ଲମ୍ବିଲା ଧାରା: କୋହଲିଙ୍କ ପରାଜୟ, ରୁଟ୍‌ଙ୍କ ବିଜୟ

ଚେପକ୍‌ରେ ଭାରତୀୟ ଦଳ ଚେପା ହୋଇଯିବା ସହ ୨୨୭ ରନ୍‌ରେ ହାରିଛି। ଏଥି ସହିତ ୨୦୧୧ ମସିହା ପରଠାରୁ ଚେପକ୍‌ରେ ଭାରତର ଏହା ଚତୁର୍ଥ ପରାଜୟ। ଏହି ୪ଟିରୁ ୩ଟିରେ ଇଂଲଣ୍ଡ ନିକଟରୁ ହିଁ ଭାରତ ହାରିଛି। ୨୦୧୨-୧୩ରେ ଦୁଇଟି ଇଂଲଣ୍ଡ ନିକଟରୁ ହାରିଥିଲା। ଚେନ୍ନାଇ ଟେଷ୍ଟ୍ ଖେଳିବାକୁ ଆସିବା ପୂର୍ବରୁ ଭାରତ ଚେନ୍ନାଇରେ ବିଗତ ୧୪ ଟେଷ୍ଟ୍‌ରେ ଅପରାଜିତ ଥିଲା।

୬-ଇଂଲଣ୍ଡ ଦଳ ଏସିଆରେ ଲଗାତାର ଷଷ୍ଠ ଟେଷ୍ଟ୍ ଜିତିଛି। ଶ୍ରୀଲଙ୍କା ବିପକ୍ଷରେ ୨୦୧୮-୧୯ରେ ୩-୦ ଏବଂ ଗତ ମାସରେ ୨-୦ରେ ଜିତିଥିଲା ଜୋ ରୁଟଙ୍କ ଦଳ। ଅନ୍ୟ ଏକମାତ୍ର ଦଳ ଭାବେ ଅଷ୍ଟ୍ରେଲିଆ ୨୦୦୨ରୁ ୨୦୦୪ ମଧ୍ୟରେ ଏସିଆରେ ଲଗାତାର ୭ ଟେଷ୍ଟ୍ ଜିତିଥିଲା। ଏସିଆରେ ଲଗାତାର ୩ ଟେଷ୍ଟ ଜିତିବାରେ ମଧ୍ୟ ଏହି ଦୁଇ ଦଳ ଅଣଏସୀୟ ହୋଇଛନ୍ତି। ରୁଟ୍‌ଙ୍କ ତୁଳନାରେ ଆଉ ଦୁଇ ଜଣ ଭ୍ରମଣକାରୀ ଅଧିନାୟକ ଦକ୍ଷିଣ ଆଫ୍ରିକାର ଗ୍ରେମ୍ ସ୍ମିଥ୍ ଏବଂ କ୍ଲାଇବ୍ ଲୟଡ୍ ଆଗରେ ରହିଛନ୍ତି। ଏସିଆରେ ସ୍ମିଥ୍‌ଙ୍କ ଦଳ ୨୧ ଟେଷ୍ଟରୁ ୮ ଏବଂ ଲୟଡଙ୍କ ଦଳ ୧୭ରୁ ୭ ବିଜୟ ପାଇଛି। ୨୬-ରୁଟ୍‌ଙ୍କ ନେତୃତ୍ବରେ ଇଂଲଣ୍ଡ ୪୭ ଟେଷ୍ଟରୁ ୨୬ ଜିତିଥିବାରୁ ସେ ସଫଳତମ ଅଧିନାୟକ ହୋଇଛନ୍ତି। ମାଇକେଲ୍ ଭନ୍‌ଙ୍କ ନେତୃତ୍ବାଧୀନ ଦଳ ୫୧ ଟେଷ୍ଟରୁ ୨୬ ଜିତିଥିଲା। ଉଭୟ କିନ୍ତୁ ବିଦେଶରେ ସମାନ ୨୨ ଟେଷ୍ଟ୍‌ରେ ନେତୃତ୍ବ ନେଇଥିବା ବେଳେ ରୁଟ୍‌ଙ୍କ ୧୦ ବିଜୟ ଭନ୍ (୯)ଙ୍କୁ ପଛରେ ପକାଇ ଦେଇଛି।

୪-ବିରାଟ କୋହଲିଙ୍କ ଦଳ ଏବେ ଲଗାତାର ୪ ଟେଷ୍ଟ୍ ହାରିଛି। ନ୍ୟୁଜିଲାଣ୍ଡ୍‌ରେ ୨, ଅଷ୍ଟ୍ରେଲିଆରେ ଗୋଟିଏ ହାରିବା ପରେ ଚେନ୍ନାଇରେ ଆତ୍ମସମର୍ପଣ କରିଛି। ଏହା ପୂର୍ବରୁ ତାଙ୍କ ନେତୃତ୍ବାଧୀନ ଦଳ ଲଗାତାର ୭ ଟେଷ୍ଟ୍ ଜିତିଥିଲା। ୨୨୭-ଭାରତର ୨୨୭ ରନ୍‌ ପରାଜୟ ଘରୋଇ ମାଟିରେ ସର୍ବୋଚ୍ଚ ବ୍ୟବଧାନ ଏବଂ ମୋଟ ଉପରେ ଚତୁର୍ଥ ବଡ଼ ପରାଜୟ। ୨୦୧୧ରେ ନଟିଂହାମରେ ୩୧୯ ରନ୍‌, ୨୦୧୪ରେ ସାଉଥମ୍ପଟନ୍‌ରେ ୨୬୬ ରନ୍‌ ଏବଂ ୧୯୯୦ରେ ୨୪୭ ରନ୍‌ରେ ହାରିଥିଲା ଭାରତ। ୧-ରବିଚନ୍ଦ୍ରନ୍‌ ଅଶ୍ବିନ୍‌ଙ୍କ ୨୨ତମ ୫ ୱିକେଟ୍‌ ସଫଳତା ମଧ୍ୟରେ ଭାରତ ପ୍ରଥମ ଥର ହାରିଲା। ପୂର୍ବ ୨୧ ମଧ୍ୟରୁ ଭାରତ ୨୦ଟି ଜିତିଥିବା ବେଳେ ଗୋଟିଏ ଡ୍ର’ ରହିଥିଲା। ଡ୍ର’ଟି ୨୦୧୧ରେ ମୁମ୍ବାଇରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସ୍କୋର୍‌ ବରାବର ସହ ଶେଷ ହୋଇଥିଲା।

ସମ୍ବନ୍ଧିତ ଖବର