ଲଣ୍ଡନ: ଜାନୁଆରି ୩୧ରେ ୟୁନାଇଟେଡ୍ ଏୟାରଲାଇନ୍ସର ଏକ ରାତ୍ରିକାଳୀନ ବିମାନ ନ୍ୟଜର୍ସିରୁ ଉଡାଣ ଭରିଥିଲା। ଏହି ବିମାନର ବିଜନେସ୍ ଶ୍ରେଣୀରେ ୪୦ ବର୍ଷୀୟ ବ୍ରିଟିଶ୍ ନାଗରିକ ମଧ୍ୟ ଯାତ୍ରା କରୁଥିଲା। ରାତିରେ ସେ ସେହି ବିଜନେସ୍ ଶ୍ରେଣୀରେ ଯାତ୍ରା କରୁଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଜଣାପଡ଼ିଛି। ଏହି ସମୟରେ ସେଠାରେ ଥିବା ଅନ୍ୟ ଯାତ୍ରୀମାନେ ଗଭୀର ନିଦ୍ରାରେ ଶୋଇଥିଲେ।

Advertisment

ମହିଳା ଏହି ଘଟଣା ବିଷୟରେ ବିମାନର କ୍ରିୟୁ ସଦସ୍ୟମାନଙ୍କୁ ଜଣେଇଥିଲେ। କ୍ରିୟୁ ପୁଲିସ ସହିତ ଯୋଗାଯୋଗ କରି ସମ୍ପୂର୍ଣ୍ଣ ଘଟଣା ବିଷୟରେ ଅବଗତ କରିଥିଲେ। ଏହାପରେ ବିମାନଟି ଲଣ୍ଡନର ହିଥ୍ରୋ ବିମାନବନ୍ଦରରେ ଓହ୍ଲାଇବା ମାତ୍ରେ ହିଁ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ଏକ ଆନ୍ତର୍ଜାତୀୟ ଗଣମାଧ୍ୟମ ଏହି ଘଟଣା ପ୍ରକାଶ କରିଛି।

ପୁଲିସ ଅଭିଯୁକ୍ତକୁ ଗିରଫ କରି ପ୍ରାଥମିକ ପଚରାଉଚୁରା କରିବା ପରେ ବିମାନକୁ ଯାଇ ପ୍ରମାଣ ସଂଗ୍ରହ କରିଥିଲା। ତଦନ୍ତ ଚାଲୁ ରହିଥିବାବେଳେ ଅଭିଯୁକ୍ତକୁ ଜାମିନରେ ଛାଡି ଦିଆଯାଇଛି। ଲଣ୍ଡନର ମେଟ୍ରୋପଲିଟାନ୍ ପୁଲିସ୍ ଏହି ଘଟଣା ବିଷୟରେ ସୂଚନା ଦେଇଛି। ପୁଲିସ୍ ଅନୁସାରେ ଏହି ଘଟଣାର ତଦନ୍ତ ଚାଲିଛି। ମହିଳାଙ୍କ ଡାକ୍ତରୀ ପରୀକ୍ଷା ବି କରାହୋଇଛି। ଘଟଣାଟି ୩୧ ଜାନୁଆରିରେ ଘଟିଥିବା ବେଳେ ମିଡିଆକୁ ଏ ବିଷୟରେ ଏବେ ସୂଚନା ଦିଆହୋଇଛି।

ବିମାନ ତଥ୍ୟ ଅନୁସାରେ, ଅଭିଯୁକ୍ତ ଓ ମହିଳା ଅଲଗା ଅଲଗା ଧାଡିରେ ବସିଥିଲେ। ଘଟଣା ପୂର୍ବରୁ ସେମାନଙ୍କୁ ପରସ୍ପର ସହ କଥା ହେଉଥିବାର ବି ଦେଖାଯାଇଥିଲା। ଏହାର କିଛି ସମୟ ପରେ ଏହି ଘଟଣା ଘଟିଥିଲା। ବିମାନ ଅବତରଣ କରିବା ପରେ ମହିଳା ଜଣକ ମାନସିକସ୍ତରରେ ପ୍ରବଳ ଚାପରେ ଥିବା ଜଣା ପଡୁଥିଲେ। ଏୟାରଲାଇନ୍ସ ନିଜ ବୟାନରେ କହିଛି, ଆମେ ପୁଲିସକୁ ତଦନ୍ତରେ ସମସ୍ତ ସହଯୋଗ କରିବୁ।