ଲୋକସଭାରେ ମୋଟରଯାନ (ସଂଶୋଧନ) ବିଲକୁ ମଂଜୁରୀ

ନୂଆଦିଲ୍ଲୀ : ଲୋକସଭାରେ ଆଜି ମୋଟର ଯାନ (ସଂଶୋଧନ) ବିଲ୍‌ ପାଶ ହୋଇଛି । ୧୯୮୮ର ମୋଟରଯାନ ଆଇନର ସଂଶୋଧନ ଉଦ୍ଦେଶ୍ୟରେ ସରକାର ଗତ ୧୫ ତାରିଖରେ ଏହି ବିଲ ଉପସ୍ଥାପନ କରିଥିଲେ । ବାଚନିକ ଭୋଟରେ ଏହି ବିଲଟି ପାଶ ହୋଇଛି ବୋଲି ଘୋଷଣା କରିଛନ୍ତି ବାଚସ୍ପତି ଓମ ବିରଲା ।

ଏହି ସମାନ ବିଲଟି ଗତ ବର୍ଷ ମଧ୍ୟ ଲୋକସଭାରେ ପାଶ ହୋଇଥିଲା, ତେବେ ଏହା ରାଜ୍ୟ ସଭାରେ ପାଶ ହୋଇପାରିନଥିଲା । ଏହାପରେ ୧୬ତମ ଲୋକସଭା ଭାଙ୍ଗିଯିବା ସହ ବିଲଟି ଆଇନରେ ପରିଣତ ହୋଇପାରିନଥିଲା ।

ଏଥିରେ ଥିବା ପ୍ରସ୍ତାବିତ ନିୟମ ଅନୁସାରେ କାର ବା ଅନ୍ୟ ଗାଡ଼ି ଚାଳନା ବେଳେ ସିଟ ବେଲଟ ନ ଭିଡିଲେ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ପଡିପାରେ । ଏବେ ଏହା ମାତ୍ର ୧୦୦ ଟଙ୍କା ରହିଛି । ସେହିପରି ଅଧିକ ବେଗରେ ଡ୍ରାଇଭିଂ କଲେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ତଣ୍ଡ ଗଣିବାକୁ ହେବ । ମଦ ପିଇ ଡ୍ରାଇଭିଂ କଲେ ଜୋରିମାନା ପରିମାଣ ୨ ହଜାର ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଆମ୍ବୁଲାନ୍ସ ପରି ଜରୁରୀକାଳୀନ ସେବା ଯୋଗାଉଥିବା ଯାନକୁ ବାଟ ନ ଛାଡିଲେ ମଧ୍ୟ ୫ ହଜାର ଟଙ୍କା ପର୍ଯ୍ୟନ୍ତ ତଣ୍ଡ ଗଣିବାକୁ ପଡିପାରେ । ଅନ୍ୟପକ୍ଷରେ ଏହି ବିଲରେ ଡ୍ରାଇଭିଂ ଲାଇସେନ୍ସ ନିୟମରେ କେତେକ ପରବର୍ତ୍ତନର ବ୍ୟବସ୍ଥା ରହିଛି । ଏହା ଅନୁସାରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଧାର ବାଧ୍ୟତାମୂଳକ ହେବ । ସେହିପରି ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସର ବୈଧତା ସମୟ ୨୦ ବର୍ଷ ଥିବାବେଳେ ଏବେ ତାହାକୁ ୧୦ ବର୍ଷକୁ ହ୍ରାସ କରିବାକୁ ପ୍ରସ୍ତାବ ରହିଛି ।

ସମ୍ବନ୍ଧିତ ଖବର