ଜୟପୁର: ଆପଣ ତ ପ୍ରତିଦିନ ଚୋରିର ଅନେକ ଖବର ପଢୁଥିବେ | ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଚୋରି ବାବଦରେ କହିବୁ ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ଜଣେ କନେଷ୍ଟବଳଙ୍କ ସାହସ ଯୋଗୁଁ କିଭଳି ଦେଶର ସବୁଠାରୁ ବଡ ଲୁଟ ଉଦ୍ୟମ ପଣ୍ଡ ହୋଇଯାଇଥିଲା ସେ ବାବଦରେ କହିବୁ | ଫେବୃଆରୀ,୨୦୧୮ | ରାଜସ୍ଥାନର ଜୟପୁରର ଜି ସ୍କିମ୍ ଅଞ୍ଚଳରେ ଥିବା ଏକ ବ୍ୟାଙ୍କକୁ ଲୁଟ କରିବାକୁ ଡକାୟତମାନେ ଯୋଜନା କରିଥିଲେ | ଏହି ବ୍ୟାଙ୍କକୁ ବିଭିନ୍ନ ଶାଖାରୁ ଟଙ୍କା ଆସି ଜମା ହୋଇ ରହେ | ସୋମବାର ଦିନ ଏହି ଶାଖାକୁ ସର୍ବାଧିକ ଟଙ୍କା ଆସିଥିବାର ସୂଚନା ପାଇବା ପରେ ଡକାୟତମାନେ ସୋମବାର ରାତିରେ ଲୁଟ୍ କରିବାକୁ ଯୋଜନା କରିଥିଲେ | ସେତେବେଳେ ଏହି ଶାଖାରେ ପ୍ରାୟ ୯୨୫ କୋଟି ଟଙ୍କା ଥିଲା। ରାତି ପ୍ରାୟ ୧୨ଟା ସମୟରେ ୧୨ରୁ ୧୩ ଡକାୟତ ଅସ୍ତ୍ରଶସ୍ତ୍ର ଧରି ବ୍ୟାଙ୍କଲୁଟ୍ କରିବାକୁ ବାହାରିଥିଲେ |

Advertisment

ସେମାନେ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରି ଆସିଥିଲେ | ଏହି ସଶସ୍ତ୍ର ଡକାୟତମାନେ ବ୍ୟାଙ୍କର ସଟର ନିକଟରେ ପହଞ୍ଚିଥିଲେ। ସେଠାରେ କେବଳ ଜଣେ ସିକ୍ୟୁରିଟି ଗାର୍ଡ ଥିଲେ। ସର୍ବପ୍ରଥମେ ଏହି ଡକାୟତମାନେ ସୁରକ୍ଷାକର୍ମୀଙ୍କୁ ବାନ୍ଧି ଦେଇଥିଲେ ଓ ସଟର କାଟି ବ୍ୟାଙ୍କ ଭିତରେ ପ୍ରବେଶ କରିଥିଲେ। ତେବେ ବ୍ୟାଙ୍କ ଭିତରେ ଥିବା ପୁଲିସ କନେଷ୍ଟବଳ ସୀତାରାମ ତାଙ୍କୁ ଦେଖିଥିଲେ। ପ୍ରକୃତରେ ଏହି ବ୍ୟାଙ୍କ ବାହାରେ ଜଣେ ସୁରକ୍ଷାକର୍ମୀ ଥିବାବେଳେ ବ୍ୟାଙ୍କ ଭିତରେ ସୀତାରାମ ଥିଲେ | ଏହି ଡକାୟତମାନେ ଏହି କଥା ଜାଣି ନ ଥିଲେ | ତେବେ ଏହି ଡକାୟତମାନେ ବନ୍ଧୁକ ଧରିଥିଲେ ବି ସୀତାରାମ ଏମାନଙ୍କୁ ଦେଖି ଡ଼ରିନଥିଲେ |

ଏହି ଡକାୟତମାନଙ୍କୁ ଦେଖିବା ପରେ ସୀତାରାମ ଆଖିବୁଜା ଗୁଳି ଚଳାଇଥିଲେ। କେବଳ ଗୁଳି ଚଳାଇନଥିଲେ ବରଂ ସୁରକ୍ଷା ଆଲାର୍ମର ବଟନ୍ ଦବାଇଦେଇଥିଲେ। ବ୍ୟାଙ୍କ ଆଲାର୍ମ ବାଜିବା ମାତ୍ରେ ସୂଚନା ନିକଟସ୍ଥ ପୁଲିସ ଷ୍ଟେସନରେ ପହଞ୍ଚିଥିଲା। କୌଣସି ବଡ ଅଘଟଣର ଆଶଙ୍କା କରି ତୁରନ୍ତ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଯାଇଥିଲେ | ପୁଲିସ ଟିମ୍ ଆସୁଥିବା ଦେଖି ସେମାନେ ସେଠାରୁ ପଳାଇଯାଇଥିଲେ । ସୀତାରାମ ପ୍ରାୟ ୫ ମିନିଟ୍ ପର୍ଯ୍ୟନ୍ତ ଆଖିବୁଜା ଗୁଳି ଚଳାଇଥିଲେ। ତେବେ ସୀତାରାମଙ୍କ ୫ ମିନିଟର କାରନାମା ପାଇଁ ଲୁଟ ଉଦ୍ୟମ ଫେଲ ମାରିଥିଲା | ଯଦି ଏହି ବ୍ୟାଙ୍କ ଲୁଟ୍ ହୋଇଥାନ୍ତା ତେବେ ଏହା ଦେଶର ଇତିହାସରେ ସବୁଠାରୁ ବଡ ଲୁଟ୍ ଭାବେ ପରିଗଣିତ ହୋଇଥାନ୍ତା।