ସେକ୍ସ ରାକେଟ୍‌ ଚଳାଇଥିବା ମେଘାଳୟ ବିଜେପି ଉପାଧ୍ୟକ୍ଷଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ ଜାରି

ସିଲଂ: ଏକ ସେକ୍ସ ରାକେଟ୍‌ ଚଳାଇଥିବା ମେଘାଳୟ ବିଜେପି ଉପାଧ୍ୟକ୍ଷଙ୍କ ବିରୋଧରେ ପୁଲିସ୍‌ ପକ୍ଷରୁ ଲୁକ୍‌ଆଉଟ୍‌ ନୋଟିସ ଜାରି କରାଯାଇଛି। ରିପୋର୍ଟରୁ ପ୍ରକାଶ, ମେଘାଳୟ ରାଜ୍ୟର ପଶ୍ଚିମ ଗାରୋ ହିଲ୍‌ସ ଜିଲ୍ଲାର ତୁରାରେ ଥିବା ନିଜ ଫାର୍ମ ହାଉସରେ ସେକ୍ସ ରାକେଟ୍‌ ଚଳାଇଥିବା ଅଭିଯୋଗରେ ମେଘାଳୟ ବିଜେପି ଉପାଧ୍ୟକ୍ଷ ବର୍ଣ୍ଣାଡ୍‌ ଏନ୍‌ ମାରାକଙ୍କ ବିରୋଧରେ ମଙ୍ଗଳବାର ପୁଲିସ ଏକ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଛି। ସେକ୍ସ ରାକେଟରେ ସଂପୃକ୍ତି ଜଣା ପଡ଼ିଯିବା ପରେ ଅଭିଯୁକ୍ତ ବର୍ଣ୍ଣାଡ୍‌ ଦେଶ ଛାଡ଼ି ପଳାତକ ହୋଇଯିବାର ସମ୍ଭାବନା ରହିଥିବା ଜଣାପଡ଼ିବା ପରେ ପୁଲିସ୍‌ ପକ୍ଷରୁ ତାଙ୍କ ବିରୋଧରେ ଏହି ଲୁକ୍‌ ଆଉଟ୍‌ ବିଜ୍ଞପ୍ତି ଜାରି କରାଯାଇଛି।

ଉଲେଖଯୋଗ୍ୟ, ବର୍ଣ୍ଣାଡଙ୍କ ଫାର୍ମ ହାଉସରେ ପୁଲିସ ଶନିବାର ଚଢ଼ାଉ କରି ୬ ଜଣ ନାବାଳକଙ୍କୁ ଉଦ୍ଧାର କରିବା ଏବଂ ଅନ୍ୟ ୭୩ ଜଣଙ୍କୁ ଗିରଫ କରିବା ଜଣେ ପୂର୍ବତନ ଉଗ୍ରବାଦୀ ନେତା ତଥା ବର୍ତ୍ତମାନ ବିଜେପିର ଉପାଧ୍ୟକ୍ଷ ଥିବା ବର୍ଣ୍ଣାଡ ଫେରାର ହୋଇ ଯାଇଛନ୍ତି।

ପଶ୍ଚିମ ଗାରୋ ହିଲ୍‌ସ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ସିଂ କହିଛନ୍ତି ଯେ ତୁରାର ବର୍ଣ୍ଣାଡ ଏନ ମାରାକ ଓରଫ ରିମ୍ପୁଙ୍କ ବିରୋଧରେ ଏକ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରାଯାଇଛି। ତୁରାର ଏକ ଅଦାଲତ ସୋମବାର ବିଜେପି ନେତାଙ୍କ ବିରୋଧରେ ଗିରଫଦାରୀ ପାଇଁ ଏକ ଜାମିନବିହୀନ ଗିରଫ ପରଓ୍ଵାନା ଜାରି କରିଛନ୍ତି।

ମୁଖ୍ୟମନ୍ତ୍ରୀ କନରାଡ କେ ସାଙ୍ଗମାଙ୍କ ଏନପିପି ନେତୃତ୍ୱରେ ବିଜେପି ରାଜ୍ୟର ଶାସକ ମେଘାଳୟ ଗଣତାନ୍ତ୍ରିକ ମେଣ୍ଟର ଏକ ଅଂଶ ରହିଛି। ପୁଲିସ କହିଛି ଯେ ବର୍ଣ୍ଣାଡଙ୍କୁ ଅନୁସନ୍ଧାନରେ ସହଯୋଗ କରିବାକୁ କୁହାଯାଇଥିଲା କିନ୍ତୁ ଅନୁସନ୍ଧାନରେ ସହଯୋଗ କରୁନାହାନ୍ତି ବରଂ ତଦନ୍ତକୁ ଏଡାଇ ଯାଉଛନ୍ତି। ତାଙ୍କୁ ଗିରଫ କରିବା ପାଇଁ ପୁଲିସ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି।

ସମ୍ବନ୍ଧିତ ଖବର