ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗ : ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର

ନୂଆଦିଲ୍ଲୀ : ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଆଜି ରାଜ୍ୟ ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ବର୍ତ୍ତମାନ ସୁଦ୍ଧା ଏହି ପ୍ରସଙ୍ଗରେ ନିଆଯାଇଥିବା ସମସ୍ତ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଛନ୍ତି। ରାଷ୍ଟ୍ରପତିଙ୍କ ସ୍ୱିକୃତୀ ମିଳିବା ପରେ ଏହି ଏହି ବିଲ୍‌କୁ ନେଇ ଯେଉଁ ଅନ୍ୟସବୁ ଔପଚାରିକତା ରହିଛି, ସେଗୁଡ଼ିକୁ ପୂରଣ କରିବା ପାଇଁ ସରକାର ଉଦ୍ୟମ ଜାରି ରଖିଥିବା ସତ୍ୟପାଠରେ କୁହାଯାଇଛି। ସତ୍ୟପାଠରେ ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ, ଔପଚାରିକତା ଶେଷ ହୋଇଯିବା ପରେ ଓଡ଼ିଶା ଲୋକାୟୁକ୍ତ ଆଇନ୍‌-୨୦୧୪କୁ ଆଇନ୍‌ର ଧାରା ୧(ଘ) ଅନ୍ତର୍ଗତ ଲାଗୁ କରିବା ପାଇଁ ନିର୍ଦିଷ୍ଟ ତିଥି ଧାର୍ଯ୍ୟ କରାଯିବ। କେନ୍ଦ୍ର ସରକାର ଲୋକପାଳ ଓ ଲୋକାୟୁକ୍ତ ଆଇନ୍‌ ୨୦୧୩ର ଧାରା ୪୪କୁ ସଂଶୋଧନ କରି ଲୋକପାଳ ଓ ଲୋକାୟୁକ୍ତ ସଂଶୋଧନ ଆଇନ୍‌ ୨୦୧୬ ଆଣିଥିବା ବେଳେ ରାଜ୍ୟ ସରକାର ମଧ୍ୟ ଓଡ଼ିଶା ଲୋକାୟୁକ୍ତ ଆଇନ୍‌ ୨୦୧୪ରେ ସଂଶୋଧନ ପାଇଁ ପରୀକ୍ଷା ନିରୀକ୍ଷା କରୁଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ଓଡ଼ିଶା ଲୋକପାଳ ଓ ଲୋକାୟୁକ୍ତ ଆଇନ୍‌ ୧୯୯୫ ଅନ୍ତର୍ଗତ ଓଡ଼ିଶାର ତତ୍କାଳୀନ ଲୋକପାଳ ବିଚାରପତି ପି.କେ.ପାତ୍ରଙ୍କର ୨୦୧୩ରେ ମୃତ୍ୟୁ ପରଠାରୁ ଏହି ପଦବି ଖାଲି ପଡ଼ିଛି। ଉଲ୍ଲେଖଯୋଗ୍ୟ, ଗତମାସ ୨୩ ତାରିଖରେ ସୁପ୍ରିମକୋର୍ଟ ବିଚାରପତି ରଞ୍ଜନ ଗୋଗୋଇ ଓ ବିଚାରପତି ଆର୍‌. ଭାନୁମତିଙ୍କ ଖଣ୍ଡପୀଠ ଲୋକାୟୁକ୍ତ ଆଇନ୍‌ ପାଇଁ ନିୟମ ପ୍ରଣୟନ ହେବା ସତ୍ତ୍ୱେ ରାଜ୍ୟମାନଙ୍କରେ କାହିଁକି ଲୋକାୟୁକ୍ତ ହୋଇନି ବୋଲି ପ୍ରଶ୍ନ କରିବା ସହିତ ଓଡ଼ିଶା ସମେତ ଜମ୍ମୁ-କଶ୍ମୀର, ମେଘାଳୟ, ମିଜୋରାମ୍‌, ନାଗାଲାଣ୍ଡ, ପୁଡ଼ୁଚେରୀ, ତାମିଲନାଡ଼ୁ, ତେଲେଙ୍ଗାନା, ତ୍ରିପୁରା, ଅରୁଣାଚଳ ପ୍ରଦେଶ,ଦିଲ୍ଲୀ ଓ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବଙ୍କୁ ଲୋକପାଳ ନିୟୁକ୍ତିିର ସ୍ଥିତାବସ୍ଥା ସତ୍ୟପାଠ ଆକାରରେ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ସପ୍ତାହରେ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ।

ସୂଚନାଯୋଗ୍ୟ, ରାଜ୍ୟ ବିଧାନସଭାରେ ଓଡ଼ିଶା ଲୋକୟୁକ୍ତ ବିଲ୍‌ ୨୦୧୪ ମସିହା ଫ୍ରେବୃଆରି ୨ ତାରିଖରେ ଗୃହୀତ ହେବା ପରେ ସମ୍ବିଧାନର ଧାରା ୨୫୨(ସି) ଅନୁଯାୟୀ ସ୍ୱିକୃତୀ ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିଲା। ଓଡ଼ିଶା ଲୋକାୟୁକ୍ତ ବିଲ୍‌-୨୦୧୪କୁ ୨୦୧୫ ଜାନୁଆରି ୧୬ ତାରିଖରେ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବା ପରେ ଓଡ଼ିଶା ଲୋକାୟୁକ୍ତ ଆଇନ୍‌-୨୦୧୪ ସମ୍ପର୍କିତ ବିଜ୍ଞପ୍ତି ଜାରି କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି।

ସମ୍ବନ୍ଧିତ ଖବର