କେନ୍ଦ୍ରମନ୍ତ୍ରୀ ରାଣେଙ୍କ ଅଡ଼ୁଆ ବଢ଼ିଲା, ପତ୍ନୀ ଓ ପୁଅଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ୍

ମୁମ୍ବାଇ : ଗୁରୁବାର କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ପତ୍ନୀ ନୀଲମ୍ ରାଣେ ଓ ପୁତ୍ର ନୀତେଶଙ୍କ ନାମରେ ଲୁକ୍‌ଆଉଟ୍‌ ନୋଟିସ୍ ଜାରି କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ଦିୱାନ ହାଉସିଂ ଫାଇନାନ୍ସ କର୍ପୋରେସନ ମାମଲାରେ ‌କରାଯାଇଛି, ଯେଉଁଠୁ ରାଣେଙ୍କ ପତ୍ନୀ ନୀଲମ୍ ୨୫ କୋଟି ଟଙ୍କା ଓ ତାଙ୍କ ପୁଅ ନୀତେଶ ୪୦ କୋଟି ଟଙ୍କା ଋଣ ନେଇ ଶୁଝିନାହାନ୍ତି। ଲୁକ୍‌ଆଉଟ୍‌ ନୋଟିସ୍‌ ପ୍ରସଙ୍ଗରେ କୁହାଯାଇଛି ଯେ, ଋଣ ନେଇଥିବା ନୀଲମ୍ ଓ ନୀତେଶ ଋଣ ନ ଶୁଝିବା ସ୍ଥିତିରେ ଦେଶ ଛାଡ଼ି ଚାଲିଯାଇପାରନ୍ତି। ଯେକୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ପାଇଁ ମଧ୍ୟ ଉଭୟେ ଦେଶ ଛାଡ଼ି ଅନ୍ୟ କେଉଁଠି ରହିପାରନ୍ତି। ଏହି ବିଷୟକୁ ଧ୍ୟାନରେ ରଖି ରାଣେଙ୍କ ପତ୍ନୀ ଓ ପୁତ୍ରଙ୍କ ନାମରେ ଲୁକ୍‌ଆଉଟ୍‌ ନୋଟିସ୍ ଜାରି କରାଗଲା।

ଉଲ୍ଲେଖନୀୟ ଯେ ରାଣେଙ୍କ ପତ୍ନୀ ଓ ପୁତ୍ର ନେଇଥିବା ଋଣ ବର୍ତ୍ତମାନ ଏନ୍‌ପିଏ (ଅଚଳ ପରିସମ୍ପତ୍ତି)ରେ ପରିଣତ ହୋଇଯାଇଛି। ଦୀର୍ଘ ସମୟ ଧରି ସେମାନେ ଋଣ ପରିଶୋଧର ନାଁ ଧରୁ ନ ଥିବାରୁ ସେମାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ରାଜ୍ୟ ଗୃହମନ୍ତ୍ରୀ ଦିଲୀପ ୱାଲସେ କହିଛନ୍ତି ଯେ, ଲୁକ୍‌ଆଉଟ୍ ନୋଟିସ୍‌ର ସୁଯୋଗ ସୀମିତ। ଏମିତିରେ ଏ କ୍ଷେତ୍ରରେ ଗିରଫଦାରୀର ପ୍ରଶ୍ନ ନାହିଁ, ଯାହାଙ୍କ ବିରୋଧରେ ଏ ନୋଟିସ୍ ଅଛି, ସେମାନେ ଦେଶ ଛାଡ଼ି ଯାଇପାରିବେ ନାହିଁ। ସୂଚନାଯୋଗ୍ୟ ଯେ କିଛିଦିନ ତଳେ ସ୍ବୟଂ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ‘ଚଟକଣା ମାରିଥାନ୍ତି’ ଭଳି ବିବାଦୀୟ ବିବୃତି ଦେବା ଅଭିଯୋଗରେ ଗିରଫ କରି ହାଜତରେ ରଖାଯାଇଥିଲା ଓ ପରେ ଜାମିନରେ ଛଡ଼ା ଯାଇଥିଲା।

ସମ୍ବନ୍ଧିତ ଖବର