ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଦାବି: ‘ଦୀର୍ଘ କାର୍ଯ୍ୟ ସମୟ’ ହୃଦ୍‌ରୋଗ ଓ ‘ଷ୍ଟ୍ରୋକ୍‌’ଜନିତ ମୃତ୍ୟୁ ବୃଦ୍ଧି ପାଉଛି

ଜେନିଭା: ‘ଦୀର୍ଘ କାର୍ଯ୍ୟ ସମୟ’ ବା ସୀମା ଠାରୁ ଅଧିକ ସମୟ କାର୍ଯ୍ୟ କରିବା କାରଣରୁ ହୃଦ୍‌ରୋଗ ଓ ‘ଷ୍ଟ୍ରୋକ୍‌’ ଜନିତ ମୃତ୍ୟୁ ବୃଦ୍ଧି ପାଉଛି ବୋଲି ସୋମବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦାବି କରିଛି।

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ପରିବେଶ, ଜଳବାୟୁ ପରିବର୍ତ୍ତନ ଏବଂ ସ୍ବାସ୍ଥ୍ୟ ବିଭାଗର ନିର୍ଦେଶିକା ମାରିଆ ନିରା କହିଛନ୍ତି, ସପ୍ତାହକୁ ୫୫ଘଣ୍ଟାରୁ ଅଧିକ ସମୟ କାର୍ଯ୍ୟ କରିବା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ। କର୍ମଚାରୀମାନଙ୍କ ହିତ ପାଇଁ ଅଧିକ କାର୍ଯ୍ୟପନ୍ଥା ଏବଂ ଅଧିକ ସୁରକ୍ଷା ଆଦି ପ୍ରସାର ନିମନ୍ତେ ଆମେ ଏହି ସୂଚନା ଜାରି କରିଛୁ।

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏବଂ ଆନ୍ତର୍ଜାତିକ ଶ୍ରମ ସଙ୍ଗଠନଦ୍ବାରା ହୋଇଥିବା ସଦ୍ୟତମ ଆକଳନକୁ ଆଧାର କରି ‘ଏନ୍‌ଭାଇରୋନ୍‌ମେଣ୍ଟ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌’ରେ ପ୍ରକାଶିତ ଏକ ଆଲେଖ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି ଯେ, ଦୀର୍ଘ କାର୍ଯ୍ୟ ସମୟ ଯୋଗୁଁ ୨୦୧୬ରେ ‘ଷ୍ଟ୍ରୋକ୍’ ଏବଂ ହୃଦ୍‌ରୋଗଜନିତ ୭,୪୫,୦୦୦ ମୃତ୍ୟୁ ରେକର୍ଡ କରାଯାଇଛି। ୨୦୦୦ ମସିହା ତୁଳନାରେ ଏହି ମୃତ୍ୟୁହାର ୨୯% ଅଧିକ।

Image Courtesy of NDTV

ଦୀର୍ଘ କାର୍ଯ୍ୟ ସମୟ ସହିତ ଜୀବନ ଓ ସ୍ବାସ୍ଥ୍ୟର ସମ୍ବନ୍ଧ ସଂକ୍ରାନ୍ତରେ ପ୍ରଥମ ଥର ପାଇଁ ବିଶ୍ବସ୍ତରୀୟ ଅନୁଶୀଳନ କରିଥିବା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଓ ଆନ୍ତର୍ଜାତିକ ଶ୍ରମ ସଙ୍ଗଠନ ଆକଳନ କରିଛି ଯେ, ସପ୍ତାହକୁ ଅନ୍ୟୂନ ୫୫ ଘଣ୍ଟା କାର୍ଯ୍ୟ କରି ପ୍ରାୟ ୪ ଲକ୍ଷ ବ୍ୟକ୍ତି ‘ଷ୍ଟ୍ରୋକ୍‌’ ଏବଂ ୩.୪୭ ଲକ୍ଷ ବ୍ୟକ୍ତି ହୃଦ୍‌ରୋଗରେ ପ୍ରାଣ ହରାଇଛନ୍ତି।

ସେମାନଙ୍କ ଅଧ୍ୟୟନ ଅନୁସାରେ, ୨୦୦୦ ରୁ ୨୦୧୬ ମଧ୍ୟରେ ହୃଦ୍‌ରୋଗଜନିତ ମୃତ୍ୟୁ ୪୨% ବୃଦ୍ଧି ପାଇଥିବା ବେଳେ ‘ଷ୍ଟ୍ରୋକ୍‌’ଜନିତ ମୃତ୍ୟୁ ୧୯% ବୃଦ୍ଧି ପାଇଛି। କାର୍ଯ୍ୟଭାରଜନିତ ଏହି ରୋଗ ପଶ୍ଚିମ ପ୍ରଶାନ୍ତ ମହାସାଗରୀୟ ଏବଂ ଦକ୍ଷିଣ-ପୂର୍ବ ଏସୀୟ ଅଞ୍ଚଳରେ ବାସ କରୁଥିବା ମଧ୍ୟବୟସ୍କ କିଂବା ବୟସ୍କ କର୍ମୀମାନଙ୍କୁ ଆକ୍ରାନ୍ତ କରୁଛି। ବିଶେଷ କରି ପୁରୁଷମାନେ ଏହି ରୋଗର ସରବ୍ୟ ହେଉଛନ୍ତି। ଏଥିରେ ପୁରୁଷମାନଙ୍କର ମୃତ୍ୟୁ ହାର ୭୨% ଥିବା ଜଣାପଡ଼ିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି।

ସମ୍ବନ୍ଧିତ ଖବର