ଜୟପୁର: ବିବାହିତ ମହିଳାଙ୍କୁ ଅବିବାହିତ ଦର୍ଶାଇ ବାହାଘର କରାଉଥିଲେ | ବାହାଘରର କିଛିଦିନ ପରେ ସେହି ମହିଳାଙ୍କ ସହାୟତାରେ ଟଙ୍କା ସହ ସୁନାଗହଣା ଲୁଟୁଥିଲେ | ରାଜସ୍ଥାନର ଦୌସାରେ ପୁଲିସ ଏପରି ଏକ ଗ୍ୟାଙ୍ଗକୁ ଗିରଫ କରିଛି, ଯେଉଁମାନେ ଜାଲିଆତି କରି ଲୋକଙ୍କ ବିବାହ କରାଉଥିଲେ ଓ ବିବାହିତ ମହିଳାଙ୍କ ସାହାଯ୍ୟରେ ଲୁଟ୍ କରି ଚମ୍ପଟ ମାରୁଥିଲେ | ଏସପି ବନ୍ଦିତା ରାଣାଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଏହି ଗ୍ୟାଙ୍ଗକୁ ଗିରଫ କରାଯାଇଛି | ଗିରଫ ହୋଇଥିବା ମହିଳାମାନଙ୍କ ମାନେ ହେଉଛନ୍ତି ସୋନିଆ ଓରଫ ନିଶା, ସଂଗୀତା ଏବଂ ଅନୀତା ଦେବୀ । ଏସପି ରାଣା କହିଛନ୍ତି ଯେ ଜୁଲାଇ ୨ରେ ଶିବ କଲୋନୀ ନିବାସୀ ବିଷ୍ଣୁ କୁମାର ଛିପା (୩୨) ଙ୍କ ଅଭିଯୋଗ କ୍ରମେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି |

Advertisment

ବିଷ୍ଣୁ କୁମାର ଅଭିଯୋଗ କରିଥିଲେ ଯେ ୨୦୨୦ ମସିହାରେ ତାଙ୍କ ପତ୍ନୀଙ୍କର କର୍କଟ ରୋଗରେ ମୃତ୍ୟୁ ହେବା ପରେ ପରିବାର ସଦସ୍ୟ ଜୁନ୍ ୧୪, ୨୦୨୩ରେ ନିଶା ନାମକ ଜଣେ ଯୁବତୀଙ୍କ ସହ ବିବାହ କରାଇଥିଲେ। ବିବାହ ପରେ ନିଶା ସମ୍ପର୍କ ନ ରଖିବା ନେଇ କହିଥିଲେ | ବିବାହର ୧ ସପ୍ତାହ ପରେ, ଜୁନ୍ ୨୧ରେ ନିଶା ଘରୁ ପଳାଇଯାଇଥିଲେ | ଘରୁ ପଳାଇବା ବେଳେ ସେ ସବୁ ସୁନା ଗହଣା ସହ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ | ଏହା ପରେ ବିଷ୍ଣୁ କୁମାର ସୋସିଆଲ ମିଡିଆରେ ନିଶାଙ୍କ ବିଷୟରେ ଅନୁସନ୍ଧାନ ଆରମ୍ଭ କରିଥିଲେ ଓ ଜାଣିବାକୁ ପାଇଥିଲେ ଯେ ସେ ବିବାହିତ ଏବଂ ତାଙ୍କର ସନ୍ତାନ ମଧ୍ୟ ଅଛନ୍ତି | ଏସପି ରାଣା କହିଛନ୍ତି ଯେ ମଙ୍ଗଳବାର (ଅଗଷ୍ଟ ୧୫) ରେ ପୁଲିସ ଏହି ଗ୍ୟାଙ୍ଗକୁ ଧରିଛି ଏବଂ ନକଲି କନ୍ୟା ସମେତ ତିନିଜଣ ମହିଳାଙ୍କୁ ଗିରଫ କରିଛି। ଏହି ଗ୍ୟାଙ୍ଗ ବିବାହିତ ମହିଳାମାନଙ୍କୁ ଅବିବାହିତ ବୋଲି ଦର୍ଶାଇ ବାହାଘର କରାଉଥିଲେ | ପରେ ଘରର ଅଳଙ୍କାର ଓ ଟଙ୍କା ନେଇ କନ୍ୟା ପଳାଇଆସୁଥିଲେ |