ଲଖନଉ: ଆପଣଙ୍କ ସହରକୁ ସନି ଲିଓନିଙ୍କ ସହ ନୋରା ଫତେହି ଓ ଗୁରୁ ରନ୍ଧାବା ଆସିବେ | ଖୁବ କାମ ଟିକେଟ ଅଛି, ଶୀଘ୍ର ବୁକିଂ କରନ୍ତୁ | ଏଭଳି କହି ସହର ସାରା ପୋଷ୍ଟର ଲଗାଇଲେ ଆଉ ଲୋକଙ୍କ ବିଶ୍ୱାସ ଜନ୍ମାଇବାକୁ ବୁକ ମାଇଁ ସୋ'ରେ ଆକାଉଣ୍ଟ ମଧ୍ୟ ଖୋଲିଲେ | ପ୍ରାୟ ୯ କୋଟି ଟଙ୍କାରେ ନକଲି ଟିକେଟ ବିକ୍ରି କରିବା ପରେ ଚମ୍ପଟ ମାରିଲେ | ମୋବାଇଲ ଫୋନ ସୁଇଚ ଅଫ କରି ଉଭାନ ହୋଇଗଲେ | ଉତ୍ତରପ୍ରଦେଶ ଏସଟିଏଫ୍ ଏବେ ୩ ଜଣ ଠକଙ୍କ ଗିରଫ କରିଛି ଯେଉଁମାନେ ବଲିଉଡ ଷ୍ଟାରଙ୍କ ନାମରେ ଲୋକଙ୍କଠାରୁ ପ୍ରାୟ ୯ କୋଟି ଟଙ୍କା ଲୁଟିନେଇଥିଲେ | ଏହି ଠକମାନେ ଲଖନଉର ଏକାନା ଷ୍ଟାଡିୟମରେ ଚଳଚ୍ଚିତ୍ର ତାରକା ସନ୍ନି ଲିଓନି, ନୋରା ଫତେହି, ଟାଇଗର ଶ୍ରଫ, ଗାୟକ ଗୁରୁ ରନ୍ଧାବାଙ୍କ ନାମକୁ ବ୍ୟବହାର କରି ଠକିଥିଲେ | ଏହି କଳାକାରମାନେ ଆସିବେ ଆଉ ଲାଇଭ୍ କନ୍ସର୍ଟ କରିବେ ବୋଲି କହିବା ସହ କୋଟି କୋଟି ଟଙ୍କା ଠକିଥିଲେ।

Advertisment

ନଭେମ୍ବର ୨୦୨୨ ମସିହାରେ, ଏହି ଠକମାନେ ପ୍ରାୟ ୯ କୋଟି ଟଙ୍କା ଠକିବା ସହ ଅନଲାଇନ ଟିକେଟ ପ୍ଲାଟଫର୍ମ ବୁକ ମାଇଁ ସୋ'ରେ ଟିକେଟ୍ ବିକ୍ରି କରିଥିଲେ। ଉତ୍ତରପ୍ରଦେଶ ଏସଟିଏଫର ସୂଚନା ମୁତାବକ ଶ୍ରୀ ସୁବିଧା ଫାଉଣ୍ଡେସନ୍ ନାମରେ ଏକ ଟ୍ରଷ୍ଟ ଖୋଲି ଏହି ଠକମାନେ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି କହିଥିଲେ | ଷ୍ଟାଡିୟମ କର୍ତୃପକ୍ଷଙ୍କୁ କିଛି ଅଗ୍ରିମ ଦେଇଥିଲେ ଆଉ ସୋ' ବାବଦରେ ସହର ସାରା ପୋଷ୍ଟର ଲଗାଇ ଲୋକଙ୍କୁ ଟିକେଟ କରିବାକୁ ପ୍ରଲୋଭନ ଦେଖାଇଥିଲେ | ତେବେ ସୋ’ର ଦୁଇ ଦିନ ପୂର୍ବରୁ ଏହି ନକଲି ଆୟୋଜକମାନେ ଫୋନ୍ ବନ୍ଦ କରି ପଳାଇ ଯାଇଥିଲେ। ଯାହା ପରେ ପୁଲିସ ନିକଟରେ ଷ୍ଟାଡିୟମ କର୍ତ୍ତୃପକ୍ଷଙ୍କ ସମେତ ଆଉ ଦୁଇଜଣ ବ୍ୟକ୍ତି ଅଭିଯୋଗ କରିଥିଲେ | ଆଉ କିଛିଦିନର ତନାଘନା ପରେ ଏସଟିଏଫ ଏବଂ ଲଖନଉ ପୁଲିସ ମିଳିତ ଭାବେ ତିନିଜଣ ଠକଙ୍କୁ ଗୁଜୁରାଟରୁ ଗିରଫ କରିଛି | ଏସଟିଏଫ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମ ଜୟନ୍ତୀ ଡେରା ୱାଲିଆ, ବିରଜ ତ୍ରିବେଦୀ ଏବଂ ସମୀର ଶର୍ମା ବୋଲି ଜଣାପଡିଛି । ଏବେ ସେମାନଙ୍କୁ ପଚରାଉଚରା କରାଯାଉଛି।
,