ପ୍ରଜ୍ବଳଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍

ବେଙ୍ଗାଲୁରୁ: ‘ସେକ୍ସ ଭିଡିଓ’ ମାମଲାରେ କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ହାସନର ‘ଫେରାର’ ସାଂସଦ ପ୍ରଜ୍ଜ୍ବଳ ରେବନ୍ନାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ ଜାରି କରିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେଗୌଡ଼ାଙ୍କ ନାତି ରେବନ୍ନା ଜର୍ମାନୀରେ ଥିବା କୁହାଯାଉଛି। ଏହି ନୋଟିସ ଜାରି ପରେ ସେ ବିମାନବନ୍ଦର, ସାମୁଦ୍ରିକ ବନ୍ଦର କିମ୍ବା ସୀମା ଚେକ୍‌ପୋଷ୍ଟ ସମେତ ଭାରତର ଯେକୌଣସି ଇମିଗ୍ରେସନ୍ ପଏଣ୍ଟରେ ପହଞ୍ଚିବା ପରେ ତାଙ୍କୁ ଅଟକ ରଖାଯିବ। ଆମେ ସମସ୍ତ ବନ୍ଦର ଓ ବିମାନବନ୍ଦରକୁ ଲୁକ୍ ଆଉଟ୍ ନୋଟିସ୍ ବିଷୟରେ ଅବଗତ କରାଇଛୁ ବୋଲି କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର ଗୁରୁବାର କହିଛନ୍ତି। ପ୍ରଜ୍ଜ୍ବଳ ବିଦେଶରେ ଥିବାରୁ ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି)ରେ ହାଜର ହେବା ପାଇଁ ସେ ଆଉ ୭ ଦିନ ସମୟ ମାଗିବା ପ୍ରସଙ୍ଗରେ ପରମେଶ୍ବର କହିଛନ୍ତି ଯେ ୨୪ ଘଣ୍ଟାରୁ ଅଧିକ ସମୟ ଦେବା ପାଇଁ କୌଣସି ବ୍ୟବସ୍ଥା ନାହିଁ। କର୍ଣ୍ଣାଟକ ସରକାର ପ୍ରଜ୍ଜ୍ବଳଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ଏପ୍ରିଲ ୨୮ରେ ଅପରାଧ ତଦନ୍ତ ବିଭାଗ (ସିଆଇଡି) ଅଧୀନରେ ଏକ ଏସ୍‌ଆଇଟି ଗଠନ କରିଥିଲେ। ଅନେକ ମହିଳାଙ୍କ ଅଭିଯୋଗ ପରେ ସେହିଦିନ ତାଙ୍କ ବିରୋଧରେ ଏତଲା ରୁଜୁ ହୋଇଥିଲା।

ମିଳିଥିବା ସୂଚନା ଅନୁଯାୟୀ ଲୋକସଭା ଏନ୍‌ଡିଏ ପ୍ରାର୍ଥୀ ରେବନ୍ନା ଏପ୍ରିଲ ୨୭ ତାରିଖରେ ଗିରଫ ହେବାର ଆଶଙ୍କା କରି ଦେଶ ଛାଡ଼ି ଚାଲିଯାଇଥିଲେ। ସେ ନିଜର କୂଟନୈତିକ ପାସପୋର୍ଟରେ ବିଦେଶ ଯାତ୍ରା କରିଥିବା କୁହାଯାଉଛି। ଆଇପିସିର ଧାରା ୩୫୪ଏ, ୩୫୪ଡି, ୫୦୬ ଏବଂ ୫୦୯ ଅନୁଯାୟୀ ରେବନ୍ନାଙ୍କ ବିରୋଧରେ ଯୌନ ନିର୍ଯାତନା, ଧମକଚମକ ଏବଂ ମହିଳାଙ୍କ ସମ୍ମାନକୁ ଆଘାତ ଦେବା ଭଳି ଅଭିଯୋଗ ରହିଛି। ପୀଡିତାଙ୍କ ମଧ୍ୟରୁ ଜଣେ ପୂର୍ବତନ ଗୃହ ଚାକରାଣୀଙ୍କ କହିବା ଅନୁଯାୟୀ ସେ ରେବନ୍ନା ଓ ତାଙ୍କ ବାପା ଏଚ୍‌ଡି ରେବନ୍ନାଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିଲେ। ମଙ୍ଗଳବାର ଜେଡିଏସ୍ ପ୍ରଜ୍ଜ୍ବଳଙ୍କୁ ଦଳରୁ ନିଲମ୍ବିତ କରିଥିଲା। ଅନ୍ୟପକ୍ଷରେ ବିଦେଶ ବ୍ୟାପାର ମନ୍ତ୍ରାଳୟ କହିଛି ପ୍ରଜ୍ଜ୍ବଳଙ୍କ ନିକଟରେ ‌କୂଟନୈତିକ ପାସପୋର୍ଟ ରହିଛି। ତେଣୁ କୋର୍ଟଙ୍କ ବିନା ନିର୍ଦ୍ଦେଶରେ ତାକୁ ପ୍ରତ୍ୟାହାର କରିବା ଅଧିକାର ମନ୍ତ୍ରାଳୟର ନାହିଁ। ବର୍ତ୍ତମାନ ସୁଦ୍ଧା କୋର୍ଟରୁ କୌଣସି ନିର୍ଦ୍ଦେଶନାମା ମିଳିନାହିଁ ବୋଲି ମନ୍ତ୍ରାଳୟ କହିଛି।

ସମ୍ବନ୍ଧିତ ଖବର