧୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ସମ୍ପର୍କିତ ଅନ୍ୟାନ୍ୟ ପ୍ରସଙ୍ଗ ସହିତ ଦୁଇ ନେତା ଲୋକସଭାର ଉପବାଚସ୍ପତି ପଦ ପାଇଁ ଆଲୋଚନା କରିପାରନ୍ତି। ଏଭଳି ଏକ ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି ରାଜନୈତିକ ବିଶ୍ଳେଷକମା‌େନ ମତ ଦେଇଛନ୍ତି।

ଯଦିଓ ଲୋକସଭା ଉପବାଚସ୍ପତି ପଦ ପାଇଁ ବିଜେପି ବର୍ତ୍ତମାନ ସୁଦ୍ଧା ଏହାର କାର୍ଡ ଖୋଲି ନାହିଁ କିନ୍ତୁ ବିଜେଡିର ବରିଷ୍ଠ ସାଂସଦ ଭର୍ତୃହରି ମହତାବ ଏହି ପଦ ପାଇଁ ପ୍ରଥମ ପସନ୍ଦ ବୋଲି ବିଜେପିର ବରିଷ୍ଠ ନେତାମାନେ ବିଚାରବିମର୍ଶ ଜାରି ରଖିଥିବା କୁହାଯାଉଛି। ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ‌େଯ ବର୍ତ୍ତମାନ ବିଜେଡି ଏନ୍‌ଡିଏର ସହଯୋଗୀ ଦଳ ନୁହେଁ। ଗତ ଲୋକସଭାରେ ବିଜେଡି ଏନ୍‌ଡିଏ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ ମଧ୍ୟ ଜଣାଇଥିଲା। ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନ ପରେ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିଛି। ଓଡ଼ିଶାର ବିକାଶ ସମ୍ପର୍କିତ ପ୍ରସଙ୍ଗରେ ବିଜେଡି କେନ୍ଦ୍ର ସରକାରଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କହିସାରିଛି। ଆଗକୁ ରାଜ୍ୟସଭାରେ ଅନେକ ମହତ୍ବପୂର୍ଣ୍ଣ ବିଲ୍ ଗୁଡ଼ିକ ଆସିବ । ରାଜ୍ୟସଭାରେ ଏନ୍‌ଡିଏ ସଂଖ୍ୟା ଗଣିତରେ କମ୍ ରହିଛି। ବିଲ୍ ଗୁଡ଼ିକ ଗୃହୀତ କରାଇବାରେ ବିଜେଡିର ସହାୟତା ଆବଶ୍ୟକ ପଡ଼ିବ। ଅତଏବ ଏନ୍‌ଡିଏ ପକ୍ଷରୁ ବିଜେଡିର ସମର୍ଥନ ଆଶା କରିବା ଏକ ପ୍ରକାର ନିଶ୍ଚିତ।

ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯଦିବା ଥରେ ମାତ୍ର ଲୋକସଭାରେ ଜନତା ଦଳ ପକ୍ଷରୁ ରବିରାୟ ବାଚସ୍ପତି ହୋଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଓଡ଼ିଆଙ୍କୁ ଉପବାଚସ୍ପତି ପଦ ମିଳି ନାହିଁ । ଏହି ପଦ ପାଇଁ ବିଜେଡି ସାଂସଦ ଭର୍ତୃହରି ମହତାବ ସମସ୍ତ ଯୋଗ୍ୟତା ପୂର୍ଣ୍ଣ କରିପାରୁଥିବାରୁ ବିଜେପି ତାଙ୍କର ନାମ ସପକ୍ଷ‌େର ରହିଛି। ଗତ ବର୍ଷ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେପିକୁ ବିଜେଡି ସହଯୋଗ କରିଥିଲା। ଯଦି ସବୁ କିଛି ସମୀକରଣ ଠିକଠାକ୍ ହୁଏ ତାହାହେଲେ ଲୋକସଭାର ଉପବାଚସ୍ପତି ପଦ ବିଜେଡିକୁ ଦେଇ ବିଜେପି ରିଟର୍ଣ୍ଣ ଗିଫ୍ଟ ଦେବ। ଅପରପକ୍ଷେ ବଦଳୁଥିବା ରାଜନୈତିକ ପାଣିପାଗ ଅନୁସାରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନକୁ ନଜରରେ ରଖି ଶିବସେନା ଉପବାଚସ୍ପତି ପଦ ପାଇଁ ଦାବି େଜାର କରିବ ବୋଲି ସୂଚନା ମିଲିଛି।

ସମ୍ବନ୍ଧିତ ଖବର