ମୋଦୀଙ୍କ ଝିଆରୀଙ୍କ ପର୍ସ ଓ ଫୋନ୍‌ ଛଡ଼ାଇନେଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ଦିଲ୍ଲୀରେ ଏବେ ଲୁଟ୍‌ପାଟ୍‌ ଘଟଣା ବଢ଼ିଯାଇଛି। ନିକଟରେ ଜଣେ ସାମ୍ବାଦିକାଙ୍କୁ ଅଟୋରିକ୍ସାରୁ ଟାଣି କିଛି ଦୁର୍ବୃତ୍ତ ତାଙ୍କ ଫୋନ୍‌ ଛଡ଼ାଇ ନେଇଥିଲେ । ତେବେ ଏଥର ଏଭଳି ସ୍ଥିତିକୁ ସାମ୍ନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଝିଆରୀ ଦମୟନ୍ତୀ ବେନ୍‌ ମୋଦୀ। ସୂଚନାନୁଯାୟୀ ଦମୟନ୍ତୀ ବେନ୍ ମୋଦୀ ହେଉଛନ୍ତି ମୋଦୀଙ୍କ ଭାଇ ପ୍ରହଲ୍ଲାଦ ମୋଦୀଙ୍କ ଝିଅ। ସେ ନିକଟରେ ଅମୃତସରରୁ ଦିଲ୍ଲୀ ଫେରିଥିଲେ। ସିଭିଲ୍‌ ଲାଇନ୍‌ସ ଅଞ୍ଚଳରେ ସେ ଗୁଜରାଟୀ ସମାଜ ଭବନରେ ଏକ ରୁମ୍‌ ବୁକ୍‌ କରିଥିଲେ। ଆଜି ସକାଳେ ସେ ହୋଟେଲ୍‌ ଗେଟ୍‌ ନିକଟରେ ଅଟୋରୁ ଓହ୍ଲାଇବା ପରେ ଆଚନକ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌‌ରେ ଆସି ତାଙ୍କ ପର୍ସ ଛଡ଼ାଇ ନେଇଥିଲେ । ଦମୟନ୍ତୀ ମୋଦୀ କହିଛନ୍ତି ତାଙ୍କ ପର୍ସ୍‌ରେ ୫୬,୦୦୦ ଟଙ୍କା, ୨ଟି ମୋବାଇଲ୍‌ ଫୋନ୍‌ ଏବଂ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ଥିଲା। ଆଜି ସନ୍ଧ୍ୟାରେ ସେ ଅହମଦାବାଦ୍‌ ଫେରିଥାନ୍ତେ ବୋଲି କହିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ବାସଭବନଠାରୁ ଅଳ୍ପ ଦୂରରେ ଏହି ଘଟଣା ଘଟିଛି। ଦମୟନ୍ତୀ ଏନେଇ ପୁଲିସରେ ଅଭି‌‌ଯୋଗ କରିବାପରେ ପୁଲିସ ଉକ୍ତ ମାମଲାକୁ ଗମ୍ଭୀରତାର ସହ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି। ମୋଦୀଙ୍କ ଭାଇ ପ୍ରହଲ୍ଲାଦ କହିଛନ୍ତି ଦିଲ୍ଲୀରେ ଏଭଳି ଘଟଣା ସ୍ବାଭାବିକ କଥା। ଆମେ ଜଣେ ସାଧାରଣ ନାଗରିକ ଭାବେ ଥାନାରେ ଏତଲା ଦେଇଛୁ।

ସମ୍ବନ୍ଧିତ ଖବର