ବନ୍ଧୁଙ୍କୁ ଭେଟିବା ପାଇଁ ଆନନ୍ଦରେ ଚାହିଁ ରହିଛି: ମୋଦୀଙ୍କୁ ଭେଟିବା ଆଗରୁ ଟୁଇଟ୍‌ କଲେ ଜନ୍‌ସନ୍‌

ନୂଆଦିଲ୍ଲୀ: ଆଜି ଭାରତ ଗସ୍ତର ଦ୍ବିତୀୟ ଦିନରେ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପୂର୍ବରୁ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଟୁଇଟ୍‌ କରି କହିଥିଲେ, ସେ ତାଙ୍କ ‘ବନ୍ଧୁ’ଙ୍କୁ ଭେଟିବାକୁ ଆନନ୍ଦରେ ଚାହିଁ ରହିଛନ୍ତି।

Image Courtesy of India Today

ରାଷ୍ଟ୍ରପତି ଭବନରେ ଜନ୍‌ସନ୍‌ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ପାଛୋଟି ନେଇଥିଲେ। ପରେ ସେ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିବେ।

ଦୁଇଦିନିଆ ଭାରତ ଗସ୍ତରେ ଆସିଥିବା ଜନ୍‌ସନ୍‌ କହିଛନ୍ତି, ବିଶ୍ବ ସ୍ବେଚ୍ଛାଚାରୀ ଦେଶଗୁଡ଼ିକର ବର୍ଦ୍ଧିଷ୍ଣୁ ବିପଦର ସମ୍ମୁଖୀନ ହେଉଥିବାରୁ ଜଳବାୟୁ ପରିବର୍ତ୍ତରୁ ଶକ୍ତି ନିରାପତ୍ତା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଆମ୍ଭମାନଙ୍କ ଗଣତନ୍ତ୍ରର ସହଭାଗିତା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।

Image Courtesy of News18

ରୁଷ୍‌ର ୟୁକ୍ରେନ୍‌ ଆକ୍ରମଣ ପ୍ରସଙ୍ଗ ଉପରେ ପରୋକ୍ଷ ଭାବେ ସେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ମନେରାଯାଉଛି।

ଅଳ୍ପ ଦିନ ପୂର୍ବେ ଜନ୍‌ସନ୍‌ ୟୁକ୍ରେନ୍‌ ଗସ୍ତ କରି ସେଠାକାର ରାଜଧାନୀ ନଗରୀ କିବ୍‌ରେ ଦେଶର ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିଙ୍କୁ ଭେଟିଥିଲେ। ହିଂସାର ଅବସାନ ନିମନ୍ତେ ଇଂଲଣ୍ଡ୍‌ ବହୁବାର ରୁଷ୍‌କୁ କହିଲାଣି।

ଆଜି ମଧ୍ୟ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଜନ୍‌ସନ୍‌ ଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଭେଟିବାର ସମ୍ଭାବନା ରହିଛି। ଅପରାହ୍ଣ ୧ଟା ବେଳେ ସେ ଓ ଜୟଶଙ୍କର ହାଇଦ୍ରାବାଦ ହାଉସ୍‌ରେ ପ୍ରେସ୍‌ ବିବୃତି ଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର